• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭରତପୁର : ଟଙ୍କାର ମୋହ ଆଗରେ ତୁଚ୍ଛ ହୋଇଗଲା ସମ୍ପର୍କ । ସାମାନ୍ୟ କେଇଟା ଟଙ୍କା ପାଇଁ ଜୀବନ୍ତ ଠାକୁର ବାପାଙ୍କୁ ହତ୍ୟା କଲା ପୁଅ । ରାଜସ୍ଥାନର ଭରତପୁର ଜିଲ୍ଲାରେ ଏପରି ଏକ ଘଟଣା ଘଟିଛି । ଭରତପୁରର ଡିଗ୍ ଥାନା ଅଞ୍ଚଳରେ ଦୁଇ ସହଯୋଗୀଙ୍କ ସହ ମିଶି ଜଣେ କୁଳାଙ୍ଗାର ପୁଅ ବାପାଙ୍କୁ ହାତୁଡ଼ିରେ ବାଡ଼େଇ ଅତି ନିର୍ମମ ଭାବରେ ହତ୍ୟା କରିଛି । ଅଭିଯୁକ୍ତମାନେ ୨୪ ଡିସେମ୍ବର ବିଳମ୍ବିତ ରାତିରେ ଏହି କାଣ୍ଡ ଘଟାଇଥିଲେ । ହତ୍ୟା ମାମଲାରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ହତ୍ୟା ଘଟଣା ଉପରୁ ପରଦା ଉଠିଲା ପରେ ପୋଲିସର ପାଦ ତଳୁ ମଧ୍ୟ ମାଟି ଖସି ଯାଇଥିଲା । ବର୍ତ୍ତମାନ ପୋଲିସ ପୂରା ଘଟଣାର ତଦନ୍ତ କରୁଛି ।

ଡିଗ୍ ଥାନା ଅଞ୍ଚଳର ନାଗଲା ଭଦାଇ ଗାଁର ବାସିନ୍ଦା ଥିଲେ ମୃତକ ମୋହକମ । ସେ ତାଙ୍କ ପୁଅ ରାଜେଶଙ୍କ ସହ ଫରିଦାବାଦରେ ରହୁଥିଲେ । ପ୍ରାୟ ଚାରିମାସ ପୂର୍ବେ ରାଜେଶ ତାଙ୍କ ପିତା ମୋହକାମଙ୍କ ନାମରେ ଚାରୋଟି ଭିନ୍ନ ଭିନ୍ନ ବ୍ୟାଙ୍କରେ ୪୦ ଲକ୍ଷ ଟଙ୍କାର ବୀମା କରାଇଥିଲେ । ହେଲେ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ତାଙ୍କ ପାଖରେ ଧୈର୍ଯ୍ୟ ନଥିଲା । ବୀମା ଟଙ୍କା ଉଠାଇବାକୁ ସେ ଷଡ଼ଯନ୍ତ୍ର ରଚିଲେ । ବାପାକୁ ହତ୍ୟା କରିବାକୁ ପ୍ରସ୍ତୁତ ହେଲା ଯୋଜନା ।

