• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଲିକର ମୃତ୍ୟୁ ପରେ ଦାଣ୍ଡ ଦୁଆରେ ମୁହଁ ଶୁଖାଇ ପଡ଼ିଛନ୍ତି ଦୁଇ ନୀରିହ ପଶୁ । ନା ଖାଉଛନ୍ତି, ନା ପିଉଛନ୍ତି । ଟିକିଏ ଖଡ଼ଖାଡ଼୍ ଶବ୍ଦ ହେଲେ ଗେଟ୍‌ ପାଖକୁ ଦଉଡ଼ୁଛନ୍ତି । ହେଲେ ସେମାନେ ଜାଣନାହାନ୍ତି ତାଙ୍କ ମାଲିକ ଆଉ ତାଙ୍କ ପାଖକୁ ଫେରିବନି କି ସ୍ନେହରେ କୋଳେଇ ନେବନି । ଭଗବାନ ତାଙ୍କୁ ନିଜ ପାଖକୁ ଡାକି ନେଇଛନ୍ତି । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପରେ ତାଙ୍କ ପୋଷା କୁକୁରଙ୍କ ସ୍ଥିତି ଦୟନୀୟ । ମାଲିକଙ୍କ ଅନୁପସ୍ଥିତିରେ ରବିବାର ସନ୍ଧ୍ୟା ଠାରୁ ଆଉ ଖାଇବା ପିଇବା ଛାଡ଼ି ଦେଇଛନ୍ତି ନୀରିହ ଜନ୍ତୁ ।

ସିଦ୍ଧୁ ମୁସେୱାଲା ଦୁଇ କୁକୁର ସେରା-ବଘିରା । ସିଦ୍ଧୁଙ୍କର ସେମାନେ ଭାରି ପ୍ରିୟ । ନିଜର ବ୍ୟସ୍ତ ଜୀବନ ଭିତରେ ଟିକିଏ ସମୟ ପାଇଲେ ସେରା-ବଘିରାଙ୍କ ସହ ସମୟ ବିତାଇବାକୁ ପସନ୍ଦ କରୁଥିଲେ ସିଦ୍ଧୁ । ଶୋଇବା ପୂର୍ବରୁ ପ୍ରତିଦିନ ଯେମିତି ହେଲେ ନିଜର ଦୁଇ କୁକୁରଙ୍କ ସହ ଖେଳୁଥିଲେ । ଶେରା ଏବଂ ବଘିରା ତାଙ୍କ ପାଇଁ କୁକୁର ନୁହେଁ ବରଂ ପରିବାରର ଅନ୍ୟ ସଦସ୍ୟଙ୍କ ପରି ଥିଲେ ।

ଦୁଇ ପୋଷା କୁକୁର ମଧ୍ୟ ମୁସେୱାଲାଙ୍କୁ ଘଡ଼ିଏ ନଦେଖିଲେ ଘରେ ନାଟକ ଆରମ୍ଭ କରିଦେଉଥିଲେ । ସେମାନଙ୍କ ଖାଇବା, ପିଇବା ଠାରୁ ବୁଲାଇବା ପର୍ଯ୍ୟନ୍ତ ସବୁକିଛି ଦେଖୁଥିଲେ ସିଦ୍ଧୁ । ହେଲେ ରବିବାର ଠାରୁ ଘରକୁ ଫେରିନାହାନ୍ତି ସିଦ୍ଧୁ । ତାଙ୍କର ହସହସ ମୁହଁ ଦେଖି ନାହାନ୍ତି ଦୁଇ ନିରୀହ ।

ଆଉ ସେଥିପାଇଁ ରବିବାର ସନ୍ଧ୍ୟା ଠାରୁ ହିଁ ନା ସେମାନେ କିଛି ଖାଉଛନ୍ତି ନା ପିଉଛନ୍ତି । ଦୁଇ କୁକୁର କେବଳ ଘରର ଏକ କୋଣରେ ଶୋଇ ରହୁଛନ୍ତି । ଘରେ ଟିକିଏ ସୋରଶବ୍ଦ ଶୁଣିଲେ କାନଡେରି ଶୁଣୁଛନ୍ତି, ମାଲିକାର ଅଫେରା ରାସ୍ତାକୁ ଅପଲକ ନୟନରେ ଚାହିଁ ରହିଛନ୍ତି । ହେଲେ ମାଲିକ ଏପରି ରାଇଜକୁ ଯାଇଛି, ଚାହିଁଲେ ବି ଯେଉଁଠୁ ଫେରିବା ମୁସ୍କିଲ ।