• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କାଲି ପୁଣି ହାଜର ହେବାକୁ ରାହୁଲ ଗାନ୍ଧିଙ୍କୁ EDର ସମନ । ଆଜି ଦୁଇ ପର୍ଯ୍ୟାୟରେ ୧୦ ଘଣ୍ଟାର ଜେରା ପରେ ପୁଣି ରାହୁଲଙ୍କୁ ସମନ ହୋଇଛି । ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲଙ୍କୁ ପଚରାଉଚରା ଚାଲିଛି । 

ଦେଶର ସବୁ ଇଡି ଅଫିସ୍‌ରେ କଂଗ୍ରେସ ଦଳର ପ୍ରତିବାଦ, ବିକ୍ଷୋଭ ଦେଖିବାକୁ ମିଳିଛି । ବହୁଚର୍ଚ୍ଚିତ ନ୍ୟାସ୍‌ନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲାରେ ରାହୁଲ୍‌ଙ୍କୁ ଇଡି ସମନ୍ ଓ ଜେରାକୁ ନେଇ ଦିନ ତମାମ୍ ହାଇଡ୍ରାମା । ନ୍ୟାସନାଲ୍ ହେରାଲ୍ଡ ଖବରକାଗଜ ସଂସ୍ଥାକୁ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଠାରୁ କିଣିଥିବା କଂପାନୀ ୟଙ୍ଗ୍ ଇଣ୍ଡିଆନ୍ ଲିମିଟେଡ୍‌ର ବୋର୍ଡ ଅଫ୍ ଡିରେକ୍ଟର୍ସ ଅଛନ୍ତି ସୋନିଆ ଓ ରାହୁଲ । ତେଣୁ ଏହି ମାମଲାରେ ଉଭୟଙ୍କ ସଂପୃକ୍ତି ସନ୍ଦେହ ଘେରରେ ଥିବାରୁ ସମନ୍ ପାଇ ଆଜି ପ୍ରାୟ ସାଢ଼େ ୧୧ଟାରେ ଇଡି ଅଫିସ୍‌ରେ ପହଞ୍ଚିଥିଲେ ରାହୁଲ ।

ଏହାପରେ ଆରମ୍ଭ ହୋଇଥିଲା ମାରାଥନ୍ ଜେରା । ପ୍ରିଭେନ୍ସନ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ ବା ବା PMLAର ଧାରା ୫୦ ଅଧୀନରେ ରାହୁଲଙ୍କ ବୟାନ ରେକର୍ଡ କରିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୩ ଜଣିଆ ଟିମ୍ । ଜଣେ ଆସିଷ୍ଟାଣ୍ଟ୍ ଡିରେକ୍ଟର ରାହୁଲଙ୍କୁ ପ୍ରଶ୍ନ ପଚାରୁଥିବା ବେଳେ, ଡେପୁଟି ଡିରେକ୍ଟର ଏହାର ଅନୁଧ୍ୟାନ କରିଥିବା ଏବଂ ଅନ୍ୟ ଜଣେ ଅଧିକାରୀ ବୟାନ ରେକର୍ଡ କରିଥିବା ସୂଚନା ମିଳିଛି । 

ରାହୁଲଙ୍କୁ ଇଡି ପଚାରିଥିବା କିଛି ସମ୍ଭାବ୍ୟ ପ୍ରଶ୍ନ 
୧- ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍‌ରେ ଆପଣଙ୍କ ପଦବୀ କଣ ଥିଲା?
୨- ୟଙ୍ଗ୍ ଇଣ୍ଡିଆନ୍ ଲିମିଟେଡ୍ ସହିତ ସଂପର୍କ କଣ?
୩- ଆପଣ କାହିଁକି ନିଜ ନାଁରେ ସେୟାର୍ ରଖିଥିଲେ?
୪- ପୂର୍ବର ସେୟାରହୋଲ୍ଡର୍‌ଙ୍କ ସହ ଆପଣଙ୍କର କେବେ ମିଟିଂ ହୋଇଛି କି?
୫- ୟଙ୍ଗ୍ ଇଣ୍ଡିଆନ୍ ଲିମିଟେଡ୍‌କୁ ଋଣ ଦେବା ପାଇଁ କଂଗ୍ରେସ କାହିଁକି ନିଷ୍ପତ୍ତି ନେଇଥିଲା?
୬- ୟଙ୍ଗ୍ ଇଣ୍ଡିଆନ୍ ଲିମିଟେଡ୍‌କୁ କଂଗ୍ରେସ ଦେଇଥିବା ଋଣର ବିସ୍ତୃତ ବିବରଣୀ ଦିଅନ୍ତୁ । 
୭- ନ୍ୟାସନାଲ୍ ହେରାଲ୍ଡର ପୁନରୁଦ୍ଧାର ପଛରେ କଂଗ୍ରେସର କଣ ନିଷ୍ପତ୍ତି ରହିଛି?
୮- ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ ଓ ନ୍ୟାସନାଲ ହେରାଲ୍ଡର ସଂପତ୍ତିର ବିସ୍ତୃତ ବିବରଣୀ ଦିଅନ୍ତୁ ।

ଗୋଟିଏ ପଟେ ରାହୁଲଙ୍କୁ ଜେରା ଚାଲିଥିଲା ତ ଏହାର ପ୍ରତିବାଦରେ ଦେଶବ୍ୟାପୀ ରାସ୍ତାକୁ ଓହ୍ଲାଇଥିଲା କଂଗ୍ରେସ । ବିଭିନ୍ନ ରାଜ୍ୟର ଇଡି କାର୍ୟ୍ୟାଳୟ ଆଗରେ ଶୋଭାଯାତ୍ରା, ବିକ୍ଷୋଭ, ନାରାବାଜି ଢଙ୍ଗରେ ପ୍ରତିବାଦ ପ୍ରଦର୍ଶନ କରିଥିଲା ଦଳ । ସିଆରପି ଛକ ନିକଟରୁ ପଦ ଯାତ୍ରାରେ ଆସି ଭୁବନେଶ୍ୱରସ୍ଥିତ ଇଡି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ କଂଗ୍ରେସ କର୍ମୀ ।

ଅନ୍ୟପକ୍ଷରେ କଂଗ୍ରେସର ଏଭଳି ପ୍ରତିବାଦ ଶୋଭାଯାତ୍ରା ଓ ବିକ୍ଷୋଭକୁ ତୀବ୍ର ସମାଲୋଚନା କରିଛି ବିଜେପି । ତଦନ୍ତକାରୀ ସଂସ୍ଥା ଉପରେ ଚାପ ସୃଷ୍ଟି କରିବା ସହ ଗାନ୍ଧି ପରିବାରର ୨ହଜାର କୋଟିକୁ ସୁରକ୍ଷା ଦେବା ପାଇଁ ଦଳ ଦୁର୍ନୀତିର ସମର୍ଥନରେ ରାସ୍ତାକୁ ଓହ୍ଲାଇଛି ବୋଲି ଅଭିଯୋଗ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଏହା କଂଗ୍ରେସର ସତ୍ୟାଗ୍ରହ ନୁହେଁ ବରଂ ମିଥ୍ୟାଗ୍ରହ ବୋଲି କହି କଟାକ୍ଷ କରିଛନ୍ତି ।

ମାମଲାରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ମଧ୍ୟ ଇଡି ସମନ୍ କରିଛି । ଜୁନ୍ ୨୩ରେ ହାଜର ହେବାକୁ ତାଙ୍କୁ କୁହାଯାଇଛି ।