ଏବେ ବି ଅନେକ ନିଖୋଜ । ଅନେକ ଲୋକଙ୍କର ପତ୍ତା ମିଳୁନି । ଦିଲ୍ଲୀ ମୁଣ୍ଡକା ଅଗ୍ନିକାଣ୍ଡ ଘଟଣାରେ ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି । ନିଜ ଲୋକଙ୍କୁ ଖୋଜିବାକୁ ସମ୍ପର୍କୀୟ ମାନେ, ଏ ମେଡିକାଲ୍ରୁ ସେ ମେଡିକାଲ୍ ଦୌଡ଼ୁଛନ୍ତି । ନିଖୋଜ ହୋଇଥିବା ଅଧିକାଂଶ ଲୋକ ସେହି ଜଳିଯାଇଥିବା ବିଲ୍ଡିଂରେ କାମ କରୁଥିଲେ ।
ତେବେ ନିଆଁ ଲାଗିବା ପରେ ସେମାନେ କେଉଁଠି, ତାକୁ ନେଇ ପରିବାର ଲୋକଙ୍କ ଆଶା ଆଶଙ୍କା ବଢ଼ିଛି । ହସ୍ପିଟାଲ୍ ବାହାରେ ସମ୍ପର୍କୀୟମାନେ ନିଜ ଲୋକଙ୍କୁ ଖୋଜିବାକୁ ଭିଡ଼ ଜମାଇଛନ୍ତି । ସଞ୍ଜୟ ଗାନ୍ଧି ମେମୋରିଆଲ ହସ୍ପିଟାଲ୍ରେ ଏକ ହେଲପ୍ ଡେସ୍କ ଖୋଲା ଯାଇଛି । ମିଳିଥିବା ସୂଚନା ମୁତାବକ, ଅନେକ ମୃତକଙ୍କ ପରିଚୟ ମିଳିପାରିନି । ସେମାନଙ୍କ ଡିଏନ୍ଏ ଟେଷ୍ଟ ପରେ ଏହା ସ୍ପଷ୍ଟ ହେବ । ତେଣୁ ଯେଉଁମାନଙ୍କ ଅଭିଯୋଗ ଆସିଛି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ ହୋଇଛି । ଅନ୍ୟପଟେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅନେକ ଲୋକ । ତେବେ ନିଆଁ ସିନା ଲିଭିଛି ହେଲେ ଏବେ ବି କୋଠା ଭିତରେ ଲୋକଙ୍କ ସନ୍ଧାନ ଜାରି ରହିଛି । NDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନ ଜାରି ରଖିଛନ୍ତି ।
Also Read
ଅନ୍ୟପଟେ ଏହି ଅଗ୍ନିକାଣ୍ଡ ପରେ ଗିରଫ ହୋଇଛନ୍ତି ବିଲ୍ଡିଂ ମାଲିକ । ଦୁଇ ଭାଇ ହରିଶ ଗୋଏଲ ଓ ବରୁଣ ଗୋଏଲଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ୍ । କୋଠାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ହୋଇନଥିବା ଯୋଗୁଁ ଏତେ ବଡ଼ ଅଗ୍ନିକାଣ୍ଡ ଘଟିଲା । ବିଲ୍ଡିଂରେ ସରିଛି ରେସ୍କ୍ୟୁ ଅପରେସନ୍ । ମୃତ୍ୟୁ ସଂଖ୍ୟା ୨୭କୁ ବଢ଼ିଥିବା ବେଳେ ଗୁରୁତରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଞ୍ଜୟ ଗାନ୍ଧି ମେମୋରିଆଲ ହସ୍ପିଟାଲ, ଅମ୍ବେଦକର ହସ୍ପିଟାଲ୍ ସମେତ ଦିଲ୍ଲୀର ଅନ୍ୟ ମେଡିକାଲ୍ରେ ସେମାନଙ୍କ ଚିକିତ୍ସା କରାଯାଉଛି ।
ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ନିଆଁ କେମିତି ଲାଗିଲା ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପାରାଶି ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି କେଜ୍ରିୱାଲ । ଗତକାଲି ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନର ଏକ ବହୁତଳ କୋଠାରେ ନିଆଁ ଲାଗିଥିଲା ।
ଦ୍ୱିତୀୟ କୋଠାରେ ଏକ ଆଲୋଚନାଚକ୍ର ଚାଲିଥିଲା । କୁହାଯାଉଛି ସେଇଠୁ ହିଁ ନିଆଁ ଲାଗି ପୁରା କୋଠାକୁ ବ୍ୟାପିଥିଲା । ଅଗ୍ନିକାଣ୍ଡ ପରେ ପ୍ରାୟ ୫୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଏତେ ବଡ଼ ଅଗ୍ନିକାଣ୍ଡ କିପରି ଘଟିଲା ଓ ଅପରାହ୍ନରୁ ନିଆଁ ଲାଗିବା ପରେ ରାତି ଯାଏଁ ରେସ୍କ୍ୟୁ କାହିଁକି ସରିପାରିଲାନି ତାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।