• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଉଭୟ ଲୋକସଭା ଓ ରାଜ୍ୟସଭାରେ ଆଜି ବିରୋଧୀଙ୍କ ପ୍ରବଳ ହୋହାଲ୍ଲା, ହଟ୍ଟଗୋଳ । ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିବାରୁ ଟିଏମସି ରାଜ୍ୟସଭା ସାଂସଦ ଡେରିକ୍ ଓବ୍ରେନ୍ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବିତ କରାଯାଇଛି ।

ଉଭୟ ଗୃହକୁ ହଟ୍ଟଗୋଳ ଯୋଗୁଁ ୨ଟା ଯାଏଁ ମୁଲତବି ରଖାଯାଇଛି । ଗତକାଲି ସଂସଦ ପରିସରରେ ହଙ୍ଗାମା ଘଟଣାକୁ ନେଇ ଗୃହ ମଧ୍ୟରେ ନାରାବାଜି ଦେଇଥିଲେ ବିରୋଧୀ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଦାବି କରିବା ସହ ତାଙ୍କ ଇସ୍ତଫା ଦାବିରେ ହଟ୍ଟଗୋଳ ଓ ହୋହାଲ୍ଲା କରିଥିଲେ ବିରୋଧୀ ।

ଆଉ ଏପଟେ ସଂସଦରେ ସୁରକ୍ଷା ଭଙ୍ଗ ଘଟଣାକୁ ଲୋକସଭାରେ କଡା ନିନ୍ଦା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଲୋକସଭା ବାଚସ୍ପତି ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ବିରୋଧ ପ୍ରଦର୍ଶନର ଯଥାର୍ଥତା ନାହିଁ ବୋଲି କହିଛନ୍ତି ରାଜନାଥ । ଏଥିସହ ପାସ୍ ଦେବା ବେଳେ ସାଂସଦମାନେ ସତର୍କତା ଅବଲମ୍ବନ କରନ୍ତୁ ବୋଲି କହିଛନ୍ତି ରାଜନାଥ ।

ଏପଟେ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ କହିଛନ୍ତି, ଯାହା ଘଟିଲା ତାହା ଉପରେ ଆମେ ସମସ୍ତେ ଚିନ୍ତା ପ୍ରକଟ କରିଛୁ । ଗୃହର ସୁରକ୍ଷା ଦାୟିତ୍ବ ହେଉଛି ଲୋକସଭା ସେକ୍ରେଟେରିଏଟର । ସଂସଦ ହଙ୍ଗାମା ଘଟଣାରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇ ଯାଇଛି ।

ଅନ୍ୟପଟେ ସଂସଦରେ ସୁରକ୍ଷା ଭଙ୍ଗ ଘଟଣାରେ ୮ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ସୁରକ୍ଷା ଦାୟିତ୍ବରେ ଥିବା ୮ କର୍ମଚାରୀଙ୍କୁ ନିଲମ୍ବନ କରିଛି ଲୋକସଭା ସେକ୍ରେଟେରିଏଟ୍ । ଏଣେ ଗତକାଲିର ଘଟଣା ପରେ ସଂସଦ ଭବନ ପରିସରରେ ବଢ଼ିଛି ସୁରକ୍ଷା ବ୍ୟବସ୍ଥା । ସଂସଦ ଭବନରେ ପ୍ରବେଶ ପୂର୍ବରୁ ସୁରକ୍ଷାକର୍ମୀଙ୍କ ଦ୍ବାରା କଡ଼ା ଯାଞ୍ଚ ହେଉଛି ।

ସଂସଦ ଭବନକୁ ଆସୁଥିବା ସମସ୍ତଙ୍କୁ କଡ଼ା ଚେକିଂ କରାଯାଉଛି । ଜୋତା ଖୋଲି ସମସ୍ତଙ୍କ ଚେକିଂ କରୁଛନ୍ତି ସୁରକ୍ଷାକର୍ମୀ । ଅନ୍ୟପଟେ ସଂସଦ ଉପରେ ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆ ଯାଇଛି । ସଂସଦରେ ପ୍ରବେଶ ପୂର୍ବରୁ ସୁରକ୍ଷାକର୍ମୀଙ୍କ ଦ୍ବାରା କଡ଼ା ଯାଞ୍ଚ ଚାଲିଛି ।