• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୁର୍ଗାପୂଜା ! ବଙ୍ଗଳା ଲୋକଙ୍କର ଭାବାବେଗକୁ ପ୍ରତିଫଳିତ କରେ । ଖୁବ୍‌ ଧୁମଧାମରେ ଏଠାରେ ମା’ଙ୍କ ପୂଜା କରାଯାଏ । ଦୁର୍ଗାପୂଜା(Durga Puja) ଦେଶବ୍ୟାପି ପାଳିତ ହେଉଥିଲେ ମଧ୍ୟ କୋଲକତାର ସ୍ୱତନ୍ତ୍ରତା ବେଶ ପ୍ରଶଂସନୀୟ । ବିଶେଷକରି କୋଲକତା ଦୁର୍ଗାପୂଜାକୁ ଦେଖିବା ପାଇଁ ଦେଶ ଏବଂ ଦେଶ ବାହାରୁ ପର୍ଯ୍ୟଟକମାନେ ଆସିଥାନ୍ତି। ତେବେ ଏଥର ଦୁର୍ଗାପୂଜାରେ ଅନେକ କିଛି ଭିନ୍ନ ହୋଇଥିବା ଦେଖିବାକୁ ମିଳୁଛି । କେଉଁଠି ମହିଳା ପୁରୋହିତଙ୍କ ଦ୍ୱାରା ମା’ଙ୍କ ଆବାହନ ହୋଇଛି ତ ଆଉ କେଉଁଠି ଗଳି ପିଲା (Street children) ଦୁର୍ଗାପୂଜା ମଣ୍ଡପକୁ ଉଦଘାଟନ କରିଛନ୍ତି । ଦକ୍ଷିଣ କୋଲକାତାର ତ୍ରିକୋଣ ପାର୍କର ଦୁର୍ଗା ମଣ୍ଡପରେ ଏପରି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ।

୭୩ ବର୍ଷ ଧରି ତ୍ରିକୋଣ ପାର୍କ ଅଞ୍ଚଳରେ ଦୁର୍ଗାପୂଜା ପାଳନ ହେଉଛି । ହେଲେ ସବୁଥର ପରି ଏଥର କୌଣସି ଭିଆଇପି କିମ୍ବା ନେତାମନ୍ତ୍ରୀଙ୍କ ଦ୍ୱାରା ପୂଜା ମଣ୍ଡପକୁ ଉଦଘାଟନ କରାଯାଇ ନାହିଁ ବରଂ ଗଳିର କୁନି କୁନି ପିଲାଙ୍କ ଦ୍ୱାରା ମା’ଙ୍କ ଆବାହନ କରାଯାଇଛି ।

ପୂଜା ମଣ୍ଡପର ସଭାପତି କହିଛନ୍ତି, ମା’ ଦୁର୍ଗାଙ୍କ ସ୍ୱାଗତ କରିଥିବା ପିଲାମାନେ ଯାଦବପୁର ରେଳ ଷ୍ଟେସନ ପାଖରେ ଥିବା ଅସ୍ଥାୟୀ ବସ୍ତିରେ ରୁହନ୍ତି । କାହାର ଘର ଅଛି ତ ଆଉ କିଏ ପଲିଥିନ୍‌ ତଳେ ଶୋଉଛି । ହେଲେ କୁନି କୁନି ପିଲାମାନେ ଏଥର ଦୁର୍ଗାପୂଜାରେ ସକ୍ରିୟ ଅଂଶଗ୍ରହଣ କରି ଏହି ପର୍ବର ଆନନ୍ଦକୁ ଦ୍ୱିଗୁଣିତ କରିଛନ୍ତି । ଉଚ୍ଚନୀଚ୍ଚ ଭେଦଭାବରୁ ଉର୍ଦ୍ଧ୍ୱକୁ ଯାଇ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ ପଶ୍ଚିମବଙ୍ଗରେ ପ୍ରତିବର୍ଷ ୪୦ ହଜାର ପେଣ୍ଡାଲରେ ପୂଜା ହେଉଛି । କେବଳ କୋଲକେତାରେ ଏହି ସଂଖ୍ୟା ୩ ହଜାର ରହିଛି । ପୂଜା ଯୋଗୁ ରାଜ୍ୟରେ ୩ରୁ ୪ ମାସ ଆର୍ଥିକ କାରବାର ବେଶ ଭଲ ରହିଥାଏ । ପୂଜା ବଜାର ୩ରୁ ୪ ମାସ ତଳକୁ ଆରମ୍ଭ ହୁଏ। ଏହାର ପ୍ରସ୍ତୁତ ଓ କାମରେ ପ୍ରାୟ ଅଢ଼େଇରୁ ୩ ଲକ୍ଷ ଲୋକ ସାମିଲ ହୋଇ ରୋଜଗାର କରିବାକୁ ସକ୍ଷମ ହୁଅନ୍ତି। ପୂଜା କମିଟି ଗୁଡ଼ିକ ଛୋଟଛୋଟ ଉଦ୍ୟୋଗ ଭାବେ କାମ କରିବା ସହ ଅନ୍ୟମାନଙ୍କୁ ନିଯୁକ୍ତି ଦିଅନ୍ତି।”