ପୁଅ ପାଇଁ ଯମଦୂତ ସାଜିଲା ବାପା ! ମାଡ଼ ଭୟରେ ଦୌଡ଼ି ପଳାଉଥିବା ବେଳେ ଝୁଣିଦେଲେ ବୁଲା କୁକୁର

ବାପା ମାଡ଼ ଭୟରେ ଦୌଡ଼ି ପଳାଉଥିଲା କୁନି ପୁଅ । ଝୁଣି ଝୁଣି ମାରିଦେଲେ ବୁଲା କୁକୁର ।

stray dog

ପୁଅ ପାଇଁ କାଳ ହେଲା ବାପା । ନାବାଳକଙ୍କୁ ଝୁଣି ଝୁଣି ମାରିଦେଲେ ବୁଲା କୁକୁର । ବାପାଙ୍କ ଠାରୁ ମାଡ଼ ଖାଇବା ଭୟରେ ଘରୁ ଦୌଡ଼ି ପଳାଇବା ସମୟରେ ଦୁର୍ଭାଗ୍ୟବଶତଃ କୁକୁର ହାବୁଡ଼ରେ ପଡ଼ିଗଲା କୁନି ପୁଅ । ନାବାଳକଙ୍କୁ କାମୁଡ଼ି କାମୁଡ଼ି ବୁଲା କୁକୁରମାନେ ମାରି ପକାଇଲେ । ଏପରି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଉତ୍ତରପ୍ରଦେଶର କନୌଜରେ । ବୁଧବାର ସକାଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନାବାଳକର ମୃତଦେହ ମିଳିବା ପରେ ଘଟଣା ସାମ୍ନାକୁ ଆସିଥିଲା ।

ଅଧିକ ପଢ଼ନ୍ତୁ: ମାତିଛନ୍ତି ବୁଲା କୁକୁର, କୁନି ଛୁଆଙ୍କୁ ବାହାରେ ଖେଳିବାକୁ ଛାଡ଼ିଲେ ରଖନ୍ତୁ ନଜର

ମୃତ ନାବାଳକ ଜଣଙ୍କ ହେଲେ ୧୨ ବର୍ଷୀୟ ପ୍ରିନ୍ସ । ପ୍ରିନ୍ସର ବାପା ଓମକାର ସବୁବେଳେ ନିଶାରେ ଚୁର୍‌ ରୁହନ୍ତି । ସବୁବେଳେ ନିଶା ସେବନ କରି ଘରକୁ ଫେରନ୍ତି, ଆଉ ସ୍ତ୍ରୀ ଓ ଛୁଆଙ୍କୁ ପିଟାମରା କରନ୍ତି । ଗତ ମଙ୍ଗଳବାର ମଧ୍ୟ ଓମକାର ନିଶା ସେବନ କରି ଘରକୁ ଫେରିଥିଲେ ଓ ପ୍ରିନ୍ସ ଓ ସ୍ତ୍ରୀକୁ ମାରପିଟ କରିଥିଲେ । ପ୍ରିନ୍ସ ଏତେ ଭୟଭୀତ ହୋଇପଡ଼ିଥିଲେ ଯେ ଭୟରେ ଘରୁ ଦୌଡ଼ି ପଳାଇଥିଲେ । ହେଲେ ବୁଧବାର ପର୍ଯ୍ୟନ୍ତ ଆଉ ସେ ଘରକୁ ଫେରିନଥିଲା ।

ପୁଅ ନଫେରିବାରୁ ତାଙ୍କ ମା’ ପାଖପଡ଼ିଶା ସମସ୍ତଙ୍କୁ ପଚରାଉଚରା କରିଥିଲେ । ହେଲେ ପ୍ରିନ୍ସର କୌଣସି ଖୋଜଖବର ମିଳିନଥିଲା । ପରେ ଥାନାରେ ଅଭିଯୋଗ କରାଯାଇଥିଲା । ପରେ ପୋଲିସ୍‌ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ ପ୍ରିନ୍ସର ମା’ । ଆଉ ଘରଠୁ ପ୍ରାୟ ଶହେ ମିଟର ଦୂରରେ ଏକ ସ୍ଥାନରେ ପୁଅ ପ୍ରିନ୍ସର ମୃତଦେହ ପଡ଼ିଥିବା ଦେଖିଥିଲେ । ପ୍ରିନ୍ସଙ୍କ ଶରୀର ସାରା କୁକୁର କାମୁଡ଼ା ଚିହ୍ନ ଦେଖିବାକୁ ମିଳିଥିଲା । ତେଣୁ କୁକୁର କାମୁଡ଼ାରେ ତା’ର ଜୀବନ ଚାଲି ଯାଇଥିବା କୁହାଯାଉଛି । ବର୍ତ୍ତମାନ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ପୋଲିସ୍‌ ।

ଅଧିକ ପଢ଼ନ୍ତୁ: ଝିଅକୁ ଦେଖି ଭୁକୁଥିଲା ପିଟ୍‌ବୁଲ୍‌, ରାଗରେ ‌ଥୋମଣି ଫଟେଇ ଦାନ୍ତ ଭାଙ୍ଗି ଦେଲା ବାପା