Advertisment

PTSD in Pahalgam Victims: ଏବେ ବି ଶୁଭୁଛି ନିରୀହଙ୍କ ଚିତ୍କାର ଆଉ ଗୁଳିର ଶବ୍ଦ : ପହଲଗାମ ପୀଡ଼ିତଙ୍କୁ PTSD ଭୟ

ହିଂସାର ନିଆଁରେ ଜଳୁଥିବା ମଣିଷମାନେ ଧର୍ମର ଦ୍ୱାହି ଦେଇ ପର୍ଯ୍ୟଟକଙ୍କୁ ନିଶାନା ବନାଇଥିଲେ । ଆମେ ପାକିସ୍ତାନରେ ଗୋଟାଏ ରୋଟି ପାଇଁ ମରୁଛୁ, ତୁମେମାନେ କିପରି ଖୁସି ହୋଇପାରିବ କହି ଧାଇଁ ଧାଇଁ ପଏଣ୍ଟ ବ୍ଲାଙ୍କରୁ ଫାୟାରିଂ କରିଥିଲେ । ଦୁଃଖର ବିଷୟ ପ୍ରାରମ୍ଭିକ ଯାଞ୍ଚରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଧର୍ମ ଜାଣିବା ପାଇଁ ପ୍ରାୟ ୨୦ ଜଣ ପୁରୁଷଙ୍କ ପ୍ୟାଣ୍ଟ ଖୋଲାଯାଇଥିବା ଜଣାପଡ଼ିଛି ।

author-image
Pragyan Paramita Behera
ଅଦ୍ୟତନ ହୋଇଛି
ସ୍ୱପ୍ନରେ ଶୁଭୁଛି ଗୁଳିର ଶବ୍ଦ

ସ୍ୱପ୍ନରେ ଶୁଭୁଛି ଗୁଳିର ଶବ୍ଦ

ଦେଶର ମାନଚିତ୍ରକୁ ଖଣ୍ଡ ବିଖଣ୍ଡିତ କରିବାକୁ ସୀମା ସରହଦ ଡେଇଁ ଶତ୍ରୁ ଦେଶରୁ ଚାଲି ଆସିଥିଲେ କିଛି କୁତ୍ସିତ କଦାକାର ମଣିଷ । ମୁନି ଋଷିଙ୍କର ଭୂମିକୁ ରକ୍ତରଞ୍ଜିତ କରି ବିଶ୍ୱ ଦରବାରରେ ବଦନାମ କରିବାକୁ ବ୍ୟୁହ ରଚନା କରିଥିଲେ । ମା’ ଛାତିର ଅମୃତ ପିଇଥିଲେ ସିନା ଭାରତ ମାତାର ସୁଯୋଗ୍ୟ ତଥା ବୀର ପୁତ୍ରଙ୍କ ସହ ମୁହାଁମୁହିଁ ହୋଇଥାଆନ୍ତେ । ସେପରି ନକରି ଧର୍ମ ପଚାରି ପଚାରି ନିରସ୍ତ୍ର ନିରୀହ ପର୍ଯ୍ୟଟକଙ୍କୁ ଗୁଳି କଲେ ଆତଙ୍କବାଦୀ । ପର୍ଯ୍ୟଟକମାନେ ପରିବାର ସହ ମିଶି ହସଖୁସିରେ ମସଗୁଲ ଥିବାବେଳେ ଆତଙ୍କ ସୃଷ୍ଟି କରିଥିଲେ । ସତେଯେମିତି ଭାରତବାସୀଙ୍କ ଖୁସି ଦେଖି ଆତଙ୍କୀର ରକ୍ତରେ ନିଆଁ ଲାଗିଯାଇଥିଲା ।

