Advertisment

ଗାନ୍ଧୀ ପରିବାରକୁ ଭେଟିଲେ ପ୍ରଶାନ୍ତ କିଶୋର; ଯୋଗ ଦେବା ନେଇ ଚର୍ଚ୍ଚା

ବିଧାନସଭା ନିର୍ବାଚନ ହେଉ କି ପୌର ନିର୍ବାଚନ ସବୁଠି ପରାଜୟର ମୁହଁ ଦେଖିଥିବା କଂଗ୍ରେସ ନୂଆ ରଣନୀତି ଆପଣାଇ ୨୦୨୪ ସାଧାରଣ ନିର୍ବାଚନରେ ମୈଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି।

author-image
Rajalaxmi Sahoo
Prashant Kishor Meets Gandhis

Prashant Kishor Meets Gandhis

ନିର୍ବାଚନରେ ବାରମ୍ବାର ପରାଜୟର ସ୍ୱାଦ୍‌ ଚାଖିବା ପରେ ପୁଣିଥରେ ଗଡ଼କୁ ସୁଦୃଢ଼ କରିବା ପାଇଁ କଂଗ୍ରେସ ଷ୍ଟ୍ରାଟେଜି ପ୍ରସ୍ତୁତ କରୁଛି। ବିଧାନସଭା ନିର୍ବାଚନ ହେଉ କି ପୌର ନିର୍ବାଚନ ସବୁଠି ପରାଜୟର ମୁହଁ ଦେଖିଥିବା କଂଗ୍ରେସ ନୂଆ ରଣନୀତି ଆପଣାଇ ୨୦୨୪ ସାଧାରଣ ନିର୍ବାଚନରେ ମୈଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି। ଏଥିପାଇଁ ଦଳର ପ୍ରମୁଖ ନେତାଙ୍କ ସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ବରିଷ୍ଠ ନେତା ରାହୁଲ ଗାନ୍ଧି ଆଲୋଚନା କରିଥିବା ସୂଚନା ମିଳିଛି।

Advertisment

ଆଜି କଂଗ୍ରେସ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା। ସୋନିଆ ଗାନ୍ଧିଙ୍କ ବାସଭବନରେ ଏହି ବୈଠକ ହୋଇଥିବା ବେଳେ ଦଳର ପ୍ରମୁଖ ନେତାମାନେ ଯୋଗ ଦେଇଥିବା ଜଣାପଡ଼ିଛି। ନିର୍ବାଚନ ରଣନୀତି ବିଶାରଦ ପ୍ରଶାନ୍ତ କିଶୋର ମଧ୍ୟ ଏଥିରେ ସାମିଲ ହୋଇଥିଲେ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ବୈଠକରେ ମଲ୍ଲିକାର୍ଜୁନ ଖଡ୍‌ଗେ, ଏକେ ଆଣ୍ଟୋନି, ଅମ୍ବିକା ସୋନି, ଜୟରାମ ରମେଶ, ମୁକୁଲ ୱାସନିକ, ଦିଗ୍‌ବିଜୟ ସିଂ ଓ ଅଜୟ ମାକମ ସାମିଲ ହୋଇଛନ୍ତି।

୨୦୨୪ ସାଧାରଣ ନିର୍ବାଚନ ସମେତ ବଡ଼ ବଡ଼ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁନର୍ଜୀବିତ କରିବାରେ ପ୍ରଶାନ୍ତଙ୍କ ଭୂମିକାକୁ ନେଇ ଚର୍ଚ୍ଚା ହେଉଛି। ଏପରିକି ସେ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ହେଲେ ଏସବୁକୁ ପ୍ରଶାନ୍ତଙ୍କ ପାଖ ଲୋକମାନେ ଖଣ୍ଡନ କରିଛନ୍ତି ।  ବୈଠକରେ ଚଳିତ ବର୍ଷ ହେବାକୁ ଥିବା ଗୁଜରାଟ ନିର୍ବାଚନ ଉପରେ ଆଲୋଚନା ହୋଇଥିବା କୁହାଯାଉଛି।

Advertisment

ପ୍ରଶାନ୍ତଙ୍କ ନିକଟତମ ମହଲ ସୂତ୍ରରୁ ପ୍ରକାଶ, କଂଗ୍ରେସ ନେତୃବୃନ୍ଦ ଏବଂ ପ୍ରଶାନ୍ତ କିଶୋର ମୁଖ୍ୟତଃ  ୨୦୧୪ ସାଧାରଣ ନିର୍ବାଚନ ପାଇଁ କିଭଳି ଭାବେ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହେବ ତା’ ଉପରେ ଆଲୋଚନା କରୁଛନ୍ତି। ସୂଚନା ଅନୁସାରେ, ୨୦୨୪ରେ ହେବାକୁ ଥିବାକୁ ନିର୍ବାଚନରେ ଉଭୟ ପକ୍ଷ ମଧ୍ୟରେ(ପ୍ରଶାନ୍ତ କିଶୋର-କଂଗ୍ରେସ) ଏକ ଚୁକ୍ତି ହୋଇପାରେ। ସୁତାରାଂ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଇପାରନ୍ତି କିମ୍ବା ପରାମର୍ଶଦାତା ଭାବେ ଭୂମିକା ନିଭାଇବାର ଯଥେଷ୍ଟ ସମ୍ଭାବନା ରହିଛି।

ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ପୁଣିଥରେ ସରକାର ଗଠନ କରିବାର କିଛି ଦିନ ପରେ ଗାନ୍ଧୀ ପରିବାର ସହ ପ୍ରଶାନ୍ତଙ୍କ ଫାଟ ସୃଷ୍ଟି ହୋଇଥିଲା। ଏପରିକି ଗତବର୍ଷ ଗାନ୍ଧି ପରିବାର ଓ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ବନ୍ଦ ହୋଇଯାଇଥିଲା। ପରେ କଂଗ୍ରେସ ଏହାର ନିର୍ବାଚନ ପ୍ରଚାର ଅଭିଯାନକୁ ସମ୍ଭାଳିବା ପାଇଁ ପ୍ରଶାନ୍ତ କିଶୋରଙ୍କ ଜଣେ ପୂର୍ବତନ ସହଯୋଗୀଙ୍କୁ ଦାୟିତ୍ୱ ଦେଇଥିଲେ। ଏବେ ପୁଣିଥରେ ଗାନ୍ଧୀ ପରିବାର ସହ ପ୍ରଶାନ୍ତଙ୍କ ଆଲୋଚନାକୁ ନେଇ ଅନେକ କଳ୍ପନାଜଳ୍ପନା ସୃଷ୍ଟି ହୋଇଛି।

Congress Prashant Kishor
Advertisment
Advertisment