Siachen Glacier: ପୃଥିବୀର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍ ଗ୍ଲାସିଅରରେ 5G ନେଟୱାର୍କ ସେବା ଆରମ୍ଭ, ଆହୁରି ବଢ଼ିଲା ଯବାନଙ୍କ ମନୋବଳ

ସିଆଚେନ୍ ଗ୍ଲାସିଅରରେ ସେବା ପ୍ରଦାନ କରୁଥିବା ପ୍ରଥମ ଟେଲିକମ୍ ଅପରେଟର ହୋଇଛି JIO। ସେନା ସହାୟତାରେ ବରଫ ପାହାଡ଼ ଉପରେ ଲାଗିଲା ଟାୱାର। ଏହା ଅସାଧ୍ୟ ବୋଲି ପ୍ରଥମେ କୁହାଯାଉଥିଲେ ବି ସେନାବାହିନୀ ପକ୍ଷରୁ ଏହି ବରଫ ପାହାଡକୁ ସରଞ୍ଜାମ ଏୟାରଲିଫ୍ଟ ହୋଇଥିଲା। ସୁରକ୍ଷା ବଳୟରେ କାମ କରିଥିଲେ ରିଲାଏନ୍ସ ଜିଓ କର୍ମଚାରୀ।

ସିଆଚେନ୍ ଗ୍ଲାସିଅରରେ ୫ଜି ସେବା

ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ଏହାର ୫ଜି ସେବା ଆରମ୍ଭ ହୋଇଛି। ରିଲାଏନ୍ସ ଜିଓ ଏହି ସେବା ପ୍ରଦାନ କରିଛି। ଏହା ସେନାର ସାହସୀ ଯବାନମାନଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି।

ଭାରତୀୟ ସେନାର 'ଫାୟାର ଆଣ୍ଡ ଫ୍ୟୁରି କର୍ପସ' ଏକ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛି। ସେନା ପକ୍ଷରୁ କୁହାଯାଇଛି ଯେ, ଜିଓ ଏବଂ ଭାରତୀୟ ସେନା ମିଳିତ ଭାବେ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍ ଗ୍ଲାସିଅର୍ ଉପରେ ପ୍ରଥମ ୫ଜି ମୋବାଇଲ୍ ଟାୱାର ସ୍ଥାପନ କରିଛନ୍ତି। ସିଆଚେନ୍‌ର ଏକ ଫରୱାର୍ଡ ପୋଷ୍ଟରେ ଏହା ନିୟୋଜିତ କରାଯାଇଛି। ସବା ଆଗରେ ଥିବା ସେନା ପୋଷ୍ଟର ଯବାନମାନେ ଏହି ସେବାର ସୁଯୋଗ ପାଇବେ। କାରାକୋରାମ ରେଞ୍ଜରେ ୧୬,୦୦୦ ଫୁଟ ଉଚ୍ଚରେ କନେକ୍ଟିଭିଟି ପହଞ୍ଚିପାରିଛି। ଏହାକୁ ଉଭୟ ସେନା ଓ ରିଲାଏନ୍ସ ଜିଓର ସଫଳତା ଭାବେ ବିବେଚନା କରାଯାଉଛି।

ଏହି ସ୍ଥାନରେ ମୋବାଇଲ୍ ଟାୱାର ନିର୍ମାଣ ଏକ କଷ୍ଟସାଧ୍ୟ ବ୍ୟାପାର ଥିଲା। ଏହି ଅଞ୍ଚଳରେ ତାପମାତ୍ରା ମାଇନସ୍ ୪୦ ଡିଗ୍ରୀ ସେଲସିଅସରୁ ମାଇନସ୍ ୫୦ ଡିଗ୍ରୀ ସେଲସିଅସ୍ ମଧ୍ୟରେ ରହିଥାଏ। ତେଣୁ ଏହି ଟାୱାର ପାଇଁ ବିଭିନ୍ନ ସରଞ୍ଜାମ ସିଆଚେନ୍ ଗ୍ଲାସିଅରକୁ ନିଆଯିବା ଏତେ ସହଜ ନଥିଲା। ଏହି ପ୍ରୋଜେକ୍ଟ କରିବା ପାଇଁ ନିଷ୍ପତ୍ତି ନିଆଯିବା ପରଠାରୁ ସେନାବାହିନୀର ବରିଷ୍ଠ ଅଧିକାରୀ ଓ ରିଲାଏନ୍ସ ଜିଓ ଅଧିକାରୀଙ୍କ ମଧ୍ୟରେ ବାରମ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ସରଞ୍ଜାମକୁ ସେନା ପକ୍ଷରୁ ଏୟାରଲିଫ୍ଟ କରାଯାଇଥିଲା।

