Advertisment

ପଞ୍ଚଭୂତରେ ବିଲୀନ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା, ଦିଲ୍ଲୀ ଲୋଧିରୋଡ଼ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

ଭାଇ ନବୀନ ଓ ପ୍ରେମ ପଟ୍ଟନାୟକଙ୍କ ସହ ସମ୍ପର୍କୀୟ ସାମିଲ । ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ବିଭିନ୍ନ ଦଳର ନେତା ଓ ବ୍ୟକ୍ତି ।

author-image
Satyendu Shekher Mishra
Gita Meheta

Gita Meheta

ପଂଚଭୂତରେ ଲୀନ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟାଙ୍କ ପାର୍ଥିବ ଶରୀର । ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ଉପସ୍ଥିତିରେ ପୁଅ ଆଦିତ୍ୟ ସିଂ ମେହେଟ୍ଟାଙ୍କ ମୁଖାଗ୍ନି ସହ ଅତୀତ ହୋଇଯାଇଛନ୍ତି ଅସୀମ ପ୍ରତିଭାର ଅଧିକାରିଣୀ ଗୀତା । ଛଳ ଛଳ ଆଖିରେ ସମସ୍ତେ ଦେଇଛନ୍ତି ଅଶ୍ରୁଳ ବିଦାୟ । ଦିନ ପ୍ରାୟ ସାଢେ ୧୦ଟାରେ ଅବଦୁଲ୍ କଲାମ୍ ରୋଡ୍‌ସ୍ଥିତ ବାସଭବନରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଲୋଧି ରୋଡ୍ ସ୍ଥିତ ଶ୍ମଶାନକୁ ଆସିଥିଲା ପାର୍ଥିବ ଶରୀର ।

Advertisment

ସେଠାରୁ ପୁଅ, ପୁତୁରା ଏବଂ ସମ୍ପର୍କୀଙ୍କ କାନ୍ଧରେ ଯାଇଥିଲା କୋକେଇ । ବଡ଼ ଭାଇ ପ୍ରେମ ପଟ୍ଟନାୟକ, ଅତି ଭଲ ପାଉଥିବା ସାନ ଭାଇ ନବୀନ ପଟ୍ଟନାୟକ, ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ପଟ୍ଟନାୟକ ଏବଂ ଶୋକ ସନ୍ତପ୍ତ ପରିବାର ସଦସ୍ୟ ଗୀତାଙ୍କ ଶେଷ ଦର୍ଶନ କରିବା ସହ ଦେଇଥିଲେ ଅନ୍ତିମ ଶ୍ରଦ୍ଧାଞ୍ଜଳି ।

ଗୀତା ମେହେଟ୍ଟା କେବଳ ପରିଚିତ ନଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଝିଅ ଭାବରେ, ଲୋକେ ତାଙ୍କୁ କେବଳ ଜାଣିନଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଭାରରେ । ବରଂ ସାରା ଦୁନିଆ ତାଙ୍କୁ ଚିହ୍ନିଥିଲା ତାଙ୍କ କାଳଜୟୀ ଲେଖା ପାଇଁ,ସାହିତ୍ୟରେ କୃତିତ୍ବ ପାଇଁ। ନିଜ ପାଇଁ ସେ ସୃଷ୍ଟି କରିପାରିଥିଲେ ସ୍ବତନ୍ତ୍ର ପରିଚୟ । ସେଥିପାଇଁ ତ ଆଜି ଗୀତାଙ୍କ ଅନ୍ତିମ ସତ୍କାର ସମୟରେ ଶ୍ମଶାନରେ ପହଁଚିଥିଲେ ସବୁ ବର୍ଗର, ସବୁ ଦଳ ଏବଂ ସର୍ବମାନ୍ୟ ବ୍ୟକ୍ତି ବିଶେଷ ।

Advertisment

ଗୀତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଏନସିପି ନେତା ପ୍ରଫୁଲ୍ଲ ପଟେଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେଡିର ଏକାଧିକ ସାଂସଦ ଓ ନେତାଙ୍କ ସମେତ ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ଭଳି ବ୍ୟକ୍ତି ବିଶେଷ। ବୈଜୟନ୍ତ ଗୀତାଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରେମ ପଟ୍ଟନାୟକଙ୍କୁ ଆଲିଂଗନ କରି ଧୈର୍ଯ୍ୟ ପ୍ରଦାନ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସାନ୍ୱନା ଦେଇଥିଲେ ।

ସାହିତ୍ୟ, ସାମ୍ବାଦିକତା, ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ଏବଂ ପ୍ରକୃତି ସୁରକ୍ଷା, ସବୁଥିରେ ଛାପ ଛାଡିଯାଇଛନ୍ତି ଗୀତା ମେହେଟ୍ଟା। ଆଜି ସେ ଆମ ଗହଣରେ ନାହାନ୍ତି ସତ, କିନ୍ତୁ ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ଚିରଦିନ ପାଇଁ ଅମର ହୋଇ ରହିବ ।

Delhi
Advertisment
Advertisment