Advertisment

ବିଶ୍ୱ ଦେଖିଲା ଭାରତର ଶୌର୍ଯ୍ୟ ଓ ପରାକ୍ରମ; ଶତ୍ରୁପକ୍ଷକୁ ଜବାବ ଦେବାକୁ ପ୍ରସ୍ତୁତ ଭାରତୀୟ ନାରୀଶକ୍ତି

ଏଥର ସାଧାରଣତନ୍ତ୍ର ଦିବସରେ ମିଲିଟାରୀ ବ୍ୟାଣ୍ଡ୍ ବଦଳରେ ପ୍ରଥମ ଥର ପାଇଁ ସମାରୋହ ଆରମ୍ଭ କରିଥିଲେ ମହିଳା ବାଦ୍ୟକାରଙ୍କୁ ନେଇ ଗଠିତ ଆବାହନ ଗ୍ରୁପ୍। ଶହେ ଜଣ ମହିଳା କଳାକାରଙ୍କ ଶଙ୍ଖଧ୍ୱନି, ନାଦସ୍ୱରମ ଓ ନାଗରା ଆଦିରେ ପ୍ରକଂପରିତ ହୋଇଥିଲା ଦିଲ୍ଲୀର କର୍ତ୍ତବ୍ୟପଥ।

author-image
Manoranjan Behera
Republic Day Parade

Republic Day Parade

ଅମୃତକାଳର ସାଧାରଣତନ୍ତ୍ର ଦିବସ ସମାରୋହରେ ଭାରତର ଐତିହାସିକ ପରାକ୍ରମ ପ୍ରଦର୍ଶନ। ସାରା ବିଶ୍ୱ ଦେଖିଲା ଭାରତୀୟ ନାରୀଶକ୍ତିର ପରାକାଷ୍ଠା। ଆବାହନୀ ଧୂନ୍ଠୁ ନେଇ ଅଲ ୱିମେନ୍ ଟ୍ରାଇସର୍ଭିସ୍ କଣ୍ଟିନେଣ୍ଟର ମାର୍ଚ୍ଚପାଷ୍ଟ। ରିପବ୍ଲିକ ଡେ ପରେଡର ବହୁକ୍ଷେତ୍ରରେ ମହିଳା ଯୋଡ଼ିଲେ ପ୍ରଥମ ଅଧ୍ୟାୟ। ଖାଲି ଏତିକି ନୁହେଁ, କର୍ତ୍ତବ୍ୟପଥରେ ସ୍ୱଦେଶୀ ଯୁଦ୍ଧାସ୍ତ୍ର ଓ ଲଢୁଆ ବିମାନର ଫ୍ଲାଏପାଷ୍ଟ ସହ ନିଜର ଅସୀମ ଶକ୍ତି ଓ ଶୌର୍ଯ୍ୟ ଦେଖାଇଛି ସେନା।

Advertisment

କର୍ତ୍ତବ୍ୟପଥରେ ସାରା ବିଶ୍ୱଦେଖିଲା ଭାରତର ଶୌର୍ଯ୍ୟ ଓ ପରାକ୍ରମ। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାର ଏକରୁ ବଳି ଆରେକ ଝଲକ। ବ୍ୟାଣ୍ଡ୍ ଓ ମାର୍ଚ୍ଚପାଷ୍ଟ୍ ହେଉ କି ଆକାଶରେ ଚିତାକର୍ଷକ ଫ୍ଲାଏପାଷ୍ଟ୍, ଗଣତନ୍ତ୍ର ଦିବସରେ ବୀରତ୍ୱ ପ୍ରଦର୍ଶନ କଲେ ଗରିୟସୀ ନାରୀଶକ୍ତି।

ଏଥର ସାଧାରଣତନ୍ତ୍ର ଦିବସରେ ମିଲିଟାରୀ ବ୍ୟାଣ୍ଡ୍ ବଦଳରେ ପ୍ରଥମ ଥର ପାଇଁ ସମାରୋହ ଆରମ୍ଭ କରିଥିଲେ ମହିଳା ବାଦ୍ୟକାରଙ୍କୁ ନେଇ ଗଠିତ ଆବାହନ ଗ୍ରୁପ୍। ଶହେ ଜଣ ମହିଳା କଳାକାରଙ୍କ ଶଙ୍ଖଧ୍ୱନି, ନାଦସ୍ୱରମ ଓ ନାଗରା ଆଦିରେ ପ୍ରକଂପରିତ ହୋଇଥିଲା ଦିଲ୍ଲୀର କର୍ତ୍ତବ୍ୟପଥ। ଦେଶବାସୀଙ୍କ ଛାତି ସେତେବେଳେ ଗର୍ବରେ ଫୁଲି ଉଠିଥିଲା, ଯେତେବେଳେ ଭାରତର ମହିଳା ରାଷ୍ଟ୍ରପତି ଗ୍ରହଣ କରିଥିଲେ ଅଲ୍-ୱିମେନ ଟ୍ରାଇସର୍ଭିସ କଣ୍ଟିନଜେଣ୍ଟର ଅଭିବାଦନ। ଇତିହାସରେ ପ୍ରଥମ ଥର ପାଇଁ ଏକାଠି ପରେଡ୍ କରିଥିଲେ ଜଳ, ସ୍ଥଳ ଓ ବାୟୁସେନାର ମହିଳା ଅଫିସର୍। ନେତୃତ୍ୱ ନେଇଥିଲେ ଆର୍ମି ମିଲିଟାରୀ ପୋଲିସର କ୍ୟାପଟେନ ସନ୍ଧ୍ୟା। ଏକତା ଓ ସାମର୍ଥ୍ୟକୁ ଦର୍ଶାଉଥିବା ଏହି ୩ ବାହିନୀ ମିଳିତ ପରେଡର ବାର୍ତ୍ତା ଥିଲା ସେବା ତଥା ସହାୟତା।

Advertisment

ତେବେ ଖାଲି ୩ ସେନା କାହିଁକି, ଅନେକ ସାମରିକ, ଅର୍ଦ୍ଧସାମିରକ ଓ ପୋଲିସ ବାହିନୀର ଅଲ-ୱିମେନ କଣ୍ଟିନଜେଣ୍ଟ ପ୍ରଥମ ଥର ପାଇଁ ବ୍ୟାଣ୍ଡ ଓ ପରେଡ୍ ପ୍ରଦର୍ଶନ କରିଥିଲେ ୭୫ ତମ ଗଣତନ୍ତ୍ର ଦିବସ ସମାରୋହରେ। BSF ମହିଳା ବ୍ରାସ୍ ବ୍ୟାଣ୍ଡ, ସେନା ବାହିନୀର ମେଡିକାଲ ମହିଳା କଣ୍ଟିଜେଣ୍ଟ, CISF, CRPF, CAPF, ITBP ଓ SSB ସହିତ ଦିଲ୍ଲୀ ପୋଲିସର ମହିଳା ଦଳ ବି ପ୍ରଦର୍ଶନ କରିଥିଲେ ଐତିହାସିକ ପରେଡ୍। ଏହାପରେ ଅତିଥିଙ୍କ ହୃଦସ୍ପନ୍ଦନ ବଢ଼ାଇଥିଲେ ମହିଳା ଡେୟାର ଡେଭିଲ୍ ଟିମ୍। ମୋଟର ସାଇକେଲରେ ୨୬୫ ଜଣ କେନ୍ଦ୍ରୀୟ ସଶସ୍ତ୍ର ମହିଳା ଯବାନ ଚିତାକର୍ଷକ ଷ୍ଟଣ୍ଟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ ଚନ୍ଦ୍ରୟାନ, ସର୍ବତ୍ର ସୁରକ୍ଷା, ଅଭିବାଦନ ଓ ଯୋଗରୁ ସିଦ୍ଧି ଆଦି ଫର୍ମେସନ।

କର୍ତ୍ତବ୍ୟ ପଥରେ ଆଜି ଦେଖିବାକୁ ମିଳିଥିଲା ଆତ୍ମନିର୍ଭର ଭାରତ ଓ ମେକ୍-ଇନ୍-ଇଣ୍ଡିଆର ଏକରୁ ବଳି ଆରେକ ଉଦାହରଣ। ୧୦୫ ଏମ୍ଏମ୍ ଇଣ୍ଡିଆନ୍ ଫିଲ୍ଡ ଗନରେ ୨୧ ତୋପ ସଲାମୀ ହେଉ, ଅବା ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପ୍ରଦର୍ଶନ। T-90 ଭୀଷ୍ମ ଟ୍ୟାଙ୍କ, ନାଗ ଓ ପିନାକ ମିଜାଇଲ୍, ୱିପନ ଲୋକେଟିଂ ରାଡାର, ଡ୍ରୋନ ଜାମର, ଆଡଭାନ୍ସ ରେଡିଓ ଫ୍ରିକ୍ୟୁଏନ୍ସି, ମଲ୍ଟି ଫଙ୍କସନ (MF) ରାଡାର ଆଦି ସ୍ୱଦେଶୀ ଯୁଦ୍ଧାସ୍ତ୍ର ଓ ପ୍ରତିରକ୍ଷା ଉପକରଣ ପ୍ରଦର୍ଶନ କରି ନିଜ ଶକ୍ତି ପ୍ରଦର୍ଶନ କରିଥିଲା ନୂଆ ଭାରତ। ୱିପନ ଲୋକେଟିଂ ରାଡାର-ସ୍ୱାତୀ ଓ ପିନାକ ରକେଟ୍ ସିଷ୍ଟମର ନେତୃତ୍ୱ ନେଇଥିଲେ, ପ୍ରଥମ କରି ଆର୍ଟିଲାରି ରେଜିମେଣ୍ଟରେ ନିଯୁକ୍ତି ପାଇଥିବା ୧୦ ମହିଳା ଅଫିସରଙ୍କ ମଧ୍ୟରୁ ୨ ଜଣ ଦୀପ୍ତି ରାଣା ଓ ପ୍ରିୟଙ୍କା ସେବଦା।

ସମାରୋହର ଶେଷ ପର୍ଯ୍ୟାୟରେ ଆକାଶରେ ଶୁଭିଥିଲା ଗୁରୁଗର୍ଜନ। ବାୟୁବୀରଙ୍କ ଅଭୂତପୂର୍ବ ଶୌର୍ଯ୍ୟ ଓ ସମନ୍ବୟର ସାକ୍ଷୀ ବନିଥିଲେ ନଭମୁଖୀ ଦର୍ଶକ। ହେରିଟେଜ୍ ପ୍ଲେନ୍ ଡାକୋଟାର ଟାଙ୍ଗାଇଲ୍ ଫର୍ମେସନ ଠୁ ଆରମ୍ଭ କରି ରାଫେଲ, ତେଜସ, ସୁଖୋଇ ଆଦିର ମରୁତ, ବଜରଙ୍ଗ ଓ ବିଜୟ ଆଦି ଫର୍ମେସନ। ଚିତାକର୍ଷକ ଏୟାର ସୋ'ରେ ଫ୍ଲାଏପାଷ୍ଟ କରିଥିଲା ଅତିଥି ଫ୍ରାନ୍ସର ୩ଟି ବିମାନ ସହ ମୋଟ ୫୪ଟି ଫାଇଟର ଜେଟ୍ ଓ ଲଢ଼ୁଆ ହେଲିକପଟର। LCH ଓ ଆପାଚେର ପ୍ରଚଣ୍ଡ ଫର୍ମେସନ, ALH ମାର୍କ-ଫୋରର ଆରୋ ଫର୍ମେସନ ଆଦି ମଧ୍ୟ ଅବିସ୍ମରଣୀୟ ଥିଲା। ବାୟୁସେନା ଫ୍ଲାଏପାଷ୍ଟରେ ଆକାଶର ଛାତି ଚିରି ଗୌରବର ଗାଥା ରଚିଥିଲେ ୧୫ ମହିଳା ପାଇଲଟ୍ ।

Republic Day Parade
Advertisment
Advertisment