• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପ୍ରବଳ ବର୍ଷାରୁ ପୁଣେରେ ଦୟନୀୟ ସ୍ଥିତି ପରେ ଉତ୍ତରାଖଣ୍ଡ, ଦିଲ୍ଲୀରେ ବି ସମାନ ସ୍ଥିତି । ଲଗାତାର ବର୍ଷା ଯୋଗୁଁ ସହର ସାରା ଖାଲି ପାଣି ଆଉ ପାଣି । ଲୋକଙ୍କ ଘରେ ପାଣି ପଶିଥିବା ବେଳେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି । ଉତ୍ତରାଖଣ୍ଡର ମଦମହେଶ୍ୱର ମନ୍ଦିର ନିକଟରେ ଥିବା ପୋଲ ଭାସିଯିବାରୁ ସେଠାରେ ଫସିଛନ୍ତି ୫୦ ଜଣ ତୀର୍ଥଯାତ୍ରୀ । ହେଲିକେପ୍ଟର ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରାଯାଉଛି ।

ଦେବଭୂମି ଉତ୍ତରାଖଣ୍ଡରେ ଦୟନୀୟ ସ୍ଥିତି । ପ୍ରବଳ ବର୍ଷା ପରେ ଭାସିଗଲା ମଦମହେଶ୍ୱର ମନ୍ଦିର ନିକଟରେ ଥିବା ପୋଲ । ଫସିଛନ୍ତି ୫୦ ଜଣ ତୀର୍ଥଯାତ୍ରୀ ଏବଂ ସ୍ଥାନୀୟ ଲୋକ । ଅସ୍ଥାୟୀ କାଠ ପୋଲ ଭାସିଯିବାରୁ ଆସି ପାରୁନାହାନ୍ତି ଲୋକେ । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ହେବାରୁ ତୀର୍ଥଯାତ୍ରା ସ୍ଥଗିତ ରଖାଯାଇଛି ।

ଲଗାଣ ବର୍ଷା ପରେ ମାର୍କଣ୍ଡ ନଦୀ ଉପରେ ନିର୍ମିତ ଏକ କାଠ ପୋଲ ଧୋଇ ହୋଇଯାଇଛି, ଯାହା ଫଳରେ ମନ୍ଦିରକୁ ଯିବା ଆସିବାରେ ବାଧା ସୃଷ୍ଟି ହୋଇଛି । ମଦମହେଶ୍ୱର ମନ୍ଦିର ଉତ୍ତରାଖଣ୍ଡର ପଞ୍ଚ କେଦାର ଗୋଷ୍ଠୀର ଏକ ଅଂଶ । କାଠ ପୋଲ ଭାସିଯିବା ଫଳରେ ତୀର୍ଥଯାତ୍ରୀମାନେ ସେଠାରେ ଫସି ରହିଛନ୍ତି ।

ସେପଟେ ଆଇଏମଡି ପକ୍ଷରୁ ଡେରାଡୁନ ଏବଂ ବାଗେଶ୍ୱର ପାଇଁ ଅରେଞ୍ଜ ୱାର୍ଣ୍ଣି ଜାରି କରିଛନ୍ତି । ଏହି ସବୁ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି । ପାଣିପାଗ ବିଭାଗର ସୂଚନା ପରେ ସ୍ଥାନୀୟ ପ୍ରଶାସନ ସହରର ସ୍କୁଲ୍, କଲେଜ ଓ ଅଙ୍ଗନୱାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ।

ଏଥିସହ ପାହାଡ଼ିଆ ଅଞ୍ଚଳକୁ ନ ଯିବାକୁ ଲୋକଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ସେପଟେ ରାଜଧାନୀ ଦିଲ୍ଲୀରେ ପୁଣି ଜଳ ପ୍ରଳୟ । ଭୀଷଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ । ବୁଡ଼ିଛି ରାସ୍ତା, ଘରେ ପଶିଛି ପାଣି । ରାଜଧାନୀର ଶାନ୍ତି ପଥ, ନାରୋଜୀ ନଗର, ଭିକାଜୀ କାମା ଅଞ୍ଚଳ ଏବେ ପାଣି ଘେରରେ ।

ପରିସ୍ଥିତି ଏମିତି ହୋଇଛି କି ବନ୍ୟା ଭଳି ସ୍ଥିତି ଉପୁଜିଛି । ଶାନ୍ତି ପଥ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ଦେଖା ଦେଇଛି । ଦୂର ଦୂର ଯାଏଁ ରାସ୍ତା ଦେଖାଯାଉନି । ଅନେକ ତଳିଆ ଅଞ୍ଚଳ ପାଣିରେ ଏବେ ବୁଡ଼ି ଯାଇଛି । ଦିଲ୍ଲୀ ବର୍ଷାର ସିଧା ପ୍ରଭାବ ଟ୍ରାଫିକ୍ ବ୍ୟବସ୍ଥା ଉପରେ ପଡ଼ିଛି । ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ରାଜପଥ ସକାଳୁ ସକାଳୁ ଜାମ୍ ହୋଇଛି ।

ସମୟ ବଢ଼ିବା ସହ ଏହି ସ୍ଥିତି ଅଧିକ ବିଗିଡ଼ିପାରେ । ଦୁଇ ଦିନ ହେଲା ଦିଲ୍ଲୀରେ ଲଗାଣ ବର୍ଷା ଓ ଜଳ ନିଷ୍କାସନରେ ସମସ୍ୟା ଯୋଗୁଁ ଏପରି ସ୍ଥିତି ଉପୁଜିଛି । ମହାରାଷ୍ଟ୍ରର ମୁମ୍ବାଇ, ପୁଣେ, ଥାନେ, ପାଲଘର ଓ ଅନ୍ୟ ସହରରେ ବିଗିଡ଼ିବାରେ ଲାଗିଛି ସ୍ଥିତି । ଲଗାଣ ବର୍ଷାରେ ବେହାଲ ହେଲାଣି ମାୟାନଗରୀ ମୁମ୍ବାଇର ଅବସ୍ଥା ।

ପ୍ରବଳ ବର୍ଷାରେ ବହୁ ସ୍ଥାନରେ ରାସ୍ତାଘାଟ ବୁଡିଛି, ଲୋକଙ୍କ ଘରେ ପାଣି ପଶିଛି । ମୁମ୍ବାଇର ଅନ୍ଧେରୀ ଓ ଚେମ୍ବୁର ଆଦି ଅଞ୍ଚଳ ଉବୁଟୁବୁ ହେଉଛି । ପୁଣେ ଅବସ୍ଥା ସଂଘାତିକ ହେଲାଣି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି । କେତେକ ସ୍ଥାନରେ ଅଣ୍ଟାଏ ପାଣି ଚାଲୁଛି । ଫଳରେ ବହୁ ଅଞ୍ଚଳ ଏବେ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି । ଲଗାଣ ବର୍ଷାକୁ ଦେଖି ପୁଣେ ସମେତ ଆଖପାଖ ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now