• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦୁଇ ଦିନରେ ପାଖାପାଖି ୨ଟଙ୍କା ଲେଖାଏଁ ମହଙ୍ଗା ହେଲାଣି ଉଭୟ ପେଟ୍ରୋଲ ଓ ଡିଜେଲ୍। ଯାହାର ସିଧାସଖଳ ପ୍ରଭାବ ଅତ୍ୟାବଶ୍ୟକ ସାମଗ୍ରୀ ଦର ଉପରେ ପଡ଼ିବା ଆରମ୍ଭ କଲାଣି । ଯୁଦ୍ଧ ପାଇଁ ଆଗକୁ କୁଆଡ଼େ ୨୦ଟଙ୍କା ଯାଏଁ ଦର ବଢ଼ିବା ଅନୁମାନ କରାଯାଉଛି । ଏଭଳି ସ୍ଥିତିରେ ବ୍ୟବସାୟୀ ସଂଘର ଅନୁମାନ, ଡିଜେଲ୍ ୨୦ଟଙ୍କା ବଢ଼ିଲେ ସାଧାରଣ ପରିବାରର ମାସିକ ଖର୍ଚ୍ଚ ହଠାତ୍ ଅଧିକ ୩ହଜାର ଟଙ୍କା ବଢ଼ିଯିବ । ମହଙ୍ଗା ମାଡ଼ରେ କଲବଲ ଜନତା କହିଲେଣି ତେଲ ଦର ବୃଦ୍ଧି ରୋକିବାକୁ ସରକାର ଗୁରୁତ୍ୱର ସହ ବିଚାର କରନ୍ତୁ ।

ତେଲ ଦର ବଢ଼ିଲା, ପକେଟକୁ ବାଧିଲା । ଆଗକୁ ଆହୁରି ବଢ଼ିବ, ଘର ବଜେଟ୍ ବିଗିଡ଼ିବ । ଖାଇବା ତେଲ ମାଡ଼ରେ ଅସ୍ତବ୍ୟସ୍ତ ଖାଉଟିଙ୍କୁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହେବନି ତ ପେଟ୍ରୋଲ, ଡିଜେଲ ଦରବୃଦ୍ଧି ? ମହଙ୍ଗା ତେଲ ପାଇଁ ବଢ଼ିଯିବନି ତ ଅତ୍ୟାବଶ୍ୟକ ସାମଗ୍ରୀ ଦର ? ଏଥିପାଇଁ କେତେ ତଣ୍ଡ ଗଣିବେ ଗରିବ ଓ ମଧ୍ୟବିତ୍ତ ? ରୁଷ୍-ୟୁକ୍ରେନ୍ ଯୁଦ୍ଧ ପାଇଁ ଆମ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଲିଟର ପିଛା ୧୮ରୁ ୨୦ ଟଙ୍କା ବଢ଼ିବା ସମ୍ଭାବନା ଥିବା ବଜାର ବିଶେଷଜ୍ଞଙ୍କ ଆକଳନ ପରେ ସଭିଙ୍କୁ ଘାରିଲାଣି ଚିନ୍ତା ।

ପରିବହନ ସଂଘର ସଭାପତି ନିରଞ୍ଜନ ପ୍ରହରାଜଙ୍କ ହିସାବ ଅନୁଯାୟୀ, ଡିଜେଲ ଦର ୫ ଟଙ୍କା ବଢ଼ିଲେ, ବିଭିନ୍ନ ସାମଗ୍ରୀର ପରିବହନ ଖର୍ଚ୍ଚ କିଲୋପିଛା ୫୦ ପଇସାରୁ ୧ ଟଙ୍କା ଯାଏଁ ବୃଦ୍ଧି ଘଟିବ । ତେଣେ ଓଡ଼ିଶା ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ କହିଛନ୍ତି, ତେଲ ଦର ଲିଟର ପିଛା ଟଙ୍କାଏ ବଢ଼ିଲେ, ଗୋଟିଏ ୫ ସଦସ୍ୟ ବିଶିଷ୍ଟ ପରିବାରର ମାସିକ ଖର୍ଚ୍ଚ ପଡ଼ିବ ଅଧିକ ୨ଶହ ଟଙ୍କା । ଅର୍ଥାତ୍ ଯଦି ଡିଜେଲ ଦର ୧୫ ଟଙ୍କା ମହଙ୍ଗା ହୋଇଯିବ, ତାହାଲେ ମାସିକ ଖର୍ଚ୍ଚରେ ଯୋଡି ହୋଇଯିବ ଆଉ ୩ ହଜାର ଅଧିକ ଟଙ୍କା ।

 

କାଲି ଯେତିକି ବଢ଼ିଥିଲା, ଆଜି ବି ପାଖାପାଖି ସେତିକି ବଢ଼ିଛି ପେଟ୍ରୋଲ ଓ ଡିଜେଲ୍ ଦର । ଆଜି ପେଟ୍ରୋଲ ଲିଟର ପିଛା ୯୫ ପଇସା ଓ ଡିଜେଲ ୯୧ ପଇସା ବଢ଼ିଛି । ଏହାକୁ ମିଶାଇ ଦୁଇ ଦିନ ଭିତରେ ପେଟ୍ରୋଲ ୧ ଟଙ୍କା ୯୧ ପଇସା ଓ ଡିଜେଲ ୧ ଟଙ୍କା ୮୨ ପଇସା ମହଙ୍ଗା ହେଲାଣି । ଯାହାକୁ ନେଇ ଚିନ୍ତାରେ ସାଧାରଣ ଖାଉଟି । ସେମାନଙ୍କ ଦାବି ଏ ପ୍ରସଙ୍ଗକୁ ଗୁରୁତ୍ୱର ସହ ବିଚାର କରନ୍ତୁ ସରକାର । ଟିକସ କମାଇ ଦରବୃଦ୍ଧି ତାଉରୁ ଲୋକଙ୍କୁ ଆଶ୍ୱସ୍ତି ଦିଅନ୍ତୁ ନହେଲେ ଆଗକୁ ଅବସ୍ଥା ସଂଗୀନ ହୋଇଯିବ ।

ମହଙ୍ଗା ମାଡ଼ରେ ତ୍ରାହି ତ୍ରାହି ଡାକୁଥିବା ସାଧାରଣ ଖାଉଟିଙ୍କୁ କେବେ ମିଳିବ ଆଶ୍ୱସ୍ତି ? ବଜାର ବିଶେଷଜ୍ଞଙ୍କ ମତ, ରୁଷ-ୟୁକ୍ରେନ୍ ଯୁଦ୍ଧର ଅବସାନ ଘଟିଲେ ହିଁ ଖସିବ ଅଶୋଧିତ ତେଲ ଦର ।

ରିପୋର୍ଟର- କପିଳେନ୍ଦ୍ର ପ୍ରଧାନ