• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଋଣ ଉପରେ ଗ୍ରାହକଙ୍କୁ ଗଣିବାକୁ ପଡ଼ିବ ଅଧିକ ସୁଧ । ଗତକାଲି ଆର୍‌ବିଆଇ ରେପୋ ରେଟ ୦.୪ ପ୍ରତିଶତ ବା ୪୦ ବେସିସ ପଏଣ୍ଟ ବଢାଇବା ପରେ ସୁଧ ବଢିବା ନିଶ୍ଚିତ ହୋଇଛି । ବିଶେଷଜ୍ଞଙ୍କ ମତରେ ରେପୋ ରେଟ୍ ୦.୪ ଅନୁସାରେ ବ୍ୟାଙ୍କଗୁଡିକ ସୁଧହାରକୁ ୦.୪ରୁ ୦.୫ ପଯର୍ୟନ୍ତ ବଢାଇପାରନ୍ତି । ଫଳରେ ଘର, ଗାଡ଼ି ଓ ଅନ୍ୟାନ୍ୟ ଋଣ ଉପରେ ଇଏମ୍ଆଇ ବଢିବ । ଗୋଟେ ପଟେ ବଜାରରେ ମହଙ୍ଗା ମାଡ଼ ଅନ୍ୟପଟେ ସୁଧ ହାର ବୃଦ୍ଧି, ବୋଝ ଉପରେ ଲଳିତା ବିଡ଼ା ହେବ ବୋଲି କହିଛନ୍ତି ସାଧାରଣ ଲୋକେ । ତେବେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବାକୁ ହିଁ ରେପୋ ଓ ସିଆରଆରକୁ ବଢାଯାଇଥିବା କହିଥିଲେ ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ବଢିବ ସୁଧ ହାର ଅର୍ଥାତ ଇଏମ୍ଆଇ ବଢିବାକୁ ଯାଉଛି । କାହିଁକି ନା ୦.୪ରୁ ୦.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ବଢାଇ ପାରନ୍ତି ବ୍ୟାଙ୍କ । ଗତକାଲି ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌କୁ ୦.୪ ପ୍ରତିଶତ ବା ୪୦ ବେସିସ ପଏଣ୍ଟ ବଢାଇବା ପରେ ଋଣ ଉପରେ ସୁଧହାର ବଢିବା ନିଶ୍ଚିତ ହୋଇଯାଇଛି । ଫଳରେ ଋଣ ବାବଦକୁ ଗ୍ରାହକଙ୍କ ମାସିକ କିସ୍ତି ବା EMI ମଧ୍ୟ ବୃଦ୍ଧି ପାଇବ ।

ଯଦି ସୁଧହାର ୦.୪ରୁ ୦.୫ ପ୍ରତିଶତ ଯାଏ ବଢେ, ତେବେ ଋଣ ଗ୍ରହିତାଙ୍କୁ କେତେ ଅଧିକ ଅର୍ଥ ଦେବାକୁ ପଡିବ ? ଅର୍ଥାତ ଜଣେ ବ୍ୟକ୍ତି ଯଦି ୨୦ ବର୍ଷ ପାଇଁ ୩୦ ଲକ୍ଷ ଟଙ୍କା ଋଣ କରିଛନ୍ତି । ନୂଆ ସୁଧ ହାର ଲାଗୁ ହେଲେ ତାଙ୍କ ଇଏମ୍ଆଇ ପ୍ରାୟ ୨୫୦ ଟଙ୍କା ବଢିବ ବୋଲି ଆକଳନ କରାଯାଇଛି । ନଚେତ୍ ପରିଶୋଧର ସମୟ ୨୦ ବର୍ଷ ପରିବର୍ତ୍ତେ ୨୧ ବର୍ଷ ୬ ମାସ ହେବ ବୋଲି କୁହାଯାଉଛି । ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ନିଅଣ୍ଟିଆ ସ୍ଥିତି, ଅଶୋଧିତ ତୈଳର ଅହେତୁକ ଦରବୃଦ୍ଧି ଓ ଏହି କାରଣରୁ ବଢିଚାଲିଥିବା ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ ଲାଗି ଗତକାଲି ଆଶ୍ଚଯର୍ୟଜନକ ଭାବେ ରେପୋ ରେଟ୍ ଓ କ୍ୟାସ୍ ରିଜର୍ଭ ରେସିଓ ବଢାଇବାକୁ ନିଷ୍ପତ୍ତି ନେଇଥିଲା RBI ।

