• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୋସିଆଲ ମିଡିଆର ବ୍ୟବହାର ଓ ପ୍ରଭାବକୁ ନେଇ ଚେତାଇ ଦେଲେ ସୁପ୍ରିମକୋର୍ଟ । ଯଦି କେହି ସୋସିଆଲ ମିଡିଆର କୌଣସି ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି, ତେବେ ଏହାର ପ୍ରଭାବକୁ ନେଇ ସଚେତନ ହେବା ଆବଶ୍ୟକ । କାରଣ ସାମାନ୍ୟତମ ଅବହେଳାରୁ ଭୟଙ୍କର ଘଟଣା ଘଟିପାରେ । ଠିକ୍‌ ଏମିତି ଘଟଣା ସାମ୍ନାକୁ ଆସିଛି ତାମିଲନାଡୁରୁ । ସେଠାକାର ଜଣେ ପୂର୍ବତନ ବିଧାୟକ ତଥା ଅଭିନେତାଙ୍କ ଫେସବୁକ୍‌ ଆକାଉଣ୍ଟରୁ ଏକ ଅଶ୍ଲୀଳ ଭିଡିଓ ପୋଷ୍ଟ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ସଂପୃକ୍ତ ନେତାଙ୍କୁ ସୁପ୍ରିମକୋର୍ଟ ଯାଏଁ ଟାଣିଛି ।

ଜାଣନ୍ତୁ କଣ ଥିଲା ଘଟଣା..

ତାମିଲନାଡ଼ୁର ଜଣେ ନେତା କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କ ଅଶ୍ଲୀଳ ଭିଡିଓ ନିଜ ଫେସବୁକ୍‌ ଆକାଉଣ୍ଟରୁ ପୋଷ୍ଟ କରିଥିଲେ । ଯାହା ମାତ୍ର କେଇ ମୁହୂର୍ତ୍ତରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୁରି ବୁଲିଥିଲା । ଯାହାକୁ ନେଇ ସଂପୃକ୍ତ ନେତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ମାମଲାର ଗମ୍ଭୀରତାକୁ ବିଚାର କରି ପୋଲିସ କେସ୍‌ ରୁଜୁ କରିଥିଲା । ପରବର୍ତ୍ତୀ ସମୟରେ ଜିଲ୍ଲା କୋର୍ଟରୁ ହାଇକୋର୍ଟକୁ ଯାଇଥିଲା ମାମଲା । ସେଠାରେ ଅଭିଯୁକ୍ତ ନେତା ଜଣକ କହିଥିଲେ କି, ମୋ ଅଜାଣତରେ ଏହି ପୋଷ୍ଟଟି ସେୟାର ହୋଇଛି । ସେୟାର କିଛି ସମୟ ମଧ୍ୟରେ ଏହାକୁ ଡିଲିଟ୍‌ କରାଯାଇଛି ।

ତେବେ ମାମଲା ସମାଧାନ ହୋଇନପାରିବାରୁ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିଲା । ସୁପ୍ରିମକୋର୍ଟର ଏକ ବେଞ୍ଚ ଜଷ୍ଟିସ ବି.ଆର୍‌.ଗଭାଇ ଓ ପି.କେ.ମିଶ୍ର ଏହାର ଶୁଣାଣି କରିଥିଲେ । ଗୁରୁତ୍ୱପୂର୍ଣ୍ଣ ରାଏ ବେଳେ ବେଞ୍ଚ କହିଥିଲେ ଯଦି କେହି ସୋସିଆଲ୍‌ ମିଡିଆ ବ୍ୟବହାର କରୁଛନ୍ତି, ତେବେ ବିବାଦ ଉପୁଜିଲେ ତାକୁ ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ ।

ବର୍ତ୍ତମାନ ସମୟରେ ଯୁବପିଢ଼ି ସୋସିଆଲ ମିଡିଆରେ ନିଜକୁ ଏମିତି ହଜେଇ ଦେଉଛନ୍ତି ଯେ ଭୁଲ୍‌ ଠିକ୍‌ର ବିଚାର କରିପାରୁନାହାନ୍ତି । ସେଥିପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଯୁବପିଢ଼ିଙ୍କୁ ସଚେଚନ କରିବା ପାଇଁ ଏମିତି ରାଏ ଶୁଣାଯାଇଛି ।