flight
ବ୍ଲାକବକ୍ସ ଖୋଲିବ ଅହମ୍ମଦାବାଦ ବିମାନ ଦୁର୍ଘଟଣାର କାରଣ। ବିମାନର ଦ୍ବିତୀୟ ବ୍ଲାକ ବକ୍ସ ମିଳିଥିବା ବେଳେ ସେଥିରେ ରହିଛି କକପିଟ୍ ଭଏସ୍ ରେକର୍ଡ। ଏହାକୁ ଡିକୋଡ୍ କରାଯାଉଛି। ସେପଟେ DNA ଟେଷ୍ଟରେ ଏଯାଏ ୧୨୦ ମୃତଦେହ ଚିହ୍ନଟ ହୋଇସାରିଛି। ଏହାରି ଭିତରେ ସାମ୍ନାକୁ ଆସିଛି ଜଳନ୍ତା ବିମାନରୁ ଜଣେ ମାତ୍ର ଜୀବିତ ଯାତ୍ରୀ ବିଶ୍ବାସ କୁମାର ବାହାରି ଆସୁଥିବା ବେଳର ଭିଡିଓ।
ମରଣକୁ ମାତ୍ ଦେଇ ଦୃଢ ବିଶ୍ବାସର ସହ ଜୀବନ ଆଡକୁ ପାଦ ବଢାଉଛନ୍ତି ବିଶ୍ବାସ କୁମାର। ପଛରେ ଅଗ୍ନିପିଣ୍ଡୁଳା ପାଲଟି ଯାଇଥିବା ଏୟାର ଇଣ୍ଡିଆର ବୋଇଂ ବିମାନ। କ୍ରାସ ପରେ ବିସ୍ପୋରଣ ଘଟି ହୁତ୍ ହୁତ୍ ହୋଇ ଜଳୁଛି ପ୍ଲେନ୍, ତା ଭିତରୁ ଦମ୍ଭର ସହ ବାହାରି ପାଇଛନ୍ତି ଦ୍ବିତୀୟ ଜନ୍ମ। ଇଏ ସେହି 11A ସିଟ୍ ର ଭାଗ୍ୟବାନ୍ ଯାତ୍ରୀ। ବିଶ୍ବାସ କୁମାର ରମେଶ। ଭାରତୀୟ ବଂଶୋଦ୍ଭବ, ବ୍ରିଟିଶ ନାଗରିକ। ଦୁର୍ଘଟଣାରେ ୨୪୨ ଜଣଙ୍କ ମଧ୍ୟରୁ ଏକମାତ୍ର ଜୀବିତ ଯାତ୍ରୀ। ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ ବୋଇଂ ଡ୍ରିମଲାଇନର ଦୁର୍ଘଟଣାର ୫ ଦିନ ପରେ ସାମ୍ନାକୁ ଆସିଛି ଏ ନୂଆ ଭିଡିଓ। ଯେଉଁଥିରେ ଦୁର୍ଘଟଣାସ୍ଥଳରୁ ବାହାରକୁ ଆସୁଛନ୍ତି ବିଶ୍ବାସ ଏବଂ ଜଣେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରୁଥିବା ଦେଖାଯାଉଛି। ଟ୍ରାନ୍ଜିସନ୍
ଅଧିକ ପଢ଼ନ୍ତୁ: ମିଳିଲା ଦ୍ବିତୀୟ ବ୍ଲାକବକ୍ସ, ରହିଛି କକପିଟ୍ ଭଏସ୍ ରେକର୍ଡର
୨୪ ଘଣ୍ଟିଆ ଅହରହ ତଦନ୍ତ ଭିତରେ ଉଦ୍ଧାର ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନର ଦ୍ବିତୀୟ ବ୍ଲାକବକ୍ସ। ଯେଉଁଥିରେ ରହିଛି କକପିଟ୍ ଭଏସ୍ ରେକର୍ଡର। ତଦନ୍ତକାରୀ ଟିମ୍ ଏହା ସ୍ପଷ୍ଟ କରିଥିବା ବେଳେ ଖୁବଶୀଘ୍ର ଦୁର୍ଘଟଣା ପଛର ସମ୍ଭାବ୍ୟ କାରଣ ଜଣାପଡିବା ଆଶା କରାଯାଉଛି। ପୂର୍ବରୁ ବିମାନର ଭଗ୍ନାବଶେଷ ତଳୁ ଗୋଟିଏ ବ୍ଲାକବକ୍ସ ମିଳିଥିଲା। ଦୁଇଟିଯାକ ବ୍ଲାକବକ୍ସ ମିଳିଥିବାରୁ ତଦନ୍ତରେ ଏହା ସହାୟକ ହେବ। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ବା AAIB ଏବେ ବ୍ଲାକବକ୍ସ ଡାଟାକୁ ଡିକୋଡ୍ କାମ ଆରମ୍ଭ କରିଛି। ଡିଜିସିଏ ଓ ଆଇବି ଅଧିକାରୀ ମଧ୍ୟ ଯାଞ୍ଚ କାମରେ ଲାଗିଛନ୍ତି। ସେପଟେ ଦୁର୍ଘଟଣାସ୍ଥଳରେ ପହଁଚି ଅନୁଧ୍ୟାନ କରିଛନ୍ତି ବୋଇଂ ଟିମ୍।
ଏପଟେ ଡିଏନଏ ପରୀକ୍ଷା ପରେ ଏଯାଏ ମିଳିସାରିଛି ୧୨୦ ମୃତକଙ୍କ ପରିଚୟ। ପରିବାର ବର୍ଗଙ୍କୁ ସେମାନଙ୍କ ମରଶରୀର ହସ୍ତାନ୍ତର କରାଯାଇଛି। ପୂର୍ବରୁ ଜାଣିଥିଲେ ସୁଦ୍ଧା ମରଶରୀର ନେବା ବେଳକୁ ଆତ୍ମୀୟଙ୍କ ଆଖିରୁ ଝରିଆସୁଥିଲା ଲୁହ, କୋହରେ ଫାଟିପଡୁଥିଲା ଛାତି। ବିମାନ ଦୁର୍ଘଟଣାରେ ଆହତ ୫୧ ଜଣଙ୍କ ଭିତରୁ ୩୮ ଜଣ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି। ବାକି ୧୩ ଜଣଙ୍କର ଚିକିତ୍ସା ଜାରି ରହିଛି।
ଅନ୍ତିମ ଯାତ୍ରାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି। ଡିଏନଏ ଟେଷ୍ଟ ପରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିଚୟ ସ୍ପଷ୍ଟ ହୋଇଥିଲା। ଏହାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ମରଶରୀର। ଅନ୍ତିମ ଶ୍ରଦ୍ଧାଂଜଳି ଜଣାଇବାକୁ ବାସଭବନକୁ ଛୁଟି ଆସିଥିଲେ ବନ୍ଧୁବାନ୍ଧବ ଓ ସମ୍ପର୍କୀୟ। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ ଓ ମାନ୍ୟଗଣ୍ୟ ବ୍ୟକ୍ତି ବି ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/flight_1750085045.jpg)