• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରତନ ଟାଟା... ବିଜନେସର ବାଦଶାହା... ଟାଟା ନାନୋର ଜନକ ବୋଲି ବି ତାଙ୍କୁ କହାଯାଏ । ଦିନେ ବଜାରକୁ ନାନୋ ଆସିବା ତାଙ୍କର ସ୍ୱପ୍ନ ଥିଲା । ଆଉ ସେ ସ୍ୱପ୍ନ ପଛର ସତ ସତିକା କାହାଣୀ ଜାଣିଲେ ନିଶ୍ଚୟ ଏ ମଣିଷଟିକୁ ଆପଣ ହୃଦୟରୁ ସାଲ୍ୟୁଟ୍ କରିବେ । ଆଉ ଭାବିବାକୁ ବାଧ୍ୟ ହେବେ ସତରେ କ’ଣ ଜଣେ ଏତେ ବଡ଼ ଧନୀ ଗରିବଙ୍କ କଥା ଏମିତି ଚିନ୍ତା କରିପାରେ ।

ଟାଟା ନାନୋ ବା ଲକ୍ଷେ ଟଙ୍କିଆ କାର୍ । ମଧ୍ୟବିତ୍ତଙ୍କ ପାଇଁ ଏହି ପ୍ରୋଜେକ୍ଟ କଥା ଚିନ୍ତା କରିଥିଲେ ରତନ ଟାଟା । ଦିନେ ପ୍ରବଳ ବର୍ଷାରେ ମୁମ୍ବାଇ ରାସ୍ତାରେ ଯିବାବେଳେ ଏକ ଛୋଟିଆ ପରିବାର ଉପରେ ଏମିତି ପଡ଼ିଯାଇଥିଲା ରତନଙ୍କ ଆଖି । ଗୋଟିଏ ବାଇକରେ ୪ ଜଣ ସଦସ୍ୟ ଯାତ୍ରା କରୁଥିବା ବେଳେ ବର୍ଷାରେ ଭିଜୁଥିଲେ । ତା’ ସହ ସେମାନଙ୍କ ଜୀବନ ବିପଦପୂର୍ଣ୍ଣ ବି ଥିଲା । ତେଣୁ ସେମାନଙ୍କ ଭଳି ଅନେକ ପରିବାର ପାଇଁ ଅଳ୍ପ ଦାମରେ ବଜାରକୁ କାର୍ ଆଣିବାକୁ ଚିନ୍ତା କରିଥିଲେ ରତନ । ଆଉ ତା’ ପରେ ଆରମ୍ଭ ହୋଇଥିଲା ନାନୋ ପ୍ରୋଜେକ୍ଟ ।

୨୦୦୮ ଜାନୁଆରୀ ୧୦ ତାରିଖରେ ବଜାରକୁ ଆସିଥିଲା ନାନୋ । ପରେ ଏହା ଲକ୍ଷେ ଟଙ୍କିଆ କାର୍ ଭାବେ ଲୋକପ୍ରିୟତା ପାଇଲା । ଅନେକ ରଙ୍ଗର ଏହି କାର୍ ଦେଖିବାକୁ ବେଶ୍ ଆକର୍ଷଣୀୟ ମଧ୍ୟ ଥିଲା । ରତନଙ୍କ ଏହି ସ୍ୱପ୍ନ ସାକାର ହେବା ପରେ ସେ ପ୍ରତିକ୍ରିୟା ମଧ୍ୟ ରଖିଥିଲେ । ସେ କହିଥିଲେ, ଆମେ ଚିନ୍ତା କରିଥିବା ପରିକଳ୍ପନା ବାସ୍ତବ ରୂପ ନେଇସାରିଛି । ଅଳ୍ପ ମୂଲ୍ୟରେ ଏବେ ମଧ୍ୟବିତ୍ତ ଲୋକଟିଏ ମଧ୍ୟ କାରରେ ଯାଇପାରିବ । ତାଙ୍କର ସୁରକ୍ଷିତ ଯାତ୍ରା ପାଇଁ ଟାଟା ଏହି ବ୍ୟବସ୍ଥା କରିଛି ।

ରତନଙ୍କ ଏପରି ଅନେକ ଚିନ୍ତାଧାରା ଆଜି ସମସ୍ତଙ୍କ ମନରେ ତାଙ୍କୁ ଜୀବିତ କରି ରଖିଛି । ସେ ସିନା ଧନରେ ଧନୀ ଥିଲେ ହେଲେ ହୃଦୟ ତାଙ୍କର କେତେ ମହାନ ଥିଲା ଏହି ନାନୋ ହିଁ ତା’ର ଉଦାହରଣ । ବ୍ୟବସାୟକୁ ନେଇ ସେ ଯେତିକି ଚର୍ଚ୍ଚାକୁ ଆସୁନଥିଲେ ଏଭଳି ଭଲ କାମ ତାଙ୍କୁ ସମସ୍ତଙ୍କ ନିକଟରେ ପରିଚିତ କରାଉଥିଲା । ସେ ଆଜି ନାହାନ୍ତି ସତ ତାଙ୍କର ଏପରି କାମ ସବୁଦିନ ପାଇଁ ଲୋକଙ୍କ ମନରେ ରହିଥିବ ।

OTV is now on Whatsapp

Join and get latest news update delivered to you via whatsapp

Join Now