• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଶୀ ଫୁଟ୍‌ ତଳେ ଜୀବନ ପାଇଁ ସଂଘର୍ଷ । ଛତିଶଗନ ଜାନଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅନ୍ତର୍ଗତ ପିରହ୍ରିଡ୍ ଗାଁରେ ବୋରୱେଲରେ ଖସି ପଡ଼ିଥିବା ୧୧ ବର୍ଷର ବାଳକକୁ ଉଦ୍ଧାର କରିବା ପାଇଁ ଗତ ୪୨ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଛି । ପରିବାରରେ କାନ୍ଦବୋବାଳି ପଡ଼ିଥିବା ବେଳେ ସାହାସ ହରାଇନି ବୋରୱେଲରେ ପଡ଼ିଥିବା ରାହୁଲ । ବର୍ତ୍ତମାନ ସେ ନିଜେ ବାଲ୍ଟିରେ ପାଣି ଭରିବାରେ ନିଜକୁ ସାହାଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି। ବୋରୱେଲର କାନ୍ଥରୁ ଅଳ୍ପ ଅଳ୍ପ ପାଣି ଆସୁଛି, ଆଉ ପିଲାଟି ଉପରୁ ଦିଆଯାଇଥିବା ପାତ୍ରରେ ପାଣି ଭରିବାରେ ସାହାଯ୍ୟ କରୁଛି । ଗୁଜୁରାଟର ରୋବୋଟିକ୍ସ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଅନୁସାରେ, ରାହୁଲଙ୍କ ପାଇଁ ଆଗାମରୀ ୩ରୁ ୪ ଘଣ୍ଟା ବେଶ୍ ଗୁରୁତ୍ୱପୂର୍ଣ୍ଣ ।ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ତତ୍ତୃବଧାନରେ ରାହୁଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯାଉଛି । ମେଡିକାଲ ଅଧିକାରୀଙ୍କ ସହ ନିରନ୍ତର ବିଚାରବିମର୍ଷ କରାଯାଉଛି । କ୍ୟାମେରାରେ ରାହୁଲଙ୍କ ଗତିବିଧି ଦେଖାଯାଉଛି । ରାହୁଲଙ୍କୁ ସୁରକ୍ଷିତ ଭାବରେ ବୋରୱେଲରୁ ବାହାର କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି । ଶିଶୁ ପାଖକୁ କଦଳୀ, ଫଳ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପଠାଯାଇଛି ।

ଶିଶୁ ସହ ପରିବାର ସଦସ୍ୟଙ୍କ କଥାବାର୍ତ୍ତା ହେଉଛି । ତା ସହ ମେଡିକାଲ୍ ଟିମ୍ ନିୟୋଜିତ ହେବା ସହ ଅମ୍ଳଜାନ ସିଲିଣ୍ଡର ରଖି ପାଇପ୍ ମାଧ୍ୟମରେ ଅମ୍ଳଜାନ ଭିତରକୁ ପଠାଯାଉଛି । ଚାରିଆଡେ ବ୍ୟାରିକେଡିଂ ଏବଂ ରାତି ସାରା ଉଦ୍ଧାର ଚାଲିଥିବାରୁ ଆଲୋକୀକରଣ କରାଯାଇଛି ।  ଶହ ଶହ ଅଧିକାରୀ, କର୍ମଚାରୀଙ୍କ ଦଳ କ୍ରମାଗତ ଭାବରେ ଟନେଲ ତିଆରି କାମରେ ଲାଗିଛନ୍ତି । NDRF ଦଳ ଶୀଘ୍ର ରାହୁଲ ପଡ଼ିଥିବା ଗାତରେ ପହଞ୍ଚିବାକୁ ପ୍ରସ୍ତୁତ ହେଉଛନ୍ତି ।

ସୂଚନାଯୋଗ୍ୟ ଶୁକ୍ରବାର ଦିନ ୪ଟା ବେଳେ ରାହୁଲ ଘର ପଛ ପାଖରେ ଖେଳୁଥିଲା ବେଳେ ଘଟଣା ଘଟିଛି । ଯେତେବେଳେ ପରିବାର ସଦସ୍ୟ ପିଲାଟିକୁ ଖୋଜିବାକୁ ବାହାରକୁ ଯାଇଥିଲେ ଓ ପାଟି କରି ଡାକିବାରୁ ସେତେବେଳେ ଶିଶୁର ସ୍ୱର ଶୁଭିଥିଲା ଗର୍ତ୍ତ ଭିତରୁ । ତୁରନ୍ତ ପରିବାର ସଦସ୍ୟ ଏହା ଜାଣିପାରି ୧୧୨କୁ ଫୋନ କରି ସହାୟତା ମାଗିଥିଲେ । ବର୍ତ୍ତମାନ ଶିଶୁ ଉଦ୍ଧାର କାର୍ଯ୍ୟରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଏନଡିଆରଏଫ ଏବଂ ସ୍ୱାସ୍ଥ୍ୟ ବିଭାଗର ଟିମ୍ ନିୟୋଜିତ ଅଛନ୍ତି ।