• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ହଠାତ୍ ମହାରାଷ୍ଟ୍ର ଓ କେରଳରେ ବଢ଼ୁଛି ପଜିଟିଭ୍ ସଂଖ୍ୟା

  • ତୃତୀୟ ଲହରୀ ନେଇ ଚେତାବନୀ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରୀର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଛି । ପଜିଟିଭ୍ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମୁଛି ।  କିନ୍ତୁ କେରଳ ଏବଂ ମହାରାଷ୍ଟ୍ରରେ ବିପରୀତ ସ୍ଥିତି ଦେ‍ଖିବାକୁ ମିଳୁଛି । ୧୧ ଦିନ ମଧ୍ୟରେ ଅର୍ଥାତ୍ ୧୧ ଜୁଲାଇ ପର୍ଯ୍ୟନ୍ତ କେରଳରେ ୧.୨୮ ଲକ୍ଷରୁ ଅଧିକ ସଂକ୍ରମିତ ଏବଂ ମହାରାଷ୍ଟ୍ରରେ ୮୮,୧୩ ରୁ ଅଧିକ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ରହିବା ପାଇଁ ଚେତାବନୀ ଦେଇଛନ୍ତି ବିଶେଷଜ୍ଞ । ସେପଟେ କେରଳ ଏବଂ ମହାରାଷ୍ଟ୍ରକୁ କରୋନାର ତୃତୀୟ ଲହରୀ ପହଞ୍ଚିଗଲାଣି ‍ବୋଲି କୁହାଯାଉଛି । ଏହା ପୂର୍ବରୁ ପ୍ରଥମ ଏବଂ ଦ୍ୱିତୀୟ ଲହରୀରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ​​।

କେରଳ ଦେଶର ଏକମାତ୍ର ଏମିତି ରାଜ୍ୟ, ଯେଉଁଠାରେ ଗତ ୧୧ ଦିନ ମଧ୍ୟରେ ୧,୨୮,୯୫୧ ରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେରଳର ମଲ୍ଲପୁରମ୍, କୋଟାୟାମ, କାସାରାଗୋଡ୍, କୋଝିକୋଡେ ଏବଂ ଥିସୁର ସମେତ ୧୪ଟି ଜିଲ୍ଲାରେ ତୀବ୍ର ବେଗରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛନ୍ତି । ଆଉ ଏଥିପାଇଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଏବେ ଚିନ୍ତାରେ । ମଲ୍ଲପୁରମ୍, କୋଟାୟାମ, କାସାରାଗୋଡ୍ ସଂକ୍ରମିତ ସଂଖ୍ୟା ବଢ଼ୁଥିବା ବେଳେ କୋଟାୟାମ ଓ ଥିସୁରରେ ସଂକ୍ରମଣ ଫ୍ଲାଟୋ ଷ୍ଟେଜରେ ରହିଛି ।

ସେହିପରି ଜୁଲାଇ ୧ ରୁ ୧୧ ମଧ୍ୟରେ ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ ମାତ୍ର ୮୭୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ବିଗତ ଦୁଇ ସପ୍ତାହ ହେଲା କୋଭିଡ୍ ଗ୍ରାଫ୍ ଲଗାତାର ବଢ଼ିବାରେ ଲାଗିଛି । ମୁମ୍ବାଇ, ପୁନେ, କୋହ୍ଲାପୁର ଓ ଥାନେର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ପ୍ରତିନିନ ୮୦୦୦ରୁ ୧୦ ହଜାର ମଧ୍ୟରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ସେପଟେ ଧାର୍ମିକ ଯାତ୍ରା ଓ ପର୍ଯ୍ୟଟନ ଉପରେ ରୋକ ଲଗାଇବାକୁ ସରକାରଙ୍କୁ ଚେତାବନୀ ଦେଇଛି ଆଇଏମଏ । କରୋନାର ତୃତୀୟ ଲହରୀର ଭୟ ଭିତରେ ଦେଶର ଅନେକ ସ୍ଥାନରେ ଖୋଲିଛି ପର୍ଯ୍ୟଟନ ସ୍ଥଳୀ । ଧାର୍ମିକ ଯାତ୍ରାକୁ ଅନୁମତି ତଥା ପର୍ଯ୍ୟଟନ ସ୍ଥଳୀ ଖୋଲିବା ପରେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଚିନ୍ତା ବ୍ୟକ୍ତି କରିଛି । ଭାରତରେ ସଂକ୍ରମଣ ହ୍ରାସ ପାଉଥିଲେ ସୁଦ୍ଧା, ବେପରୁଆ ମନୋଭାବ ପୋଷଣ କଲେ କରୋନା ପୁଣି କହର ବର୍ଷାଇବ ବୋଲି ବିଶେଷଜ୍ଞ ଚେତାବନୀ ଦେଇଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ପ୍ରଶାସନ ଓ ଲୋକଙ୍କ ଅବହେଳା ପାଇଁ ସ୍ଥିତି ଭୟଙ୍କର ହେବାର ସମ୍ଭାବନା ରହିଛି । କାରଣ କଟକଣା କୋହଳ କଲାପରେ ବିଭିନ୍ନ ସ୍ଥାନରେ ଭିଡ଼ ଜମୁଛି, ଯାହା କରୋନାର ତୃତୀୟ ଲହରୀକୁ ଖୋଲାଖୋଲି ଆମନ୍ତ୍ରଣ କରୁଛି ।