• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୁସେୱାଲାଙ୍କ ହତ୍ୟାକାରୀକୁ ଏନ୍‌କାଉଣ୍ଟର । ଲୋକପ୍ରିୟ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀକୁ ପୋଲିସ ଏନ୍‌କାଉଣ୍ଟର କରିଛି । ପଞ୍ଜାବର ଅମୃତସର ଅଟାରୀ ନିକଟରେ ଏହି ଏନ୍‌କାଉଣ୍ଟର କରିଛି ପୋଲିସ । ସେ ମୁସେୱାଲାଙ୍କ ହତ୍ୟାକାଣ୍ଡରେ ସାମିଲ ଥିଲା । ସେ ଜଣେ ଗ୍ୟାଙ୍ଗଷ୍ଟର ବୋଲିସ ପୋଲିସ କହିଛି । ଖାଲି ସେତିକି ନୁହେଁ ପୋଲିସ ଜଣକୁ ଏନ୍‌କାଉଣ୍ଟର କରିବା ସହ ଆଉ ଜଣଙ୍କୁ କାବୁ କରିଛି । ଅମୃତସର ଜିଲ୍ଲାର ଅଟାରୀରେ ପାକିସ୍ତାନ ସୀମା ନିକଟରେ ଥିବା ଚିଚା ଭକନା ଗାଁରେ ଏହି ଏନକାଉଣ୍ଟରର ପୁରା ଘଟଣା ଘଟିଥିଲା ।

ପୋଲିସ ଏନ୍‌କାଉଣ୍ଟର ବେଳେ ବିପରିତ ଦିଗରୁ ମଧ୍ୟ ଗୁଳି ବର୍ଷା ହୋଇଥିଲା । ଏଥିରେ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସୂଚନାନୁସାରେ, ଅଟାରି ଗାଁରେ ୬ରୁ ୭ ଜଣ ଗ୍ୟାଙ୍ଗଷ୍ଟର ଲୁଚି ରହିଥିବା ଏବେ ସନ୍ଦେହ କରାଯାଉଛି । କୁହାଯାଉଛି ଯେ, ଏହି ଗ୍ୟାଙ୍ଗଷ୍ଟରମାନେ ଗାଁର ପୁରୁଣା ବିଲ୍ଡିଂରେ ଲୁଚି ରହିଛନ୍ତି । ସିଦ୍ଧୁ ମୁସେୱାଲା ହତ୍ୟା ମାମଲା ସହ ଜଡିତ ଗ୍ୟାଙ୍ଗଷ୍ଟରମାନେ ଏହି ଗାଁରେ ଲୁଚି ରହିଛନ୍ତି ବୋଲି ପଞ୍ଜାବ ପୋଲିସ ସୂଚନା ପାଇଥିଲା । ଏହା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ପୋଲିସ । 

ପୂର୍ବରୁ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମର୍ଡର କରିବା ପରେ ଖୁସି ମନାଇଥିଲେ ହତ୍ୟାକାରୀ । କାର୍‌ ଭିତରେ ଅସ୍ତ୍ରଶସ୍ତ୍ର ଏବଂ ବନ୍ଧୁକ ଧରି ହତ୍ୟାକାରୀମାନେ ଖୁସି ମନାଇଥିଲେ । ଏସମ୍ପର୍କିତ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଜଣେ ସୁଟରଙ୍କ ପାଖରୁ ଏହି ଭିଡିଓ ଜବତ କରାଯାଇଥିଲା । ଭିଡିଓରେ ଦେଖିବାକୁ ମିଳିଥିଲା, ଗୋଟିଏ କାର୍‌ରେ ୫ ଜଣ ଯୁବକ ବସିଥିବା ବେଳେ କ୍ୟାମେରା ଆଗରେ ସମସ୍ତେ ବନ୍ଧୁକ ଦେଖାଇ ଖୁସି ମନାଉଥିଲେ ।

ସିଦ୍ଧୁଙ୍କୁ ମର୍ଡର ପାଇଁ ଅତ୍ୟାଧୁନିକ ବନ୍ଧୁକର ବ୍ୟବହାର କରାଯାଇଥିଲା । ଆକ୍ରମଣକାରୀମାନେ ପାଖାପାଖି ୩୦ ରାଉଣ୍ଡ ଗୁଳି ସିଦ୍ଧୁଙ୍କ ଉପରକୁ ଚଳାଇ ଥିବାବେଳେ ସେଥିରୁ ୨୪ ରାଉଣ୍ଡ ଗୁଳି ତାଙ୍କ ଶରୀରରେ ବାଜି ଥିଲା । ଏଥିମଧ୍ୟରୁ ଗୋଟିଏ ରାଉଣ୍ଡ ଗୁଳି ମୁଣ୍ଡର ହାଡ଼ ଭିତରେ ଯାଇ ପଶିଥିଲା ।