Advertisment

ହିଂସାର ନିଆଁରେ ଜଳୁଥିବା ମଣିଷମାନେ ଧର୍ମର ଦ୍ୱାହି ଦେଇ ପର୍ଯ୍ୟଟକଙ୍କୁ ନିଶାନା ବନାଇଥିଲେ । ଆମେ ପାକିସ୍ତାନରେ ଗୋଟାଏ ରୋଟି ପାଇଁ ମରୁଛୁ, ତୁମେମାନେ କିପରି ଖୁସି ହୋଇପାରିବ କହି ଧାଇଁ ଧାଇଁ ପଏଣ୍ଟ ବ୍ଲାଙ୍କରୁ ଫାୟାରିଂ କରିଥିଲେ । ଦୁଃଖର ବିଷୟ ପ୍ରାରମ୍ଭିକ ଯାଞ୍ଚରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଧର୍ମ ଜାଣିବା ପାଇଁ ପ୍ରାୟ ୨୦ ଜଣ ପୁରୁଷଙ୍କ ପ୍ୟାଣ୍ଟ ଖୋଲାଯାଇଥିବା ଜଣାପଡ଼ିଛି । ଆତଙ୍କବାଦୀମାନେ ଗୁଳି ମାରିବା ପୂର୍ବରୁ ସେମାନଙ୍କ ଧର୍ମ ନିର୍ଣ୍ଣୟ କରିବା ପାଇଁ ଏପରି ବିକୃତ ଉପାୟ ଆପଣାଇଥିଲେ ।

ଆତଙ୍କବାଦୀଙ୍କ ଗୁଳିର ଗର୍ଜନରେ ପହିଲଗାମର ପ୍ରାକୃତିକ ପରିବେଶରେ ବିଭୋର ଲୋକଙ୍କ ପାଇଁ ମୁହୂର୍ତ୍ତକ ମଧ୍ୟରେ ବଦଳିଗଲା ଦୁନିଆ । ଯେଉଁମାନେ ବରଫର ଚାଦର ସାଙ୍ଗକୁ ଘଞ୍ଚ ଜଙ୍ଗଲ ପରିବେଶ, ସବୁଜ ରଙ୍ଗର ଗଛ ପତ୍ର ତରୁଲତା ସହିତ ମନକୁ ସ୍ତବ୍ଧ କରିଦେବା ଭଳି ଦୃଶ୍ୟର ମଜା ନେଉଥିଲେ, ସେମାନଙ୍କ ଆଖି ସାମ୍ନାରେ ମୃତ୍ୟୁର ଘୃଣ୍ୟ ଖେଳ ଖେଳିଥିଲେ ଆତଙ୍କୀ । ସ୍ତ୍ରୀ , ଛୁଆପିଲାଙ୍କୁ ନୂଆ ଅନୁଭୂତି ସାଉଣ୍ଟିବା ପାଇଁ ଯାଇଥିବା ପରିବାର ସବୁଦିନ ପାଇଁ ଛାରଖାର ହୋଇଗଲା । ଆତଙ୍କବାଦୀ ଆକ୍ରମଣରେ କିଏ ଭାଇକୁ ହରାଇଛି ତ କାହା ହାତର ମେହେନ୍ଦି ଶୁଖିବା ଆଗରୁ ମଥାର ସିନ୍ଦୂର ଲିଭିଯାଇଛି । ପହଲଗାମରେ ହୋଇଥିବା ବର୍ବର ଆତଙ୍କୀ ଆକ୍ରମଣରେ ଚାଲିଯାଇଛି ୨୬ ନିରୀହଙ୍କ ଜୀବନ ।

Advertisment

ଏଇଠି ପ୍ରଶ୍ନ ଉଠେ କଲମା ପଢ଼ିବାକୁ କହି ନିରୀହଙ୍କ ଛାତିକୁ ଗୁଳିମାରିବା ପରେ ଅଟ୍ଟହାସ୍ୟ କରୁଥିବା ଆତଙ୍କୀଙ୍କୁ କ୍ଷମା କରିବେ ତ ଆଲ୍ଲା । ୨୨ ଏପ୍ରିଲରେ ଏହି ଘଟଣା ଘଟିବା ପର ଠାରୁ ଖବରକାଗଜ, ଟିଭି, ମୋବାଇଲରେ ସେହି ଗୋଟିଏ ଖବର ଚାରିଆଡ଼େ ଘୁରି ବୁଲୁଛି । ସେସମୟର ଦୃଶ୍ୟକୁ ମନେ ପକାଇବା ସମୟରେ ଦେହ ଭୟରେ ଶୀତେଇ ଉଠୁଛି, ପାଟି ଅଠା ଅଠା ଲାଗୁଛି, ମନଟା ବିଷେଇ ଉଠୁଛି ।

