• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଧରିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି –NIA । ଏହି ଦୁଇ ଅଭିଯୁକ୍ତ ଅବଦୁଲ ମତିନ୍ ତାହା ଏବଂ ମୁସାବିର ସାଜେବ ବୋଲି ଚିହ୍ନଟ ହୋଇଛନ୍ତି । NIA ସୂଚନା ଅନୁଯାୟୀ ସାଜେବର ଘର କର୍ଣ୍ଣାଟକ ଜିଲ୍ଲା ଶିବମୋଗ ଜିଲ୍ଲାର ତିର୍ଥହାଲୀ ଅଞ୍ଚଳରେ ।

ସେ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ । ସେ ହିଁ ଯାଇ କାଫେରେ ବିସ୍ଫୋରକ ରଖିଥିବା NIA ପକ୍ଷରୁ ସୂଚନା ମିଳିଛି । ସେହିଭଳି ଅବଦୁଲ ମତିନ୍ ତାହା ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । ସେ ଏହି ପୂରା ଘଟଣାର ଯୋଜନା କରିଥିଲା ଏବଂ ଏହା କିଭଳି କାର୍ଯ୍ୟକାରୀ ହେବେ ତାହା ମଧ୍ୟ ପ୍ଲାନିଂ କରିଥିଲା ।

ଆଜି ତଦନ୍ତକାରୀ ସଂସ୍ଥା ପଶ୍ଚିମବଙ୍ଗରେ ଖୋଳତାଡ଼ କରି ଦୁଇ ଜଣ ସନ୍ଦିଗ୍ଧଙ୍କୁ ଉଠାଇ ଆଣିଛି । ଗତ ମାର୍ଚ୍ଚ ୧ରେ ବେଙ୍ଗାଲୁରୁର ରାମେଶ୍ୱରମ କା‍ଫେରେ ବିସ୍ଫୋରଣ ଘଟିଥିଲା । ଏଥିରେ ୧୦ ଜଣ ଆହତ ହୋଇଥିଲେ । NIAକୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା ।

ମାର୍ଚ୍ଚ ପହିଲାରେ ପାଖାପାଖି ଦିନ ଗୋଟାଏରେ ଏହି ବିସ୍ଫୋରଣ ହୋଇଥିଲା । ଏଥିରେ ୯ ଜଣ ଗୁରୁତର ହୋଇଥିଲେ । କର୍ଣ୍ଣାଟକ ପୋଲିସ, ଏନଏସଜି, ସାଇଣ୍ଟଫିକ ତଦନ୍ତ ପରେ ଏହା ଏକ ଆଇଇଡି ବିସ୍ଫୋରଣ ବୋଲି ଜଣାପଡ଼ିଥିଲା । ପୂରା କାଫେ ଉଡାଇବାକୁ ଯୋଜନା କରାଯାଇଥିଲା ବୋଲି ସନ୍ଦେହ କରାଯାଉଛି ।

ବେଙ୍ଗାଲୁରୁ କାଫେ ଉଡ଼ାଇବାକୁ ଲଗାଯାଇଥିଲା ଟାଇମ୍ ବମ୍ । ପ୍ରଥମେ ଯୁବକ ଜଣକ ବସରୁ ଓହ୍ଲାଇ ରାମେଶ୍ୱରମ କାଫେରେ ପଶିଥିଲା । ଇଡଲି ଅର୍ଡର କରି, ଡଷ୍ଟବିନ ପାଖରେ ରଖି ଦେଇଥିଲା ବୋମା ଭର୍ତ୍ତି ବ୍ୟାଗ । ୧୧ଟା ୩୦ରେ କାଫେରେ ପଶି ୧୧ଟା ୪୫ ସୁଦ୍ଧା ସେଠୁ ଛୁ ହୋଇ ଯାଇଥିଲା ସନ୍ଦିଗ୍ଧ ।

୧୨ଟା ୫୦ରୁ ୧ଟା ଭିତରେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ୧୦ ସେକେଣ୍ଡ୍ ବ୍ୟବଧାନରେ ଦୁଇ ଦୁଇଟି ବିସ୍ଫୋରଣ ହୋଇଥିବା କୁହାଯାଉଛି । ଘଟଣାର ଦିନକ ପରେ ବିସ୍ଫୋରଣ ସ୍ଥଳ ବୁଲି ଦେଖିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । ଏଥିସହ ବ୍ରୁକ୍ ଫିଲ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।