/odishatv-khabar/media/post_attachments/uploadimage/library/16_9/16_9_0/President__1725247031.jpg)
President
ବିଳମ୍ବିତ ନ୍ୟାୟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ନେଇ ଜୋର୍ଦାର ପ୍ରତିବାଦ ଚାଲିଥିବା ବେଳେ ତ୍ବରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ବ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ନ୍ୟାୟପାଳିକାର ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଅଦାଲତରେ ତାରିଖ ପରେ ତାରିଖ୍ ସଂସ୍କୃତି ବଦଳିବା ଦରକାର।
ରାଷ୍ଟ୍ରପତି କହିଛନ୍ତି ଯେ ଦୁଷ୍କର୍ମ ମାମଲାଗୁଡ଼ିକ ବହୁସଂଖ୍ୟାରେ ବିଚାରାଧୀନ ରହିବା ନ୍ୟାୟପାଳିକା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ଅଦାଲତର ରାୟ ବିଳମ୍ୱରେ ଆସୁଛି। ଏପରିକି ଗୋଟିଏ ପିଢ଼ି ବିତିଯିବା ପରେ ରାୟ ଆସିବା ଚିନ୍ତାର କାରଣ ପାଲଟିଛି। ଏଭଳି କ୍ଷେତ୍ରରେ ସାଧାରଣ ଲୋକ ଅନୁଭବ କରନ୍ତି ଯେ ନ୍ୟାୟ ପ୍ରକ୍ରିୟାରେ ସମ୍ବେଦନଶୀଳତାର ଅଭାବ ରହିଛି।
କଥାରେ ଅଛି- ଭଗବାନ କେ ଘର୍ ଦେର ହୈ, ଅନ୍ଧେର୍ ନେହିଁ। ହେଲେ ନ୍ୟାୟ ପାଇବାକୁ କେତେ ଅପେକ୍ଷା କରିବାକୁ ପଡ଼ିବ ? ୧୦ ବର୍ଷ, ୨୦ ବର୍ଷ, ୩୦ ବର୍ଷ ବୋଲି ପ୍ରଶ୍ନ କରିଛନ୍ତି।ଏତିକି ଅବଧିରେ ନ୍ୟାୟ ପାଇବାକୁ ଥିବା ବ୍ୟକ୍ତିର ମୁହଁରୁ ହସ ଉଭାନ ହୋଇଯାଇଥାଏ ବୋଲି କହି ଉଦବେଗ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି।ଏଣୁ ତ୍ବରିତ ନ୍ୟାୟ ପ୍ରଦାନ ଲାଗି ନ୍ୟାୟପାଳିକା ତତ୍ପର ହେବା ଆବଶ୍ୟକ।
ଶୀଘ୍ର ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଅଦାଲତରେ ତାରିଖ ପରେ ତାରିଖ ସଂସ୍କୃତିକୁ ବଦଳାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯିବା ଦରକାର।ରାଷ୍ଟ୍ରପତି କହିଛନ୍ତି, କିଛି ସାଧନ ସଂପନ୍ନ ଲୋକ ଅପରାଧ କରିବା ପରେ ନିର୍ଭୀକ ଓ ସ୍ବଚ୍ଛନ୍ଦ ଭାବେ ବୁଲୁଛନ୍ତି। କିନ୍ତୁ ପୀଡ଼ିତମାନେ ଡରି ଡରି ବଞ୍ଚୁଛନ୍ତି। ଏହା ଆମ ସାମାଜିକ ଜୀବନର ଦୁଃଖଦ ଦିଗ ବୋଲି କହି ଚିନ୍ତା ପ୍ରକଟ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ସୁପ୍ରିମକୋର୍ଟ ପ୍ରତିଷ୍ଠାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ମଣ୍ଡପମ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ସୁପ୍ରିମକୋର୍ଟର ନୂତନ ଫ୍ଲାଗ ଓ ଏହାର ପ୍ରତୀକକୁ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଉପସ୍ଥିତ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)