ହେଲେ ଥରେ ଭାବନ୍ତୁ ସେହି ଲୋମଟାଙ୍କୁରା ସମୟକୁ କାଟିଥିବା ଲୋକଙ୍କ ଅବସ୍ଥା କିପରି ଥିବ ? ଯିଏ ହାତଯୋଡ଼ି ସ୍ୱାମୀର ଜୀବନ ପାଇଁ ଆତଙ୍କୀ ସାମ୍ନାରେ କାକୁତିମିନତି ହେଉଥିଲା, ତା’ର ଦିନ କପରି କଟୁଥିବ ..ଅସହ୍ୟ ଯନ୍ତ୍ରଣାରେ ସେ ହୁଏତ ରାତିରେ ଶୋଇପାରୁ ନଥିବ.. ସ୍ୱପ୍ନରେ ଆସି ବାରମ୍ବାର ତାକୁ କେହି ହାତ ଠାରି ଡାକୁଥିବ.. ମୋତେ ବଞ୍ଚାଇଦିଅ କହି ସାହାଯ୍ୟ ମାଗୁଥିବ । ସେହି ୨୦ ମିନିଟ୍ କାଟିଥିବା ମହିଳା ଏବଂ ପିଲାମାନଙ୍କ ମନ ଭିତରେ କ’ଣ ଚାଲିଥିବ ? ସେହି କ୍ଷତ ମନ ଏବଂ ହୃଦୟକୁ ତିଳ ତିଳ କରି ଜାଳି ଦେଉଥିବ । ଏହି ଘଟଣା ପରେ ଦେଶର ଅନେକ ମାନସିକ ରୋଗ ବିଶେଷଜ୍ଞ ପହଲଗାମ ପୀଡ଼ିତଙ୍କ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ପ୍ରକାଶ କରୁଛନ୍ତି।

PTSDର ଶିକାର ଶିକାର ହୋଇପାରନ୍ତି ପହଲଗାମ ପୀଡ଼ିତ

PTSDର ଅର୍ଥ ହେଉଛି ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ୍ ଡିସଅର୍ଡର... କୌଣସି ପ୍ରକାର ଆଘାତଜନକ ପରିସ୍ଥିତିର ସମ୍ମୁଖୀନ ହେବା ପରେ ଲୋକଙ୍କ ମସ୍ତିଷ୍କ ପ୍ରଭାବିତ ହେବାର ସମ୍ଭାବନା ଅଧିକ ଥାଏ । ଦିଲ୍ଲୀର ବରିଷ୍ଠ ମନସ୍ତତ୍ତ୍ୱବିତ୍ ଡକ୍ଟର ଓମପ୍ରକାଶ କହିଛନ୍ତି PTSD ଏକ ମାନସିକ ସ୍ୱାସ୍ଥ୍ୟ ସ୍ଥିତି, ଏକ ଅତ୍ୟନ୍ତ ଚାପପୂର୍ଣ୍ଣ କିମ୍ବା ଭୟଙ୍କର ଘଟଣାର ସାକ୍ଷୀ ଥିବା ଲୋକଙ୍କୁ ଏହାର ଭୟ ଅଧିକ ଥାଏ । ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ ଦୁଃସ୍ୱପ୍ନ, ଫ୍ଲାସବ୍ୟାକ୍, ଚିନ୍ତା, ଅବସାଦ ଏବଂ ସାମାଜିକ ଏକାକୀତ୍ୱ ଆଦି ସାମିଲ ରହିଛି । ପିଲାମାନଙ୍କ ଠାରେ ଏହି ଅବସ୍ଥା ଆହୁରି ଜଟିଳ ହୋଇପାରେ, କାରଣ ସେମାନେ ନିଜର ଭାବନାକୁ ଠିକ୍ ଭାବରେ ଅନ୍ୟ ନିକଟରେ ପ୍ରକାଶ କରିପାରନ୍ତି ନାହିଁ।