ଡିସେମ୍ବର ୨୪ର କାଳ ରାତିରେ ବାପାଙ୍କୁ ହତ୍ୟା

ପୋଲିସର ପ୍ରାଥମିକ ଅନୁସନ୍ଧାନ ଅନୁସାରେ ଡିସେମ୍ବର ୨୪ରେ ରାଜେଶ ଯୋଜନାବଦ୍ଧ ଭାବରେ ବନ୍ଧୁମାନଙ୍କ ସହ ବାପାଙ୍କୁ ଘରକୁ ଆଣିଥିଲେ । ସନ୍ଧ୍ୟାରେ ରାସ୍ତାରେ ରାଜେଶ ତାଙ୍କ ବାପା ଓ ତାଙ୍କ ସାଥୀମାନଙ୍କୁ ପ୍ରଥମେ ମଦ୍ୟପାନ କରାଇଥିଲେ । ଏହା ପରେ ଡିଗ୍ ପୋଲିସ୍ ଥାନା ଅନ୍ତର୍ଗତ ଦିଡାୱାଲି ଗାଁ ନିକଟରେ ସୁଯୋଗ ଦେଖି ସାଥୀଙ୍କ ସହ ବାପାଙ୍କୁ ଏକ ହାତୁଡ଼ିରେ ପିଟିପିଟି ହତ୍ୟା କରିଥିଲେ । ପରେ ମୃତଦେହକୁ ରାସ୍ତା କଡ଼ରେ ଫୋପାଡି ଦିଆଯାଇଥିଲା । ଆଉ ହତ୍ୟାକୁ ଦୁର୍ଘଟଣାର ରୂପ ଦିଆଯାଇଥିଲା ।

ହେଲେ ରାତିରେ ବୁଲୁଥିବା ବେଳେ ଧରାପଡ଼ିଥିଲେ ତିନିଜଣ

ଅପରାଧ କରିବା ପରେ ବିଳମ୍ବିତ ରାତି ରାଜେଶ ଏବଂ ତାଙ୍କ ସହଯୋଗୀମାନେ ମଦ୍ୟପାନ କରି ରାସ୍ତାରେ ଏଣେତେଣେ ବୁଲୁଥିଲେ । ପୋଲସ୍ ପାଟ୍ରୋଲିଂ କରୁଥିବା ସମୟରେ ତିନି ଜଣ ଧରାପଡିଥିଲେ । କୌଣସି ସନ୍ତୋଷଜନକ ଉତ୍ତର ନପାଇ ଶାନ୍ତି ଭଙ୍ଗ କରିବା ଅଭିଯୋଗରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଅନ୍ୟପଟେ ଡିସେମ୍ବର ୨୫ ଦିନ ସକାଳେ ପୋଲିସ ସୂଚନା ପାଇଥିଲା, ଦିଦାୱାଲି ଗ୍ରାମ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି ।

ସମ୍ପର୍କୀୟଙ୍କ ସୂଚନା ପରେ ସନ୍ଦେହ ଘେରକୁ ଆସିଥିଲେ ରାଜେଶ

ମୃତକଙ୍କ ସମ୍ପର୍କୀୟ ମାନେ ପୋଲିସକୁ ମୋହକାମଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ । ତାଙ୍କ ଆଧାର କାର୍ଡ ଆଧାରରେ ପୋଲିସ ମୃତଦେହ ବିଷୟରେ ସୂଚନା ସଂଗ୍ରହ କରିଥିଲା । ମୃତକ ମୋହକମ ଭଦାଇ ଗାଁର ବାସିନ୍ଦା ବୋଲି ଜଣା ପଡିଥିଲା । ତେବେ ମୋହକମଙ୍କ ନାଁରେ ନିକଟରେ ୪୦ ଲକ୍ଷ ଟଙ୍କାର ବୀମା କରାଯାଇଥିବା ସମ୍ପର୍କୀୟ ପୋଲିସ୍‌ଙ୍କୁ କହିଥିଲେ । ଆଉ ତା’ପରେ ପୁଅ ଉପରେ ପୋଲିସ୍‌ର ସନ୍ଦେହ ଘନୀଭୂତ ହୋଇଥିଲା ।

ପଚରାଉଚରା କରିବା ପରେ ଧରାପଡ଼ିଥିଲେ ହତ୍ୟାକାରୀ । ଟଙ୍କା ପାଇଁ ବାପାଙ୍କୁ କିପରି ନିର୍ମମ ହତ୍ୟା କରିଥିଲେ, ଗୋଟି ଗୋଟି କରି ପୋଲିସ ସାମ୍ନାରେ ଉଗାରିଲା ପୁଅ । ଶେଷରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ ।