Advertisment

ଦୁଇ ମାସ ଆଗରୁ ଜାଣିଥିଲେ ରାଷ୍ଟ୍ରପତି ଆସୁଛନ୍ତି, ତଥାପି କଲେନି ମରାମତି ! କାହିଁକି..?

କେବଳ ରାଷ୍ଟ୍ରପତି ନୁହଁନ୍ତି, ରାଜ୍ୟପାଳ, ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ବହୁ ଭିଭିଆଇପି ନିଜର ଅଭିଭାଷଣ ରଖିଥିଲେ। ଏହାକୁ ନେଇ ବର୍ଷିଛନ୍ତି ହାଇକୋର୍ଟର ଆଇନଜୀବୀ।

author-image
Satyendu Shekher Mishra
undefined

President Of India Droupadi Murmu

ଆଉ କେତେ ଦାୟିତ୍ୱହୀନ ହେବେ ସରକାର ? ଆଉ କେତେ ନିନ୍ଦିତ ହେବା ପରେ ନିଦ ଭାଙ୍ଗିବ ? ସେଥର ଜନ୍ମମାଟିକୁ ଆସିଥିବାବେଳେ ପାୱାର ଫେଲ୍ ଯୋଗୁ ଅନ୍ଧାରରେ ଅଭିଭାଷଣ ରଖିଥିଲେ ଓଡ଼ିଶା ମାଟିର ଝିଅ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଉ ଆଜି ହଜାରେ ବର୍ଷର ସହର କଟକରେ ଜରିପାଲ ତଳେ ଦେଲେ ଅଭିଭାଷଣ । ଦୁଇଟି ଘଟଣାରେ ହୁଏତ ସ୍ଥାନ, କାଳରେ ଫରକ ରହିଛି। କିନ୍ତୁ ଦାୟିତ୍ୱହୀନତା ଓ ଅବ୍ୟବସ୍ଥାର ଚିତ୍ର କିନ୍ତୁ ସମାନ।

Advertisment

ଅନ୍ତର୍ଜାତୀୟ ମାନ୍ୟତା ପ୍ରାପ୍ତ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମର ଛାତ ଉପର ପଡ଼ିଛି ନୀଳ ରଙ୍ଗର ଜରିପାଲ। ଚାରିଆଡ଼େ ଘେରାଇ ଦିଆଯାଇଛି ଅସ୍ଥାୟୀ ଭାବେ। କାଳେ ବର୍ଷା ହେଲେ ପାଣି ଗଳିବ, ସେଥିପାଇଁ କାମ ଚଳାଇ ଦିଆଯାଇଛି। ଆଉ ସେହି ଜରିପାଲ ଢଙ୍କା ଷ୍ଟାଡିୟମର ଛାତ ତଳେ ଅଭିଭାଷଣ ରଖିଲେ ଦେଶର ସର୍ବୋଚ୍ଚ ନାଗରିକ। କେବଳ ରାଷ୍ଟ୍ରପତି ନୁହଁନ୍ତି, ରାଜ୍ୟପାଳ, ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ବହୁ ଭିଭିଆଇପି ନିଜର ଅଭିଭାଷଣ ରଖିଥିଲେ। ଏହାକୁ ନେଇ ବର୍ଷିଛନ୍ତି ହାଇକୋର୍ଟର ଆଇନଜୀବୀ।

୨୦୨୨, ଅଗଷ୍ଟ ୧୦। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖଙ୍କ କାର୍ଯ୍ୟକ୍ରମରେ ବି ଦେଖିବାକୁ ମିଳିଥିଲା ଏଭଳି ଚିତ୍ର। ସେତେବେଳେ ବି ସେହି ଷ୍ଟାଡ଼ିୟମ ଛାତ ଉପରେ ନୀଳ ରଙ୍ଗର ଜରି ପାଲ ଢଙ୍କା ଯାଇଥିଲା କାମ ଚଳା ପାଇଁ। ସେତେବେଳେ ସିଏମସି ମେୟର କହିଥିଲେ, ଏ ସଂପର୍କରେ କ୍ରୀଡ଼ା ବିଭାଗକୁ ଅବଗତ କରି ତୁରନ୍ତ ମରାମତି ପାଇଁ ଚିଠି କରାଯିବ। ହେଲେ କ୍ରୀଡ଼ା ବିଭାଗକୁ ଚିଠି କରାଗଲା କି ନାହିଁ ତାହା ଜଣାନାହିଁ। ହେଲେ ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠାର ୭୫ ବର୍ଷ ପୂର୍ତ୍ତି ଉତ୍ସବର ସମାପନ ସମାରୋହ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ୨ ମାସ ଆଗରୁ ଧାର୍ଯ୍ୟ ହୋଇଥିଲେ ବି କାହିଁକି ମରାମତି ହୋଇପାରିଲା ନାହିଁ ? ତାକୁ ନେଇ ନାନା ପ୍ରଶ୍ନ ଛିଡ଼ା କରାଇ ଅସନ୍ତୋଷ ଝାଡ଼ିଛନ୍ତି କଟକ ବାସିନ୍ଦା।

Advertisment

ବାତ୍ୟା ଫନି ଯୋଗୁ ନଷ୍ଟ ହୋଇଯାଇଥିଲା ଷ୍ଟାଡିୟମର ଛାତ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ମରାମତି ହୋଇଥିଲେ ବି ଦିନ କେଇଟା ପରେ ପୁଣି ପାଣି ଗଳିଲା। ସେଦିନଠୁ ଏମିତି ଚାଲିଛି ତାଳିପକା କାମ। ଏଠାରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗୀତା ହୋଇଆସୁଥିବା ବେଳେ ଛାତର କାହିଁକି ସ୍ଥାୟୀ ମରାମତି କରୁନି ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ, ତାହା ଜାଣିହେଉନି। ତେବେ ଏ ସଂପର୍କରେ ପ୍ରତିକ୍ରିୟା ଦେଇ ବର୍ଷାକୁ ଦେଖି ଏହା ଏକ୍ସଟ୍ରା ପ୍ରିକସନ୍‌ ବୋଲି କହିବା ସହ ହାତ ଟେକିଦେଇଛନ୍ତି କଟକ ଜିଲ୍ଲାପାଳ ଏବଂ ସିଏମସି ମେୟର ।

President Droupadi Murmu
Advertisment
Advertisment