କୁନି ପିଲାଙ୍କ ଉପରେ ମଧ୍ୟ ପଡ଼ିବ ପ୍ରଭାବ

ଡାକ୍ତରଙ୍କ ଅନୁସାରେ, ଏହି ଆକ୍ରମଣରେ ଅନେକ ପିଲା ମଧ୍ୟ ପ୍ରଭାବିତ ହୋଇଛନ୍ତି । ପିଲାଦିନେ ଏପରି ଆଘାତର ସମ୍ମୁଖୀନ ହେବା ପିଲାମାନଙ୍କ ମାନସିକ ବିକାଶ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ସେମାନେ ଭୟ, ଚିନ୍ତା, ନିଦ୍ରା ବ୍ୟାଘାତ ଏବଂ ସାମାଜିକ ବିଚ୍ଛିନ୍ନତା ଭଳି ଲକ୍ଷଣ ଅନୁଭବ କରିପାରନ୍ତି। ତେଣୁ ଏପରି ଘଟଣାର ଶିକାର ହେଉଥିବା ପିଲାମାନଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ଯତ୍ନର ଆବଶ୍ୟକତା ରହିଛି । ଏହି ଘଟଣା ଗୁଡ଼ିକୁ ଦେଖିଥିବା ପିଲାମାନଙ୍କର କାଉନସେଲିଂ ହେବା ଦରକାର । କେବଳ ଏତିକି ନୁହେଁ ସେହି ସମୟରେ ଶହ ଶହ ମହିଳା ନିଜ ଆଖି ଆଗରେ ଗୁଳିଚାଳନା, ଚିତ୍କାର, ବୁକୁଫଟା କାନ୍ଦଣା, ଗୁଳିଚାଳନା ଏବଂ ଏହା ଯୋଗୁଁ ଲୋକଙ୍କ ମୃତ୍ୟୁ ମଧ୍ୟ ଦେଖିଥିଲେ। ଏହା ମହିଳାମାନଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଚାପ ପକାଇପାରେ ।

ପ୍ରଭାବ କେତେ ହୋଇପାରେ

ଏହି ଘଟଣାର ପ୍ରଭାବ ପ୍ରତ୍ୟକ୍ଷଦର୍ଶୀଙ୍କ ମନରେ ବହୁତ ଗଭୀର ହୋଇପାରେ। ଏହାର ଲକ୍ଷଣ ପିଲା ଏବଂ କିଶୋର ମାନଙ୍କଠାରେ ଅଧିକ ଦେଖାଯାଇପାରେ। ଏହା ବ୍ୟତୀତ ଏହି ଘଟଣା ଆଙ୍ଗଜାଇଟିରେ ପୀଡ଼ିତ ଲୋକଙ୍କ ମନକୁ ମଧ୍ୟ ପ୍ରଭାବିତ କରିପାରେ। ଏହି ଘଟଣା ସ୍ଥାନୀୟ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିପାରେ କାରଣ ସେମାନଙ୍କର ରୋଜଗାରର ପନ୍ଥା ଉପରେ ମଧ୍ୟ ଆତଙ୍କୀ ଆକ୍ରମଣ ହୋଇଛି । ଘଟଣାର ପ୍ରତ୍ୟକ୍ଷଦର୍ଶୀମାନେ ବିଭିନ୍ନ ସାକ୍ଷାତକାରରେ କହୁଛନ୍ତି, ହଠାତ୍ ଗୁଳି ବର୍ଷା ସମସ୍ତଙ୍କୁ କିପରି ଆଶ୍ଚର୍ଯ୍ୟ କରିଦେଇଥିଲା। କୁନି କୁନି ପିଲା ଓ ମହିଳାଙ୍କ ଚିତ୍କାର ଏବେ ବି ସେମାନଙ୍କ କାନରେ ପ୍ରତିଧ୍ୱନିତ ହେଉଛି। ଏସବୁ ସ୍ୱାଭାବିକ ନୁହେଁ।

