• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କନମ୍ୟାନ୍ ସୁକେଶ ଚନ୍ଦ୍ରଶେଖରର ମହାଖୁଲାସା । ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଦେଇଛି ବଡ଼ ବୟାନ୍‌ । ସୁକେଶ ଲିଙ୍କ୍ ପାଇଁ ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍ ଆଇନଜାଲରେ ଛନ୍ଦି ହୋଇଥିବା ବେଳେ ଏବେ ପଡ଼ିଛି ଦିଲ୍ଲୀ ଆପ୍ ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପାଳି । ନିଜେ ଆର୍ଥିକ ଅନିୟମିତତା ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ସତ୍ୟେନ୍ଦ୍ର ୨୦୧୭ରେ ତା ଠାରୁ ୧୦ କୋଟି ଟଙ୍କାର ପ୍ରୋଟେକ୍ସନ ମନି ବା ବଟି ଆଦାୟ କରିଥିଲେ ବୋଲି ନିଜେ ସୁକେଶ ଅଭିଯୋଗ କରିଛି । ଏନେଇ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଚିଠି ଲେଖିଛି ସୁକେଶ ।

୨ ପୃଷ୍ଠାର ଚିଠି ଲେଖି ମହାଖୁଲାସା କରିଛି ମହାଠକ ସୁକେଶ ଚନ୍ଦ୍ରଶେଖର । ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ଦିଲ୍ଲୀର ଜେଲ୍ ଡିଜି ସନ୍ଦୀପ ଗୋଏଲଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଜେଲର ଚାରିକାନ୍ଥ ଭିତରୁ ସୁକେଶ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକ୍ସେନାଙ୍କ ପାଖକୁ ଗତ ଅକ୍ଟୋବର ୭ ତାରିଖରେ ଲେଖିଥିବା ଚିଠିରେ ଲେଖା ଅଛି, ଦିଲ୍ଲୀ ଆପ୍ ସରକାରର ଦୁର୍ନୀତିର କଚ୍ଚାଚିଠା । ଏଥିରେ ଲେଖାଥିବା ଅଭିଯୋଗକୁ ନେଇ ଖାଲି ଦିଲ୍ଲୀ ନୁହେଁ, ସାରା ଦେଶରେ ଚହଳ ପଡ଼ିଛି । ମହାଠକ ସୁକେଶ ଚନ୍ଦ୍ରଶେଖର ଉପରାଜ୍ୟପାଳଙ୍କୁ ଲେଖିଥିବା ଏହି ଚିଠିରେ ଅଭିଯୋଗ କରିଛି ଯେ, ମୁଁ ଗିରଫ ହେବା ପୂର୍ବରୁ ଆପକୁ ଦେଇଛି ୫୦ କୋଟିରୁ ଅଧିକ ଟଙ୍କା । ଗିରଫ ହେବା ପରେ ପ୍ରୋଟେକ୍ସନ ମନି ବାବଦରେ ସତ୍ୟେନ୍ଦ୍ର ଜୈନଙ୍କୁ ଦେଇଛି ୧୦ କୋଟି ଟଙ୍କା ଏବଂ ଜେଲ୍ ଡିଜିଙ୍କୁ ଦେଇଛି ସାଢ଼େ ୧୨ କୋଟି ଟଙ୍କା ।

ସୁକେଶ ଅଭିଯୋଗ କରିଛି ଯେ, ମୁଁ ଆମ୍ ଆଦମି ପାର୍ଟିର ସତ୍ୟେନ୍ଦ୍ର ଜୈନକୁ ୨୦୧୫ ମସିହାରୁ ଜାଣିଛି । ଦଳର ସାଉଥ୍ ଜୋନରେ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ ଏବଂ ରାଜ୍ୟସଭାକୁ ମନୋନୀତ ହେବା ପାଇଁ ଦଳକୁ ୫୦ କୋଟିରୁ ଅଧିକ ଟଙ୍କା ଦେଇଛି । ତେବେ ୨୦୧୭ରେ ଗିରଫ ହେବା ପରେ ତିହାର ଜେଲରେ ଥିବା ବେଳେ ସତ୍ୟେନ୍ଦ୍ର ଜୈନ ମୋତେ ବାରମ୍ବାର ଭେଟିଛନ୍ତି । ମୁଁ ତଦନ୍ତକାରୀ ସଂସ୍ଥା ଆଗରେ ୫୦ କୋଟି ଟଙ୍କା ବାବଦରେ ମୁହଁ ଖୋଲିଛି କି ନାହିଁ ପଚାରିଥିଲେ ।

୨୦୧୯ରେ ପୁଣି ସତ୍ୟେନ୍ଦ୍ର ଜୈନ, ତାଙ୍କ ସଚିବ ଏବଂ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ସୁଶୀଲ ମୋତେ ଜେଲରେ ଭେଟିଥିଲେ । ସେତେବେଳେ ଜେଲରେ ସୁରକ୍ଷିତ ରହିବା ପାଇଁ ଏବଂ ମୌଳିକ ସୁବିଧା ପାଇବା ପାଇଁ ପ୍ରୋଟେକ୍ସନ ମନି ବାବଦରେ ତାଙ୍କୁ ପ୍ରତିମାସ ୨ କୋଟି ଓ ଜେଲ୍ ଡିଜିଙ୍କୁ ଦେଢ଼ କୋଟି ଟଙ୍କା ଦେବାକୁ କହିଥିଲେ । ୨-୩ ମାସ ଭିତରେ ମୋ ଉପରେ ଚାପ ପକାଇ ୧୦ କୋଟି ଟଙ୍କା ବଟି ଆଦାୟ କରାଯାଇଥିଲା ।

କୋଲକାତାରେ ସତ୍ୟେନ୍ଦ୍ର ଜୈନଙ୍କ ସହଯୋଗୀ ଚତୁର୍ବେଦୀ ଏହି ଟଙ୍କା ସଂଗ୍ରହ କରିଥିଲା । ଜେଲରେ ଚାଲିଥିବା ଏହି ରାକେଟ୍ ସଂପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିକୁ ଜଣାଇଥିବା ଏବଂ ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଥିବା ଜଣାଇଛି ସୁକେଶ । ତେବେ ହାଇକୋର୍ଟରୁ ଅଭିଯୋଗ ଫେରାଇ ନେବା ପାଇଁ ବର୍ତ୍ତମାନ ତିହାର ଜେଲରେ ଥିବା ସତ୍ୟେନ୍ଦ୍ର ଜୈନ ଜେଲ୍ ଡିଜି ଓ ଜେଲ୍ ପ୍ରଶାସନ ମାଧ୍ୟମରେ ମୋ ଉପରେ ଚାପ ପକାଉଛନ୍ତି ବୋଲି ଚିଠିରେ ଲେଖାଯାଇଛି । ମୁଁ ଜେଲରେ ନିର୍ଯାତିତ ହେଉଛି ଓ ମୋତେ ଧମକ ଦିଆଯାଉଛି ବୋଲି ସୁକେଶ ଉପରାଜ୍ୟପାଳଙ୍କୁ ଚିଠିରେ ଜଣାଇବା ସହିତ, ଏସଂପର୍କରେ ମାମଲା ରୁଜୁ କରି ତଦନ୍ତ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛି ସୁକେଶ ।