ତେବେ ଆଜି ପୋଲିସ ଏନ୍‌କାଉଣ୍ଟର ପୂର୍ବରୁ, ଗ୍ୟାଙ୍ଗଷ୍ଟର ଜଗରୁପ ସିଂହ ରୁପା ଏବଂ ତାଙ୍କ ସହଯୋଗୀ ମନପ୍ରିତ ଓରଫ ମନ୍ନୁ କୁସା ସେଠାରେ ଲୁଚି ରହିଥିବା ଖବର ପାଇଥିଲା । ସେମାନଙ୍କୁ କାବୁ କରିବା ପାଇଁ ପୋଲିସ ଫୋର୍ସ ପୂରା ଅଞ୍ଚଳକୁ ସିଲ୍ କରିଥିଲା । ଏହାପରେ ପୋଲିସ ଏବଂ ଉଭୟ ସୁଟରଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଉଭୟ ଗ୍ୟାଙ୍ଗଷ୍ଟର ସାର୍ପ ସୁଟର୍‌ ଥିବା ସନ୍ଦେହ କରାଯାଉଛି । ଏହି ଉଭୟ ଅଭିଯୁକ୍ତ ପଞ୍ଜାବର ତରନତାରନର ବାସିନ୍ଦା ବୋଲି କୁହାଯାଉଛି ।

ଏହି ଦୁଇ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବ୍ରାର ଗ୍ୟାଙ୍ଗର ସାର୍ପ ସୁଟର୍‌ । ମନପ୍ରିତ ହେଉଛି ସେହି ସୁଟର୍‌ ଯିଏ ପ୍ରଥମେ ମୁସେୱାଲା ଉପରକୁ ଏକେ-୪୭ରେ ଗୁଳିମାଡ କରିଥିଲା । ସୂତ୍ର ଅନୁଯାୟୀ କାନାଡାରେ ଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର, ମନପ୍ରିତ ହିଁ ପ୍ରଥମେ ମୁସେୱାଲାଙ୍କୁ ଗୁଳିମାଡ କରିବ ବୋଲି ନିର୍ଦ୍ଦେଶ ଦେଇଥିଲା ।

ମନପ୍ରିତ ପଞ୍ଜାବ ଜେଲରେ ବନ୍ଦ ଥିବା ବେଳେ ପଟିଆଲା ଗ୍ୟାଙ୍ଗର ସଦସ୍ୟାମାନେ ଜେଲ୍‌ ଭିତରେ ତାକୁ ଜୋତା ଚପଲରେ ମାଡ ମାରିଥିଲେ । ଏହି ଘଟଣାର ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା । ଏହି କାରଣରୁ ମନପ୍ରୀତକୁ ଗୋଲ୍ଡି ବ୍ରାର ପଟିଆଲା ଗ୍ୟାଙ୍ଗକୁ ଶିକ୍ଷା ଦେବା ଏବଂ ପ୍ରତିଶୋଧ ନେବାକୁ ପ୍ରଥମ ଗୁଳି ଚଳାଇବାକୁ ଅନୁରୋଧ କରିଥିଲା । ଏହି ଦୁଇଜଣଙ୍କ ବ୍ୟତୀତ ତୃତୀୟ ସୁଟର ଦୀପକ ମୁଣ୍ଡି ଏବେବି ଫେରାର ଅଛି ।

ଏହାପୂର୍ବରୁ ପୋଲିସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସାର୍ପ ସୁଟର୍‌କୁ ଗିରଫ କରିଥିଲା । ଅଙ୍କିତ ସିରସା ନାମକ ଏହି ସୁଟର୍‌ ମୁସେୱାଲାଙ୍କୁ ଅତି ନିକଟରୁ ଗୁଳି କରିଥିଲା । ଅଙ୍କିତ ସିର୍‌ସାଙ୍କ ପୂର୍ବରୁ ପ୍ରିୟବ୍ରତକୁ ପୋଲିସ ଗିରଫ କରିଥିଲା ।