Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧି ଅଟକ, ବାରିକେଡ୍‌ ଡେଇଁଲେ ପ୍ରିୟଙ୍କା

ବିକ୍ଷୋଭ ପ୍ରଦର୍ଶନ ବେଳେ ଦିଲ୍ଲୀ ପୋଲିସ୍‌ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଏହାର ପ୍ରତିବାଦ କରି କଂଗ୍ରେସ ସାଂସଦ ବିଜୟ ଚୌକରେ ଧାରଣା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Rahul Gandhi Detained Amid Massive Congress Protest

Rahul Gandhi Detained Amid Massive Congress Protest

ଦରବୃଦ୍ଧି, ବେରୋଜଗାର ଓ ଜିଏସ୍‌ଟି ବୃଦ୍ଧି ପ୍ରତିବାଦରେ ଦେଶବ୍ୟାପୀ ଆଜି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ବିକ୍ଷୋଭ ପ୍ରଦର୍ଶନ ବେଳେ ଦିଲ୍ଲୀ ପୋଲିସ୍‌ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଏହାର ପ୍ରତିବାଦ କରି କଂଗ୍ରେସ ସାଂସଦ ବିଜୟ ଚୌକରେ ଧାରଣା ଦେଇଛନ୍ତି। 

Advertisment

ସୂଚନା ଅନୁସାରେ, କଂଗ୍ରେସ ସାଂସଦଙ୍କ ସହ ରାହୁଲ ଗାନ୍ଧି ସଂସଦ ଭବନରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ବିକ୍ଷୋଭ ରାଲି ଆରମ୍ଭ କରିଥିଲେ। ହେଲେ ଏହି ସମୟରେ ପୋଲିସ୍‌ ସେମାନଙ୍କୁ ବିଜୟ ଚୌକ ନିକଟରେ ଅଟକାଇ ଥିଲା। ଏହାପରେ ରାହୁଲ ଗାନ୍ଧିଙ୍କ ସମେତ ଅନେକ ନେତାଙ୍କୁ ପୋଲିସ୍‌ ଅଟକ ରଖିଥିଲା। କଂଗ୍ରେସର ଏହି ବିକ୍ଷୋଭ ପ୍ରଦର୍ଶନକୁ ପୋଲିସ୍‌ ଅନୁମତି ଦେଇନଥିଲା। ଏହାସହ ଏହି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ତଥାପି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Advertisment

କଂଗ୍ରେସ କାର୍ଯ୍ୟାଳୟରୁ ବିକ୍ଷୋଭ ଯାତ୍ରା ବାହାରିବା ବେଳେ ପ୍ରିୟଙ୍କା ଗାନ୍ଧି ପୋଲିସ୍‌ ବାରିକେଡ୍‌ ଡେଇଁଥିବା ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ ଅଟକ ରଖାଯାଇଥିଲା। ଏନେଇ ରାହୁଲ ଗାନ୍ଧି କହିଛନ୍ତି, ‘ସବୁ ସାଂସଦ ଦରବୃଦ୍ଧି ପ୍ରସଙ୍ଗ ନେଇ ରାଷ୍ଟ୍ରପତି ଭବନ ଅଭିମୁଖେ ରାଲି କରୁଥିଲେ। ହେଲେ ଆମକୁ ଆଉ ଆଗକୁ ଯିବା ପାଇଁ ଅନୁମତି ମିଳିନଥିଲା। ଆମର କାମ ସାଧାରଣଜନତାଙ୍କ ସମସ୍ୟା ଉପସ୍ଥାପନା କରିବା। ହେଲେ କିଛି ସାଂସଦଙ୍କୁ ଅଟକ ରଖାଯାଇଥିବା ବେଳେ ଆଉ କିଛି ସାଂସଦଙ୍କ ଉପରେ ଆକ୍ରମଣ ହୋଇଛି’।


— ANI (@ANI) August 5, 2022

ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି, ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଇବା ସହ ଯୁବଗୋଷ୍ଠୀଙ୍କ ମଧ୍ୟରେ ନିରାଶ ଦେଖା ଦେବାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସ ଏହି ଆନ୍ଦୋଳନ କରୁଛି। କଂଗ୍ରେସ ସାଂସଦମାନେ କଳା ପୋଷାକ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୋନିଆ ଗାନ୍ଧି ମଧ୍ୟ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଛନ୍ତି। ଦିଲ୍ଲୀ, ବିହାର, ତେଲେଙ୍ଗାନା ଓ ରାଜସ୍ଥାନ ସମେତ ଦେଶରେ ଅନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଦିଲ୍ଲୀରେ ବର୍ଷା ସତ୍ତ୍ୱେ ମଧ୍ୟ କଂଗ୍ରେସ କର୍ମୀ ରାସ୍ତା ଉପରକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ବାହାରେ ବହୁ ସଂଖ୍ୟକ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି। 

Sonia Gandhi Priyanka Gandhi Rahul Gandhi Congress Protest Rahul Gandhi Detain
Advertisment
Advertisment