• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମହିଳା ଜଣକ ଦେଖିବାକୁ ଖୁବ୍‌ ସାଧାସିଧା । ବ୍ୟବହାର ବି ଜଣେ ସାଧାରଣ ଲୋକଙ୍କ ପରି । ଶରୀରରେ ସେମତି ବେଶି ପିନ୍ଧିନାହାନ୍ତି ଅଳଙ୍କାର ।  ନାହିଁ ଦେହରେ ଅଧିକ ଟଙ୍କାର ଶାଢ଼ି । ମୁହଁର ସେହି ସୁନ୍ଦର ହସକୁ ଦେଖିଲେ ଯେ କେହିବି ଆପେଆପେ ଆକର୍ଷିତ ହୋଇଯିବେ । ଆପଣ ଦେଖୁଥିବା ଏହି ଫଟୋଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କାରଣ ମହିଳା ଜଣକ ଖୁବ୍‌ ଖୁସିର ସହିତ ଜଣେ ସାଧାରଣ ଲୋକଙ୍କ ପରି ଜୀବନ ବିତାଉଛନ୍ତି । ହାତରେ ଚଟୁ ଧରି ମାଟି ହାଣ୍ଡିରେ ରୋଷେଇ କରୁଛନ୍ତି । ଖାଲି ସେତିକି ନୁହେଁ ମହିଳା ଜଣକ ଭାରତୀୟ ପରମ୍ପରା ଅନୁସାରେ ଏକ ସୂତା ଶାଢ଼ି ପିନ୍ଧି ମାଟିର ଚଟାଣରେ ବସି ରୋଷେଇ କରୁଥିବା ଫଟୋରେ ଦେଖିବାକୁ ମିଳିଛନ୍ତି ।

ଫଟୋଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ମହିଳାଙ୍କ ପରିଚୟକୁ ନେଇ ଅନେକ ଲୋକ ପ୍ରଶ୍ନ ପଚାରୁଥିବା ଦେଖିବାକୁ ମିଳିଛି । କିଛି ଦର୍ଶକ ମହିଳାଙ୍କ ପରିଚୟ ଜାଣିପାରି ଖୁବ୍‌ ଖୁସି ହେଉଥିବା ଜଣାପଡ଼ିଛି ।

ତେବେ ମହିଳା ଜଣକ ହେଉଛନ୍ତି ଜଣେ ପ୍ରଧାନମନ୍ତ୍ରୀଙ୍କ ଶାଶୂ । ଖାଲି ସେତିକି ନୁହେଁ ତାଙ୍କର ଅନେକ ପରିଚୟ ରହିଛି । ସେ ଜଣେ ପ୍ରଖ୍ୟାତ ଲେଖିକା ଓ ଜଣେ ପଦ୍ମଶ୍ରୀ ଉପାଧୀଧାରୀ ବୋଲି ଜଣାପଡ଼ିଛି । ମହିଳା ଜଣକଙ୍କ ନାଁ ହେଉଛି ସୁଧା ମୂର୍ତ୍ତି । ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୂନକଙ୍କ ଶାଶୂ ।

ସୁଧା କୋଟି କୋଟି ଟଙ୍କାର ମାଲିକାଣୀ ହୋଇଥିଲେ ବି ତାଙ୍କର ଜୀବନ ଶୈଳୀ ବେଶ୍ ସାଧାସିଧା । କେରଳ ତିରୁଅନନ୍ତପୁରମର ଏହି ଫଟୋଟି ଖୁବ୍‌ ଭାଇରାଲ ହେଉଛି । ପୋଙ୍ଗଲ ପର୍ବ ପାଳନ ଅବସରରେ ସୁଧା ରାସ୍ତାକଡ଼ରେ ମାଟି ଚୁଲାରେ ରୋଷେଇ କରୁଥିବା ଦେଖାଯାଇଛି।

ଅଟ୍ଟୁକଳ ମନ୍ଦିରରେ ପୋଙ୍ଗଲ ପର୍ବ ପାଳନ କରାଯାଉଥିବା ବେଳେ ସୁଧା ମୂର୍ତ୍ତି ସାଧାରଣ ଲୋକଙ୍କ ସହ ମିଶି ଏହାକୁ ପାଳନ କରିଛନ୍ତି । ବିଧି ଅନୁଯାୟୀ ମାଟି ହାଣ୍ଡିରେ ରୋଷେଇ କରିବା ସହ ପର୍ବ ପାଳନ କରିଛନ୍ତି । ତାଙ୍କୁ ସେଠାରେ ପ୍ରଥମେ କେହି ଜାଣିପାରିନଥିଲେ । ପରେ ଜାଣିବା ପରେ ସାଧାରଣ ଲୋକ ଏହାକୁ ସହଜରେ ବିଶ୍ୱାସ କରିନଥିଲେ । ସୁଧା ମୂର୍ତ୍ତିଙ୍କ ଏପରି କାର୍ଯ୍ୟ ପାଇଁ ସାରା ଦେଶରେ ସେ ପ୍ରଶଂସା ସାଉଁଟୁଛନ୍ତି ।