• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲକ୍ଷ୍ନୌ: ମୃତ କୃଷକଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ଯାଇଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ପୋଲିସ ବେଆଇନ ଭାବେ ଅଟକ ରଖିଥିଲା । ଯାହାକୁ ନେଇ କଂଗ୍ରେସ ଶିବିରରେ ଆଲୋଡ଼ନ ସୃଷ୍ଟି କରିଛି । କଂଗ୍ରେସ ନେତାମାନେ ଏହାକୁ ନାପସନ୍ଦ କରିଛନ୍ତି । ରାଜସ୍ଥାନର ଉପମୁଖ୍ୟ ମନ୍ତ୍ରୀ ସଚିନ ପାଇଲଟ୍ ଘଟଣାକୁ ନିନ୍ଦା କରିଛନ୍ତି । ସେ ପ୍ରଥମେ ସୀତାପୁର ଓ ପରେ ଲଖିମପୁର ଗସ୍ତ କରିଛନ୍ତି । ତେବେ ଗସ୍ତ ବେଳେ ତାଙ୍କୁ ମଧ୍ୟ ବାଟରେ ଅଟକ ରଖାଯିବାରୁ ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ସେ ବର୍ଷିଥିଲେ ସଚିନ୍‌ । ୟୁପି ସରକାରଙ୍କ ଏଭଳି ଆଚରଣକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି ସଚିନ ପାଇଲଟ୍ ।

ସେପଟେ ଉତ୍ତରପ୍ରଦେଶ ଲଖିମପୁର ହିଂସା ଘଟଣା ନେଇ ଚଣ୍ଡିଗଡ଼ରେ ଆପ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟପାଳଙ୍କ ବାସଭବନ ଆଗରେ ଆପ୍‌ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ ଭବନ ଆଡକୁ ଧସେଇ ପଶିବା ଲାଗି ଉଦ୍ୟମ କରିଥିଲେ । ଉତ୍ୟକ୍ତ କର୍ମୀଙ୍କୁ ଅଟକାଇବାକୁ ପୋଲିସ ପାଣିମାଡ଼ କରିଥିଲା । ଏନେଇ ସେଠାରେ ଉତ୍ତେଜନା ଦେଖାଯାଇଥିଲା । ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ସହ ଦଣ୍ଡ ଦିଆଯାଉ ବୋଲି ଆପ ଦାବି ରଖିଛି ।

ସୂଚନାଯୋଗ୍ୟ, ୟୁପି ଖେରିରେ ଆନ୍ଦୋଳନରତ ଚାଷୀଙ୍କ ସହ ଘଟିଥିବା ଦୁର୍ଘଟଣାକୁ ନେଇ ରାଜନୀତି ଥମିବାର ନାଁ ଧରୁନି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଘଟଣାସ୍ଥଳରେ ପହଞ୍ଚି ମୃତ ଚାଷୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ବୋଲି ଘୋଷଣା କରିଛନ୍ତି । ଏହାସହ ମୃତ ସାମ୍ବାଦିକଙ୍କ ପରିବାରକୁ ମଧ୍ୟ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ସେ କହିଛନ୍ତି । ରାହୁଲ ଗାନ୍ଧିଙ୍କ ସହ ଏହି ଦୁଇ ନେତା ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ କେନ୍ଦ୍ରରେ ଥିବା ବିଜେପି ସରକାର ଉପରେ ପ୍ରବଳ ବର୍ଷିଛନ୍ତି ।

ତେବେ ଆଜି ରାହୁଲ ଗାନ୍ଧୀ ଖେରି ଅଭିମୁଖେ ବାହାରିଥିବା ବେଳେ ତାଙ୍କୁ ଲକ୍ଷ୍ନୌ ବିମାନବନ୍ଦରରେ ଅଟକ ରଖାଯାଇଥିଲା । ଖେରିକୁ ଯିବାକୁ ତାଙ୍କୁ ଅନୁମତି ଦେଇନଥିଲା ସ୍ଥାନୀୟ ପ୍ରଶାସନ । ଏହାପରେ ପୋଲିସ ଓ ସୁରକ୍ଷା କର୍ମୀଙ୍କ ସହ ରାହୁଲଙ୍କର ଅନେକ ଯୁକ୍ତିତର୍କ ହୋଇଥିଲା । ପରେ ତାଙ୍କୁ ଛଡ଼ାଯାଇଥିଲା । ରାହୁଲଙ୍କ ସହ ତାଙ୍କ ଭଉଣୀ ପ୍ରିୟଙ୍କା ମଧ୍ୟ ଲକ୍ଷିମପୁର ଯାଇଛନ୍ତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି, କଂଗ୍ରେସ ସାଧାରଣ ସଂପାଦକ କେ.ସି. ବେଣୁଗୋପାଳ ଏବଂ ଦଳୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟୋୱାଲା ମଧ୍ୟ ଲଖିମପୁର ଯାଉଥିଲେ ।