ଅଧିକ ପଢ଼ନ୍ତୁ : ଭାରତୀୟ ସେନାରେ ଚାକିରି ସୁଯୋଗ: ଦରମା ୨ଲ‍କ୍ଷ ୫୦ହଜାର

ଜାନୁୟାରୀ ୧୫ରେ ସେନା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ସିଆଚେନ୍ ଗ୍ଲାସିଅରରେ ୪ଜି ଏବଂ ୫ଜି ସେବା ଆରମ୍ଭ କରି ଜିଓ ଏକ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି। ସିଆଚେନ୍ ଗ୍ଲାସିଅରରେ ସେବା ଆରମ୍ଭ କରିବାରେ ଜିଓ ଦେଶର ପ୍ରଥମ ଟେଲିକମ୍ ଅପରେଟର ହୋଇଛି। ଏହାକୁ ଏକ ଉଲ୍ଲେଖନୀୟ ସଫଳତା ଭାବେ ଅଭିହିତ କରି ସେନା ପକ୍ଷରୁ କୁହାଯାଇଛି ଯେ, “ଏହି ଅଦମ୍ୟ ସଫଳତା ଆମର ସାହସୀ ସୈନିକମାନଙ୍କ ପାଇଁ ସମର୍ପିତ, ଯେଉଁମାନେ ଆହ୍ୱାନମୂଳକ କଠିନ ପରିସ୍ଥିତିରେ ନିୟୋଜିତ ଥାଇ ଏହି ଆହ୍ୱାନକୁ ସମ୍ପୂର୍ଣ କରିଥିଲେ।”

ଏଭଳି ଉଚ୍ଚତାରେ ଟାୱାର ନିର୍ମାଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ରହିଥିଲା। ସେନା ପକ୍ଷରୁ ସାମଗ୍ରୀ ସହିତ କାର୍ଯ୍ୟ କରୁଥିବା ସଦସ୍ୟମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଇଥିଲା। ଏଥିସହିତ ଜିଓ ଏହାର ସ୍ୱଦେଶୀ ଫୁଲ-ଷ୍ଟାକ ୫ଜି (Full-Stack 5G) ଜ୍ଞାନକୌଶଳ ବ୍ୟବହାର କରିଛି। ଜିଓ ଟିମ୍ ସହିତ ମିଳିତ ଭାବରେ ଫାୟାର ଏଣ୍ଡ ଫ୍ୟୁରି ସିଗନାଲର୍ ଏବଂ ସିଆଚେନ୍ ୱାରିୟର୍ସ ଉତ୍ତର ଗ୍ଲାସିଅରରେ ୫ଜି ଟାୱାର ସ୍ଥାପନ କରିଛନ୍ତି। ଏହି ଅଞ୍ଚଳର ତାପମାତ୍ରା ବହୁତ କମ୍ ରହୁଥିବାରୁ ବରଫରେ ଆଚ୍ଛାଦିତ ହୋଇ ରହିଥାଏ। ଥଣ୍ଡା ପବନ ସାଙ୍ଗକୁ ତୁଷାର ଝଡ଼ ମଧ୍ୟ ଏଠାରେ ବାରମ୍ବାର ଘଟିଥାଏ। ତେବେ ଆମର ବୀର ଯବାନମାନେ ଦେଶର ସୁରକ୍ଷା ପାଇଁ ଏହିଠାରେ କଠିନ ପରିସ୍ଥିତିରେ କାର୍ଯ୍ୟ କରିଥାଆନ୍ତି।

ଅଧିକ ପଢ଼ନ୍ତୁ :ଯେମିତି ସ୍ପିଡ୍ ସେମିତି ଆତ୍ମଘାତୀ, ଭାରତୀୟ ସ୍ଥଳସେନାରେ 'ଖଡ୍ଗ'