ନୂଆ ସୁଧହାର ଲାଗୁ ହେଲେ ଗୃହ, କାର ସମେତ ବାଣିଜ୍ୟ ଓ ପର୍ସନାଲ ଲୋନ୍ ଇଏମଆଇ ବୃଦ୍ଧି ପାଇବ । ଏହାକୁ ନେଇ ଚିନ୍ତାରେ ଗ୍ରାହକ କାରଣ, ରିଜର୍ଭ ବ୍ୟାଙ୍କର ପଦକ୍ଷେପ ଦ୍ୱାରା ଦରଦାମ ନିୟନ୍ତ୍ରଣକୁ ଆସିବ ନା ନାହିଁ ତାହା ତ ପରକଥା । ମାତ୍ର ଋଣ ବାବଦକୁ ସେମାନଙ୍କୁ ତୁରନ୍ତ ପକେଟ୍‌ରୁ ଅଧିକ ଟଙ୍କା ଭରିବାକୁ ପଡିବ । କୋଭିଡ୍ ମାଡରେ ବ୍ୟବସାୟ ମାନ୍ଦା ଥିବାରୁ ୨ ବର୍ଷ ହେଲା ଋଣ ଗ୍ରହିତା ଟଙ୍କା ପରିଶୋଧ କରିବାରେ ନାକେଦମ୍ ହେଉଥିବାର ଦେଖିବାକୁ ମିଳିଛି ।

ଏବେ ଇଏମଆଇ ବଢିବା ବୋଝ ଉପରେ ଲଳିତା ବିଡ଼ା ହେବ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ସୁଧହାର ବୃଦ୍ଧି ଲୋନ୍ ନେବାକୁ ବ୍ୟବସାୟୀଙ୍କୁ ନିରୁତ୍ସାହିତ କରିବ । ଏହାଦ୍ୱାରା ରିୟଲ ଇଷ୍ଟେଟ୍ କ୍ଷେତ୍ର ବେଶୀ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ଫଳରେ ଅଭିବୃଦ୍ଧି ହାର ଉପରେ ପ୍ରତିକୁଳ ପ୍ରଭାବ ପଢିବା ଆଶଙ୍କା ବି ବଢିଛି ।

ମହାମାରୀ ସମୟରେ ୨ ଥରରେ ଏକ ପ୍ରତିଶତରୁ ଅଧିକ ରେପୋ ରେଟ କମାଇଥିଲା ଆର୍‌ବିଆଇ । ତେବେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ବାହାରକୁ ଯିବା ପରେ ରେପୋ ରେଟ୍ ବଢାଇବାକୁ ବାଧ୍ୟ ହୋଇଛନ୍ତି ରିଜର୍ଭ ବ୍ୟାଙ୍କ । ସେହିପରି ସିଆରଆରକୁ ବି ୦.୫ ପ୍ରତିଶତ ବଢାଇ ୪.୫ ପ୍ରତିଶତ କରିଛନ୍ତି । ଫଳରେ ବଜାରରେ ନଗଦ ରାଶି ପରିମାଣ ପ୍ରାୟ ୮୭ ହଜାର କୋଟି ଟଙ୍କା ହ୍ରାସ ପାଇବ । ଏହାସତ୍ତ୍ୱେ ଯଦି ମୁଦ୍ରାସ୍ପୀତରେ ବ୍ରେକ୍ ନଲାଗେ, ତେବେ ଆଗାମୀ ଦିନରେ ରେପୋ ରେଟ୍‌କୁ ରିଜର୍ଭ ବ୍ୟାଙ୍କ ଆହୁରି ବଢାଇବା ସମ୍ଭାବନା ରହିଛି ।

ରିପୋର୍ଟର- ସୌମ୍ୟରଞ୍ଜନ ସାହୁ