Advertisment

ଗୁଜରାଟରେ ଜଳପ୍ରଳୟ; ୧୮ଜିଲ୍ଲା ପ୍ରଭାବିତ, ଗଲାଣି ୩୦ ଜୀବନ

୩/୪ ଦିନର ଲଗାଣ ବର୍ଷାରେ ବେହାଲ୍ ହୋଇଯାଇଛି ଅଧାରୁ ଅଧିକ ଗୁଜରାଟ । ହଜାର ହଜାର ଲୋକ ଜଳବନ୍ଦୀ ।

author-image
Sangram Keshori Behera
undefined

Gujarat rain

ଗୁଜରାଟରେ ଜଳପ୍ରଳୟ । ଭୟଙ୍କର ସ୍ଥିତି, ଯୁଆଡ଼େ ଚାହିଁବେ ପାଣି ଆଉ ପାଣି । ବୁଡ଼ି ଯାଇଛି ରାସ୍ତାଘାଟ। ଉବୁଟୁବୁ ଗାଁଠୁ ସହର । ହଜାର ହଜାର ଲୋକ ଜଳବନ୍ଦୀ । ଗତ ୩/୪ ଦିନର ଲଗାଣ ବର୍ଷାରେ ବେହାଲ୍ ହୋଇଯାଇଛି ଅଧାରୁ ଅଧିକ ଗୁଜରାଟ । ଭଦୋଦରାର ଯେଉଁ ରାଜରାସ୍ତାରେ ଦୈନିକ ଲକ୍ଷ ଲକ୍ଷ ଯାନବାହନ ଛୁଟେ, ସେଇଠି ଏବେ ଜଳପ୍ରଳୟର ଭୟଙ୍କର ଦୃଶ୍ୟ । ଗତ ଦୁଇ ଦଶନ୍ଧି ଭିତରେ ନା କେହି ଏମିତି ଦେଖିଥିଲେ, ନା କେହି କେବେ ଭାବିଥିଲେ ଏଭଳି ଭାସିବ ଭଦୋଦରା । 

Advertisment

ଜଳପ୍ରଳୟରେ ଆକ୍ତାମାକ୍ତା ହୋଇଯାଇଛି ରାଜ୍ୟର ୧୮ରୁ ଅଧିକ ଜିଲ୍ଲା । ରାଜଧାନୀ ଗାନ୍ଧିନଗର ସମେତ ଅହମ୍ମଦାବାଦ, ପୋରବନ୍ଦର, ଜୁନାଗଡ଼, ଭଦୋଦରା, ଦ୍ବାରକା, ରାଜକୋଟ୍ ଆଦି ଅଂଚଳରେ ଅବସ୍ଥା ସଂଗୀନ ହୋଇଛି । ଘରଦ୍ୱାର ହରାଇ ବେସାହାରା ହୋଇଛନ୍ତି ହଜାର ହଜାର ଲୋକ । ଅରାଭଲ୍ଲି ସ୍ଥିତ ମାଲପୁର ରୋଡ୍ ଏବଂ ବସ, ଷ୍ଟେସନ ଅଞ୍ଚଳରେ ବୁଡ଼ିଯାଇଛି ୫୦ରୁ ଅଧିକ ଦୋକାନ। ଭାସିଯାଇଛି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ । 

ଦୁଇଦିନ ହେଲା ନା ବର୍ଷା ଥମୁଛି ନା ଜଳସ୍ତର ହ୍ରାସ ପାଉଛି। ବନ୍ୟାରେ ଫସି ରହିଲେ ଟିମ୍ ଇଣ୍ଡିଆର ଷ୍ଟାର ମହିଳା କ୍ରିକେଟର ରାଧା ଯାଦବ। ସ୍ଥିତି ଏମିତି ହୋଇଥିଲା ଯେ ଏନଡିଆରଏଫ ପହଞ୍ଚି ରାଧା ଏବଂ ଅନ୍ୟମାନଙ୍କୁ ଉଦ୍ଧାର କରିଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ନିଜେ ରାଧା ଯାଦବ । ନଦୀ ଗୁଡ଼ିକର ଜଳସ୍ତର ବଢ଼ିବା ସହ ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେବା ଯୋଗୁଁ ଜନବସତିକୁ ମାଡ଼ି ଆସୁଛନ୍ତି ଜଳଚର ।

Advertisment

ଭଦୋଦରାର ଅକୋଟା ଅଞ୍ଚଳର ଜଣଙ୍କ ଘରୁ ଏକ କୁମ୍ଭୀରକୁ ଉଦ୍ଧାର କରାଯାଇଛି । ବରୋଦାସ୍ଥିତ ମହାରାଜା ସୟାଜୀ ରାଓ ୟୁନିଭରସିଟି ପରିସରରୁ ମଧ୍ୟ ଆଉ ଏକ କୁମ୍ଭୀରକୁ ଉଦ୍ଧାର କରିଛି ବନବିଭାଗ । ଗତ କିଛିଦିନ ମଧ୍ୟରେ ଏଭଳି ୧୦ଟି କୁମ୍ଭୀର ଉଦ୍ଧାର କରାଯାଇଛି । 

୪ ଦିନର ବର୍ଷା ବିତ୍ପାତରେ ରାଜ୍ୟରେ ପାଖାପାଖି ୩୦ ଜଣଙ୍କ ପ୍ରାଣହାନୀ ଖବର ସାମ୍ନାକୁ ଆସିଛି । ଏସବୁ ଭିତରେ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ରେସ୍କ୍ୟୁ ଅପରେସନ୍ । ଉଭୟ ରେସ୍କ୍ୟୁ ଏବଂ ରିଲିଫ୍ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ବାୟୁସେନା, ତଟରକ୍ଷୀ ବାହିନୀ, ଏନଡିଆରଏଫ, ଏସଡିଆରଏଫ ସମେତ ଅଗ୍ନିଶମ ବାହିନୀ। ଗୁଜରାଟ୍ SRCଙ୍କ ସୂଚନା ଅନୁଯାୟୀ, ଏଯାଏଁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ୪୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ରାଜ୍ୟରେ ୫୦ରୁ ଅଧିକ ଟ୍ରେନ୍ ବାତିଲ୍ ହୋଇଛି । ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।କେନ୍ଦ୍ର ପକ୍ଷରୁ ସମସ୍ତ ସହାୟତା ଏବଂ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି ।

Heavy Rain Gujarat Flood
Advertisment
Advertisment