ଏହି ଘଟଣା ଦେଖିଥିବା ସମସ୍ତ ପୁରୁଷ, ମହିଳା କିମ୍ବା ପିଲାଙ୍କୁ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ସ୍ୱତନ୍ତ୍ର ପରାମର୍ଶ ଆବଶ୍ୟକ। ବିଶେଷଜ୍ଞଙ୍କ ମତରେ, ସମୟ ଥାଉ ଥାଉ PTSD ର ଚିକିତ୍ସା କରା ନଗଲେ, ଏହା ଦୀର୍ଘକାଳୀନ ମାନସିକ ସମସ୍ୟା ସୃଷ୍ଟି କରିପାରେ। ଏଥିପାଇଁ ବିଭିନ୍ନ ଚିକିତ୍ସା ଉପଲବ୍ଧ, ଯାହା ପୀଡ଼ିତମାନଙ୍କୁ ସାଧାରଣ ଜୀବନକୁ ଫେରିବାରେ ସାହାଯ୍ୟ କରିପାରିବ।

PTSDର ଚିକିତ୍ସା କ’ଣ ?

କଗ୍ନିଟିଭ୍ ପ୍ରୋସେସିଂ ଥେରାପି (CPT): ଏହି ଥେରାପି ବ୍ୟକ୍ତିଙ୍କ ଚିନ୍ତାଧାରା ଏବଂ ଭାବନାକୁ ଚିହ୍ନଟ କରି ପରିବର୍ତ୍ତନ କରିବାରେ ସାହାଯ୍ୟ କରେ।

ଟ୍ରୋମା ଫୋକସଡ କଗ୍ନିଟିଭ୍ ବିୟେବୟରଲ ଥେରାପି (TF-CBT): ଏହା ବିଶେଷ ଭାବରେ ପିଲାମାନଙ୍କ ପାଇଁ ବିକଶିତ କରାଯାଇଛି ଏବଂ ଏଥିରେ ପରିବାରର ଭାଗିଦାରୀ ମଧ୍ୟ ସାମିଲ ଅଛି।

ଆଇ ମୁଭମେଣ୍ଟ ଡିସେନ୍ସଟାଇଜେସନ୍ ଏବଂ ରିପ୍ରୋସେସିଂ (EMDR) : ଏହି ଥେରାପିରେ, ଆଖିର ଗତି ବ୍ୟବହାର କରି ଆଘାତଜନକ ସ୍ମୃତିକୁ ହ୍ରାସ କରାଯାଏ।

ପ୍ଲେ ଥେରାପି : ପିଲାମାନଙ୍କ ପାଇଁ ଉପଯୁକ୍ତ ଏହି ଥେରାପି ଖେଳ ମାଧ୍ୟମରେ ସେମାନଙ୍କର ଭାବନାକୁ ବୁଝିବା ଏବଂ ପ୍ରକାଶ କରିବାରେ ସାହାଯ୍ୟ କରେ।

ଆର୍ଟ ଥେରାପି : ଏଥିରେ ପୀଡ଼ିତ ଚିତ୍ରକଳା, ରଙ୍ଗ ଏବଂ ଅନ୍ୟାନ୍ୟ ସୃଜନଶୀଳ କାର୍ଯ୍ୟକଳାପ ମାଧ୍ୟମରେ ସେମାନଙ୍କର ଭାବନାକୁ ପ୍ରକାଶ କରନ୍ତି।

ସାଇକୋଥେରାପି : ଏଥିରେ ମନୋଚିକିତ୍ସକ ବ୍ୟକ୍ତିର ଭାବନା ଏବଂ ଚିନ୍ତାଧାରା ବୁଝିବାକୁ ଚେଷ୍ଟା କରନ୍ତି ଏବଂ ସେମାନଙ୍କୁ ଏକ ସକାରାତ୍ମକ ଦିଗରେ ଫେରାଇ ଆଣିବାକୁ ଚେଷ୍ଟା କରନ୍ତି ।

Relieve Stress And Anxiety Psychological Trauma Pahalgam Terrorist Attack
Advertisment
Advertisment