• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦିନକ ପରେ ରାଷ୍ଟ୍ରପତି ଭାବେ ଶପଥ ନେବେ ରାଷ୍ଟ୍ରପତି ନିର୍ବାଚିତ ଦ୍ରୌପଦୀ ମୁର୍ମୁ । ୨୫ ତାରିଖରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସଂସଦ ଭବନ ପରିସରରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହେବ । ସୋମବାର ସକାଳ ୧୦ଟା ୧୪ ମିନିଟ ସମୟରେ ଶପଥ ନେବେ ନବ ନିର୍ବାଚିତ ରାଷ୍ଟ୍ରପତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି, ପ୍ରଧାନନ୍ତ୍ରୀଙ୍କ ସମେତ ସମସ୍ତ ସାଂସଦ ଓ ନିମନ୍ତ୍ରୀତ ଅତିଥୀ ପ୍ରମୁଖ ଉପସ୍ଥିତ ରହିବେ ।

ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ଏଥିପାଇଁ ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ତାଙ୍କ ଜନ୍ମମାଟି ରାଇରଙ୍ଗପୁର ଯାଏଁ ସବୁ ଉତ୍ସବମୁଖର ହୋଇପଡିଛି ।ଦ୍ରୌପଦୀଙ୍କ ବିଜୟ ପରେ ତାଙ୍କୁ ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି । ରାଇରଙ୍ଗପୁରରେ ଦୀପ ଜାଳି ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶପଥ ଗ୍ରହଣ ସମାରୋହରେ ଦ୍ରୌପଦୀଙ୍କ ଭାଇ, ଭାଉଜ ଏବଂ ସଂପର୍କୀୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପାଇଁ ଆରିସା ପିଠା ସହ ପାରମ୍ପରିକ ଆଦିବାସୀ ଲୁଗା ନେଇ ଦିଲ୍ଲୀ ଯିବାକୁ ପ୍ରସ୍ତୁତ ହେଉଥିବା କହିଛନ୍ତି ଭାଉଜ ସାକ୍ରେନ ଟୁଡୁ ।

ତେବେ ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ଆଜି ନୂଆଦିଲ୍ଲୀ ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ବିଜେପି ତରଫରୁ ମଧ୍ୟ ନିଜ ଦଳର ନେତ୍ରୀଙ୍କ ପାଇଁ ଦିଲ୍ଲୀ ଠାରୁ ଆରମ୍ଭ କରି ପଲ୍ଲୀ ଯାଏଁ ଉତ୍ସବ ପାଳନ କରାଯାଇଛି । ସ୍ୱାଧୀନ ଭାରତରେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ଇତିହାସ ରଚିଛନ୍ତି ଦ୍ରୌପଦୀ ମୁର୍ମୁ ।

ଅନ୍ୟପକ୍ଷେ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭବ୍ୟ ନୈଶ ଭୋଜି ଦେଇ ଆପ୍ୟାୟିତ କରିଛନ୍ତି । ନୂଆଦିଲ୍ଲୀର ହୋଟେଲ ଅଶୋକାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ପଦ୍ମଶ୍ରୀ ପୁରସ୍କାର ବିଜେତା ମଧ୍ୟ ଯୋଗ ଦେଇଥିଲେ । ସେହିଭଳି ବହୁ ଆଦିବାସୀ ନେତା ବି ସାମିଲ ହୋଇଥିଲେ । ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ପ୍ରଧାନମନ୍ତ୍ରୀଙ୍କ ସହ ଗୋଟିଏ ଟେବୁଲରେ ବସି ଭୋଜନ କରିଥିଲେ । ଆସନ୍ତା ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ପୂରଣ ହେଉଛି । ସେହିଦିନ ହିଁ ଦ୍ରୌପଦୀ ମୁର୍ମୁ ନୂଆ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ତେବେ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ପରମ୍ପରା ଅନୁଯାୟୀ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଭୋଜି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ସୂଚନା ଅନୁସାରେ, ବିରୋଧିମେଳିର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ବିପୁଳ ଭୋଟରେ ହରାଇଛନ୍ତି । ନିର୍ବାଚନରେ ଦ୍ରୌପଦୀଙ୍କୁ ୨ ହଜାର ୮୨୪ ଭୋଟ୍ ମିଳିଥିବା ବେଳେ ଯଶୱନ୍ତଙ୍କୁ ୧ ହଜାର ୮୭୭ ଭୋଟ୍ ମିଳିଛି । ଦ୍ରୌପଦୀଙ୍କୁ ମିଳିଥିବା ଭୋଟର ମୂଲ୍ୟ ୬ ଲକ୍ଷ ୭୬ ହଜାର ୮୦୩ ରହିଛି । ସେହିଭଳି ଯଶୱନ୍ତଙ୍କୁ ମିଳିଥିବା ଭୋଟର ମୂଲ୍ୟ ୩ ଲକ୍ଷ ୮୦ ହଜାର ୧୭୭ ରହିଛି । ରାଷ୍ଟ୍ରପତି ନିର୍ବାଚନରେ ମୋଟ ୪୭୫୪ ଖଣ୍ଡ ଭୋଟ ପଡ଼ିଥିଲା । ମତଦାତାଙ୍କ ମୋହର ଭିତରୁ ୫୩ଟି ନାକଚ ହୋଇଥିଲା । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ ତାଙ୍କୁ ଦେଶବ୍ୟାପୀ ଶୁଭେଚ୍ଛାର ସୁଅ ଛୁଟିଛି ।

ଦ୍ରୌପଦୀ ମୁର୍ମୁ ମାତ୍ର ୬୪ ବର୍ଷ ବୟସରେ ରାଇସିନା ହିଲ୍‌ରେ ପହଞ୍ଚିବା ସହ ଭାରତର ଇତିହାସରେ ସର୍ବକନିଷ୍ଠ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି । କେବଳ ଏତିକି ନୁହେଁ, ଭାରତର ସ୍ୱାଧିନତା ପ୍ରାପ୍ତି ପରେ ଜନ୍ମ ଗ୍ରହଣ କରି ରାଷ୍ଟ୍ରପତି ଆସନ ଅଳଙ୍କୃତ କରିବାରେ ଦ୍ରୌପଦୀ ମଧ୍ୟ ପ୍ରଥମ । ଘୋର ଆଧ୍ୟାତ୍ମିକତାରେ ବିଶ୍ୱାସ ରଖୁଥିବା ଦ୍ରୌପଦୀ ୨୦୦୯ରୁ ୨୦୧୫ ମଧ୍ୟରେ ମାତ୍ର କେଇ ବର୍ଷର ବ୍ୟବଧାନରେ ଅନେକ କିଛି ହରାଇଛନ୍ତି ।ଦୁଇ ପୁଅ, ସ୍ୱାମୀ, ଭାଇ ଓ ମାଆଙ୍କ ମୃତ୍ୟୁ ହରାଇଥିଲେ ।