• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ହିନ୍ଦୁ ବୟାନ ଓ ଶିବଙ୍କ ଫଟୋ ପ୍ରଦର୍ଶନକୁ ନେଇ ଲୋକସଭାରେ ଜୋରଦାର ହଙ୍ଗାମା । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ଆରମ୍ଭ କରି ରାହୁଲ କେନ୍ଦ୍ର ସରକାର ଉପରେ ହମଲା କରିବା ସହ ନିଜକୁ ହିନ୍ଦୁ କହୁଥିବା ଲୋକ ହିଂସା ଓ ଭୟ ସୃଷ୍ଟି କରୁଥିବା ନେଇ ମନ୍ତବ୍ୟ ରଖିବାରୁ ଏହାର ତୀବ୍ର ବିରୋଧ ହୋଇଥିଲା ।

ଖୋଦ୍ ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ହିନ୍ଦୁ ସମାଜକୁ ହିଂସୁକ କହିବା ଗମ୍ଭୀର ବିଷୟ ବୋଲି କହିଥିଲା ବେଳେ ଗୃହମନ୍ତ୍ରୀ ଏଥିପାଇଁ ଦେଶବାସୀଙ୍କ ଆଗରେ ରାହୁଲ କ୍ଷମା ମାଗିବାକୁ ଦାବି କରିଥିଲେ । ବିଜେପି ଉପରେ ହମଲା ପାଇଁ ଲୋକସଭାରେ ପ୍ରଭୁ ଶିବଙ୍କ ସାହାରା ନେଲେ । ନିଜକୁ ହିନ୍ଦୁ କହୁଥିବା ଲୋକ ହିଂସା ଓ ଭୟ ସୃଷ୍ଟି କରୁଥିବାର ମନ୍ତବ୍ୟ ବି ରଖିଲେ ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଏଭଳି ମନ୍ତବ୍ୟକୁ ନେଇ ଲୋକସଭାରେ ଆଜି ପ୍ରବଳ ହଙ୍ଗାମା ହୋଇଛି । ବିରୋଧୀଙ୍କ ଉପରେ ସରକାରଙ୍କ ପକ୍ଷରୁ ହେଉଥିବା ହମଲାର ଅଭିଯୋଗ ଆଣିବା ସହ ହଠାତ୍ ରାହୁଲ ନିଜ ଟେବୁଲରୁ ଶିବଙ୍କ ଫଟୋ ପ୍ରଦର୍ଶିତ କରି, ତାଙ୍କରି ଠାରୁ ହିଁ ବିରୋଧୀ କେମିତି ଶକ୍ତି ପାଉଛନ୍ତି ତାହା ଦର୍ଶାଇଥିଲେ ।

ତେବେ ନିୟମ ଅନୁସାରେ ଗୃହ ଭିତରେ କୌଣସି ପ୍ଲାକାର୍ଡ ଓ ଚିହ୍ନ ପ୍ରଦର୍ଶନର ବାରଣ ଥିବା କହି ଏଥିରୁ ନିବୃତ୍ତ ରହିବାକୁ କହିଥିଲେ ବାଚସ୍ପତି ।

ହେଲେ ଏହା ପରେ ବି ଆଉ ପାଦେ ଆଗକୁ ଯାଇ ରାହୁଲ କହିଥିଲେ ଆମର ମହାପୁରୁଷଙ୍କ ବାର୍ତ୍ତା ହେଉଛି ଡରୋ ମତ୍, ଡରାଓ ମତ୍ । ଶିବଜୀ ବି କୁହନ୍ତି ଡରୋ ମତ୍ ଡରାଓ ମତ୍ । ହେଲେ ଯେଉଁ ଲୋକ ନିଜକୁ ହିନ୍ଦୁ ବୋଲି କହୁଛନ୍ତି ସେମାନେ ୨୪ ଘଣ୍ଟା ହିଂସା କରୁଛନ୍ତି, ଘୃଣା ଓ ଭୟ ସୃଷ୍ଟି କରୁଛନ୍ତି ବୋଲି ମନ୍ତବ୍ୟ ରଖିଥିଲେ ରାହୁଲ ।

ରାହୁଲଙ୍କ ଏ ବୟାନକୁ ନେଇ ଗୃହରେ ପ୍ରବଳ ହଙ୍ଗାମା ହୋଇଥିଲା । ସରକାରୀ ପକ୍ଷ ସଦସ୍ୟ ଏହାର ତୀବ୍ର ବିରୋଧ କରିଥିଲା ବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ରାହୁଲଙ୍କ ଭାଷଣ ମଝିରେ ନିଜ ଆସନରୁ ଉଠି ରାହୁଲଙ୍କ ବୟାନର କଡ଼ା ବିରୋଧ କରିଥିଲେ । କହିଥିଲେ ତମାମ ହିନ୍ଦୁ ସମାଜକୁ ହିଂସୁକ କୁହାଯିବା ଗମ୍ଭୀର ବିଷୟ ।

ଯାହା ଉପରେ ତୁରନ୍ତ ପ୍ରତିକ୍ରିୟା ରଖି ବିଜେପି ପୂରା ହିନ୍ଦୁ ସମାଜ ନୁହଁନ୍ତି ବୋଲି ସଫେଇ ରଖିଥିଲେ ରାହୁଲ । ଏହାପରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ତୀବ୍ର ଆପତ୍ତି ଉଠାଇଥିଲେ । ଶାହ କହିଥିଲେ ରାହୁଲ କହିବାକୁ ଚାହାନ୍ତି କି ଦେଶର କୋଟି କୋଟି ହିନ୍ଦୁ ହିଂସୁକ ଅଟନ୍ତି । ହିଂସାକୁ କୌଣସି ବି ଧର୍ମ ସହ ଯୋଡ଼ିବା ଉଚିତ୍ ନୁହେଁ ।

ତେଣୁ ଏଭଳି ବୟାନ ପାଇଁ ରାହୁଲଙ୍କୁ ଦେଶବାସୀଙ୍କ ସାମ୍ନାରେ କ୍ଷମା ମାଗିବାକୁ ଦାବି କରିଥିଲେ ଗୃହମନ୍ତ୍ରୀ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ବେଳେ ପ୍ରଥମଥର କରି ବିରୋଧୀ ଦଳ ନେତା ଆସନରେ ବସିଥିବା ରାହୁଲ ଗାନ୍ଧିଙ୍କ ଅସଲି ହିନ୍ଦୁ ଓ ହିଂସୁକ ହିନ୍ଦୁର ଏ ପରିଭାଷା ନୂଆ ବିବାଦ ସୃଷ୍ଟି କରିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now