• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଯୁଦ୍ଧ ବିମାନରେ ଉଡ଼ିଲେ ରାଷ୍ଟ୍ରପତି । ଭାରତୀୟ ବାୟୁସେନାର ଫାଇଟର୍ ଜେଟ୍ ସୁଖୋଇ-୩୦ରେ ଆସାମ ତେଜପୁର ଏୟାରଫୋର୍ସ ବେସରୁ ଆଜି ଉଡ଼ାଣ ଭରି ଅନୁଭୂତି ସାଉଁଟିବା ସହ କ୍ଷମତା ପରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିସହ ପଡ଼ୋଶୀ ଶତ୍ରୁରାଷ୍ଟ୍ର ଚୀନ୍‌କୁ ପରୋକ୍ଷରେ ଭାରତର ତାକତ୍ ଦେଖାଇଛନ୍ତି ତିନି ସେନାର ସୁପ୍ରିମ କମାଣ୍ଡର ।

ସୁଖୋଇରେ ଉଡ଼ିଲେ ସୁପ୍ରିମ୍ କମାଣ୍ଡର । ଶତ୍ରୁ ରାଷ୍ଟ୍ରକୁ ଶକ୍ତି ଦେଖାଇଲେ ରାଷ୍ଟ୍ରପତି । ଆସାମର ତେଜପୁର ଏୟାର ଫୋର୍ସ ଷ୍ଟେସନରୁ ବାୟୁ ସେନାର ମେରୁଦଣ୍ଡ ବୋଲାଉଥିବା ସୁଖୋଇ-୩୦ ଫାଇଟର୍ ଜେଟ୍‌ରେ ଆଜି ଉଡ଼ାଣ ଭରିଛନ୍ତି ତିନି ସେନାର ସର୍ବୋଚ୍ଚ କମାଣ୍ଡର ତଥା ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ତେଜପୁର ବାୟୁ ସେନା ଷ୍ଟେସନରେ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ବିମାନରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ପ୍ରଥମେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା ।

ତାପରେ ଏୟାରଫୋର୍ସ ପାଇଲଟ୍ ପୋଷାକ ବା ଜି-ସୁଟ୍ ପିନ୍ଧି ଫଟୋ ପୋଜ୍ ଦେଇଥିଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ସେଠୁ ଫାଇଟର୍ ଜେଟ୍ ସୁଖୋଇରେ ଚଢ଼ିଥିଲେ ଦେଶର ପ୍ରଥମ ନାଗରିକ ।

କୋ-ପାଇଲଟ୍ ସିଟରେ ବସି ଆକାଶ ମାର୍ଗରେ ପ୍ରାୟ ୩୦ ମିନିଟ୍ ଧରି ଉଡ଼ିଥିଲେ, ଯାହା ବ୍ରହ୍ମପୁତ୍ରରୁ ତେଜପୁର ଉପତ୍ୟକା ପର୍ଯ୍ୟନ୍ତ କଭର କରିଥିଲା । ୧୦୬ ସ୍କ୍ୱାଡ୍ରନର ଗ୍ରୁପ୍ କ୍ୟାପଟେନ୍ ନବୀନ କୁମାର ଏହି ବିମାନର ପାଇଲଟ୍ ଥିଲେ । ସମୁଦ୍ର ପତ୍ତନଠାରୁ ୨ କିଲୋମିଟର ଉପରେ ଘଣ୍ଟାକୁ ୮୦୦ କିଲୋମିଟର ବେଗରେ ଉଡିଥିଲା ସୁଖୋଇ । ସୁଖୋଇର ଶକ୍ତି ଓ କ୍ଷମତା ସଂପର୍କରେ ଅନୁଭୂତି ସାଉଁଟି ଲ୍ୟାଣ୍ଡିଂ ପରେ ସମସ୍ତଙ୍କୁ ହାତ ହଲାଇ ଅଭିଭାଦନ ଜଣାଇଥିଲେ ମ୍ୟାଡମ୍ ପ୍ରେସିଡେଣ୍ଟ ।

ସୁଖୋଇ-୩୦ (ଏମକେଆଇ) । ଭାରତୀୟ ବାୟୁ ସେନାର ଅନ୍ୟତମ ବୃହତ୍ ଶକ୍ତି । ଟ୍ୱିନ୍ ଜେଟ୍ ମଲଟିରୋଲ୍ ଏୟାର ସୁପିରିଅରିଟି ଫାଇଟର। ରୁଷର ସୁଖୋଇ ପକ୍ଷରୁ ପ୍ରସ୍ତୁତ ଓ ହାଲ୍ ଦ୍ୱାରା ନିର୍ମିତ ଏହି ଲଢୁଆ ଜେଟ୍ ୨୦୦୨ରେ ବାୟୁ ସେନାରେ ସାମିଲ ହୋଇଥିଲା । ୨୦୨୦ ମସିହା ସୁଦ୍ଧା ୨୬୦ଟି ସୁଖୋଇ-୩୦ (ଏମକେଆଇ) ହାସଲ କରି ଆହୁରି ଶକ୍ତିଶାଳୀ ହୋଇଛି ଇଣ୍ଡିଆନ୍ ଏୟାର ଫୋର୍ସ ।

ଯେଉଁ ସମୟରେ ଭାରତର ଅବିଛେଦ୍ୟ ଅଙ୍ଗ ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦାବି କରି ପଡ଼ୋଶୀ ଚୀନ୍ ବଦମାସୀ ଦେଖାଉଛି, ଠିକ୍ ସେଇ ସମୟରେ ଚୀନ୍ ସୀମାର ଅତି ନିକଟ ତେଜପୁର ବାୟୁସେନା ଷ୍ଟେସନରୁ ସୁଖୋଇରେ ଉଡ଼ି ସୁପ୍ରିମ କମାଣ୍ଡର ଶତ୍ରୁ ରାଷ୍ଟ୍ରକୁ ପରୋକ୍ଷରେ ଭାରତର ତାକତ୍ ଦେଖାଇଛନ୍ତି ତିନି ସେନାର ସୁପ୍ରିମ କମାଣ୍ଡର । ପୂର୍ବରୁ ରାଷ୍ଟ୍ରପତି ଥିବାବେଳେ ରାମନାଥ କୋବିନ୍ଦ, ପ୍ରତିଭା ପାଟିଲ ଓ ଏପିଜେ ଅବଦୁଲ କଲାମ ମଧ୍ୟ ଯୁଦ୍ଧ ବିମାନରେ ଉଡ଼ିଥିଲେ ।

ବ୍ୟୁରୋ ଇନପୁଟ୍ ସହ ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁଙ୍କ ରିପୋର୍ଟ, ଓଟିଭି