• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଜୁଲାଇ ୧୮ ତାରିଖରେ ହେବ ରାଷ୍ଟ୍ରପତି ନିର୍ବାଚନ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ଏହି ଘୋଷଣା କରିଛନ୍ତି ।ଏଥିପାଇଁ ଆସନ୍ତା ୧୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୫ରେ ସରୁଥିବାରୁ ତା ପୂର୍ବରୁ ନିର୍ବାଚନ ସରିବ, ହେଲେ ଆଜି ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହ ଆରମ୍ଭ ହୋଇଯାଇଛି ରାଜନୈତିକ ଅଙ୍କ କଷା ।

ଦେଶର ସର୍ବୋଚ୍ଚ ପଦ ପାଇ ନିର୍ବାଚନ ତାରିଖ ଘୋଷଣା କରି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଆସନ୍ତା ୧୫ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାପରେ ଜୁନ୍ ୨୯ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯାଇ ପାରିବ, ଜୁନ୍ ୩୦ରେ ନାମାଙ୍କନ ଯାଞ୍ଚ ପରେ ଜୁଲାଇ ୨ ତାରିଖକୁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି । ଆବଶ୍ୟକ ପଡ଼ିଲେ ଜୁଲାଇ ୧୮ରେ ଭୋଟ ଗ୍ରହଣ ହୋଇ ୨୧ ତାରିଖରେ ଗଣତି ପରେ ଫଳ ପ୍ରକାଶ ହେବ ।

ଇସିଆଇ ଏହା ବି କହିଛନ୍ତି ନିର୍ବାଚନରେ ଭୋଟିଂ ପାଇଁ ବିଶେଷ କାଳିଥିବା ପେନ୍ ଯୋଗାଇ ଦିଆଯିବ । ସଂସଦ ଓ ବିଧାନସଭାରେ ଭୋଟ୍ ନିଆଯିବ । ତେବେ ଭୋଟ୍ ବେଳେ ରାଜନୈତିକ ଦଳ ହ୍ୱିପ୍ ଜାରି କରିପାରିବେ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିଶନର ଘୋଷଣା କରିଛନ୍ତି ।

ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ସହ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଯାଇଛି । ବିଜେପି ନା ବିରୋଧୀ - କାହା ମନୋନୀତ ପ୍ରାର୍ଥୀ ଜିତିବେ ରାଷ୍ଟ୍ରପତି ଗାଦି ?

ବ୍ୟବସ୍ଥା ଅନୁଯାୟୀ ସଂସଦର ଉଭୟ ଗୃହର ନିର୍ବାଚିତ ସଦସ୍ୟ, ଜାତୀୟ ରାଜଧାନୀ ଦିଲ୍ଲୀ, ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ସମେତ ସମସ୍ତ ରାଜ୍ୟ ବିଧାନସଭା ସଦସ୍ୟମାନଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜର ସଦସ୍ୟମାନଙ୍କ ଦ୍ୱାରା ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି । ଏବଂ ଏଇ ଇଲେକ୍ଟୋରାଲ କଲେଜର ମୋଟ୍ ଭୋଟ୍ ମୂଲ୍ୟ ୧୦ ଲକ୍ଷ ୯୮ ହଜାର ୮୮୨ । ସେଦୃଷ୍ଟିରୁ ନଜର ପକାନ୍ତୁ ବର୍ତ୍ତମାନ ସ୍ଥିତିରେ ଏବେ କାହା ପାଖରେ ଅଛି କେତେ ଭୋଟ୍ ?

ରାଜ୍ୟସଭା, ଲୋକସଭା ଓ ବିଭିନ୍ନ ରାଜ୍ୟରେ ଥିବା ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ଏବେ ଶାସକ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ପାଖରେ ୪୮.୯ ପ୍ରତିଶତ ଭୋଟ୍ ରହିଛି । ବିରୋଧୀ କଂଗ୍ରେସ ଓ ଏହାର ସହଯୋଗୀ ଡିଏମ୍‌କେ ଓ ଅନ୍ୟ ଦଳଙ୍କ ପାଖରେ ୨୧.୯ ପ୍ରତିଶତ ଭୋଟ୍ ଥିଲା ବେଳେ ଟିଏମ୍ସି, ଏସ୍ପି ଓ ଅନ୍ୟ ଦଳ ପାଖରେ ରହିଛି ୧୯.7 ପ୍ରତିଶତ ଭୋଟ୍ ।

ସେହିପରି କୌଣସି ମେଣ୍ଟରେ ନଥିବା ଓ୍ୱାଇଏସ୍ଆର୍ କଂଗ୍ରେସ , ଟିଆର୍‌ଏସ୍ ଭଳି ଦଳଙ୍କ ପାଖରେ ରହିଛି ୯.୫ ପ୍ରତିଶତ ଭୋଟ୍ । ସେହି ଦୃଷ୍ଟିରୁ ସବୁ ବିରୋଧୀଙ୍କ ଭୋଟ୍ ମିଶାଇ ହେଉଛି ୫୧.୧ ପ୍ରତିଶତ । ଅର୍ଥାତ୍ ଏନ୍‌ଡିଏ ୨.୨ ପ୍ରତିଶତ ଭୋଟ୍ ପଛରେ ରହିଛି । ୧.୧ ପ୍ରତିଶତ ଅଧିକ ଭୋଟ୍ ପାଇଲେ ଏହାର ପ୍ରାର୍ଥୀ ବିଜୟୀ ହେବେ । ସେହି ଦୃଷ୍ଟିରୁ ବିଜେଡି, ଓ୍ୱାଇଏସ୍ଆର କଂଗ୍ରେସ୍ ଓ ଟିଆର୍ଏସ୍‌ର ଭୋଟ୍ ଏନ୍‌ଡିଏ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ପୂର୍ବରୁ କେନ୍ଦ୍ରର ସବୁ ଘଡ଼ିସନ୍ଧି ସମୟରେ ବିଜେଡି କେନ୍ଦ୍ରକୁ ସମର୍ଥନ କରୁଥିବାରୁ ଦଳର ୨.୯ ପ୍ରତିଶତ ଭୋଟ୍ ରାଷ୍ଟ୍ରପତି ନିର୍ବାଚନରେ ନିର୍ଣ୍ଣାୟକ ହେବା ନିଶ୍ଚିତ ।

ତେବେ୨୦୨୪ ନିର୍ବାଚନରେ ବିଜେପିର ମୁକାବିଲା ଲାଗି ମିଳିତ ବିରୋଧୀ ଅଣ୍ଟା ଭିଡୁଛନ୍ତି । ହେଲେ ବାସ୍ତବରେ ବିଜେପିର ଟକ୍କର ଦେବାକୁ ବିରୋଧୀ କେତେ ଏକାଠି ଅଛନ୍ତି, ରାଷ୍ଟ୍ରପତି ନିର୍ବାଚନରୁ ହିଁ ତାହା ସ୍ପଷ୍ଟ ହୋଇଯିବ ।