• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଲକାତା : ଦାଦାଙ୍କୁ ହୋଇନି ଓମିକ୍ରନ୍ । ଡେଲଟା ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ‍ବୋର୍ଡ (ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି । ଡାକ୍ତରଖାନାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସେ ଗୁରୁତର ନଥିବାରୁ ଆଠ ଦିନ ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବର୍ତ୍ତମାନ କ୍ୱାରେଣ୍ଟିନ୍‌ରେ ରହି ସୁସ୍ଥ ହୋଇପାରିବେ ବୋଲି ସେ କହିଛନ୍ତି।

କରୋନାରେ ସଂକ୍ରମିତ ହେବା ପରେ ଗାଙ୍ଗୁଲିଙ୍କ ନମୁନା ପରୀକ୍ଷଣ ହୋଇଥିଲା । ଏଥିରେ ସେ ଡେଲଟା ଭାରିଆଣ୍ଟ ଯୋଗୁଁ ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡ଼ିଥିଲା । ତେବେ ରିପୋର୍ଟ ଓମିକ୍ରନ ନେଗେଟିଭ୍ ଆସିବା ପରେ ଗାଙ୍ଗୁଲିଙ୍କୁ ଡିସଚାର୍ଜ କରାଯାଇଛି । ଆସନ୍ତା ୧୪ ଦିନ ପାଇଁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କୁ ଘରେ ରଖାଯିବ । ଖୁବ ଶୀଘ୍ର ସେ ସୁସ୍ଥ ହୋଇଯିବେ ବୋଲି କୁହାଯାଉଛି । ଆରଟିପିସିଆର୍ ରିପୋର୍ଟରେ ପଜିଟିଭ୍ ଆସିବା ପରେ ୪୯ ବର୍ଷିୟ ଗାଙ୍ଗୁଲିଙ୍କୁ ଗତ ସୋମବାର ରାତିରେ ବୁଡଲେଣ୍ଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ତାଙ୍କୁ ଅବଜରଭେସନ୍‌ରେ ରଖିଥିଲେ । ଓମିକ୍ରନ୍ ଭାରି‌ଆଣ୍ଟର ଯାଞ୍ଚ ପାଇଁ ଜିନୋମ ସିକ୍ୱେନ୍ସିଂ ପାଇଁ ନମୁନା ପଠାଯାଇଥିଲା ।

ଅନ୍ୟପଟେ ଗତ ବର୍ଷ ଆରମ୍ଭରେ ମଧ୍ୟ ଅସୁସ୍ଥତା ହେତୁ ସୌରଭ ଗାଙ୍ଗୁଲିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା । ଜାନୁୟାରୀ ୨୦୨୧ରେ ସୌରଭ ଗାଙ୍ଗୁଲିଙ୍କର ହୃଦଘାତ ହୋଇଥିଲା, ଆଉ ଏଥିପାଇଁ ତାଙ୍କୁ କିଛି ଦିନ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଉ ସେହି ସମୟରେ ସୌରଭ ଗାଙ୍ଗୁଲିଙ୍କର ଗୋଟିଏ ମାସରେ ଦୁଇଥର ଆଞ୍ଜିଓପ୍ଲାଷ୍ଟି (angioplasty ) କରିବାକୁ ପଡିଲା । ଆଞ୍ଜିଓପ୍ଲାଷ୍ଟି ରିପୋର୍ଟରୁ ତାଙ୍କ ହାର୍ଟରେ ତିନିଟି ବ୍ଲକେଜ୍ ହୋଇଥିବା ଜଣାପଡ଼ିଥିଲା । ତେବେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ଓ ନିରନ୍ତର କାମ କରୁଥିଲେ ।

ସୂଚନାଯୋଗ୍ୟ ନିକଟରେ ଟିମ୍ ଇଣ୍ଡିଆରେ ଅଧିନାୟକ ପଦକୁ ନେଇ ବିବାଦ ଦେଖାଦେଇଥିବା ସମୟରେ ସୌରଭ ଗାଙ୍ଗୁଲି କ୍ରମାଗତ ଭାବରେ ଚର୍ଚ୍ଚାରେ ରହି ଆସିଛନ୍ତି । କିଛି ସମୟ ପୂର୍ବରୁ ଯେତେବେଳେ ବିରାଟ କୋହଲିଙ୍କୁ ODI ଦଳର ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା, ସେତେବେଳେ ସୌରଭ ଗାଙ୍ଗୁଲି ଏସପର୍କରେ ଏକ ବିବୃତି ଦେଇଥିଲେ । ବିରାଟଙ୍କୁ ଟି -20 ର ଅଧିନାୟକ ପଦ ନଛାଡିବାକୁ କହିଥିଲେ, କିନ୍ତୁ ସେ ଏଥିରେ ସହମତ ହୋଇନଥିଲେ ବୋଲି କହିଥିଲେ ।