• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆସୁଛି ସେଇ ବହୁ ପ୍ରତିକ୍ଷୀତ ଦିନ, ଯେତେବେଳେ ଅଯୋଧ୍ୟାକୁ ଆସିବେ ରାମଲାଲା । ଭବ୍ୟ ମନ୍ଦିରରେ ବିରାଜିବେ, କୋଟି କୋଟି ରାମଭକ୍ତଙ୍କୁ ଦର୍ଶନ ଦେବେ । ଆଉ ଏଥିପାଇଁ ନିର୍ଘଣ୍ଟ ହୋଇଛି ୮୪ ସେକେଣ୍ଡର ଦିବ୍ୟ, ପବିତ୍ର ମୁହୂର୍ତ୍ତ । ସମୟ ଯେତେ ପାଖଉଛି ଦେଶବାସୀଙ୍କ ହୃଦସ୍ପନ୍ଦନ ସେତେ ବଢ଼ୁଛି । ସେପଟେ ମନ୍ଦିରର ମୁଖ୍ୟ ଦ୍ୱାରରେ ଶୋଭା ପାଇଲେଣି ଶକ୍ତିଶାଳୀ ସିଂହ ଓ ହାତୀ ।

ଆସୁଛନ୍ତି ରାମଲାଲା। ଜାନୁଆରୀ ୨୨ ଆଣିବ ୫୦୦ ବର୍ଷର ସଂଘର୍ଷ, ତ୍ୟାଗ, ବଳିଦାନର ସେହି ସୁବର୍ଣ୍ଣ ମୁହୂର୍ତ୍ତ । ଯାହାକୁ ଅନେଇ ବସିଛି ସାରା ଦେଶ, ସାରା ଦୁନିଆର କୋଟି କୋଟି ରାମ ଭକ୍ତ । ମାତ୍ର ୮୪ ସେକେଣ୍ଡ..୧୨ଟା ୨୯ ମିନିଟ୍ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ । ଜାନୁଆରୀ ୨୨ର ସବୁଠୁ ଶୁଭ, ସବୁଠୁ ଦିବ୍ୟ, ସବୁଠୁ ମାହେନ୍ଦ୍ର ଏଇ ୮୪ ସେକେଣ୍ଡରେ ହିଁ ହେବ ରାମଲାଲାଙ୍କ ବିଗ୍ରହରେ ପ୍ରାଣପ୍ରତିଷ୍ଠା । କାରଣ ସେହିଦିନ ୧୧ଟା ୫୧ରୁ ମଧ୍ୟାହ୍ନ ୧୨ଟା ୩୩ ଯାଏଁ ଅଭିଜିତ ମୁହୂର୍ତ୍ତ ରହିଛି । ହେଲେ ସବୁ ଦୃଷ୍ଟିରୁ ୧୦ଟି ଶୁଭଲକ୍ଷଣ ଯୁକ୍ତ ହୋଇଥିବାରୁ ଏଇ ସମୟକୁ ବାଛିଛନ୍ତି ବାରାଣସୀର ବୈଦିକ ଆଚାର୍ଯ୍ୟ । ଚାରି ବେଦରେ ଚାରି ଦିଗ ପ୍ରକମ୍ପିତ ହେବ, ଜୟ ଶ୍ରୀରାମ ଧ୍ୱନିରେ ପବିତ୍ର ହେବ ଅଯୋଧ୍ୟା ନଗରୀ ।

ସମୟ ଯେତେ ବିତୁଛି ଦେଶବାସୀଙ୍କ ହୃଦ ସ୍ପନ୍ଦନ ସେତେ ବଢ଼ୁଛି । ଆଉ ପ୍ରତି ଦିନ ଆସୁଛି ଶ୍ରୀରାମ ମନ୍ଦିରର ନୂଆ ନୂଆ ଫଟୋ । ମୁଖ୍ୟ ଦ୍ୱାରରେ ଅବସ୍ଥାପିତ ହେଲେଣି ଶକ୍ତିଶାଳୀ ସିଂହ, ପ୍ରତାପୀ ହାତୀ । ଆଉ ଯେଉଁଠି ରାମ ସେଠି ପରମଭକ୍ତ ହନୁମାନ ତ ରହିବେ । ତେଣୁ ମୁଖ୍ୟ ଦ୍ୱାର ପାଖରେ ସହସ୍ର ବାହୁର ମହାଶକ୍ତି ହନୁମାନଙ୍କୁ ବି ରଖାଯିବାକୁ ପ୍ରସ୍ତୁତି ଚାଲିଲାଣି । ରାଜସ୍ଥାନ ବଂଶୀ ପାହାଡପୁରର ପିଙ୍କ ସ୍ୟାଣ୍ଡଷ୍ଟୋନରେ ଏହି ମୂର୍ତ୍ତି ଗୁଡିକ ନିର୍ମାଣ ହୋଇଛି ।

ସେହିପରି ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଜଣଙ୍କ ପରେ ଜଣେ ଅତିଥିଙ୍କୁ ନିମନ୍ତ୍ରଣ କରାଯାଉଛି । ଏହି ଧାରାରେ କୋର୍ଟରେ ମାମଲା ଚାଲୁଥିବା ବେଳେ ମସଜିଦ୍ ପକ୍ଷର ଆବେଦନକାରୀ ଥିବା ଇକବାଲ୍ ଅନସାରୀଙ୍କୁ ନିମନ୍ତ୍ରଣ ଯାଇଛି ।

୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ହେବ କିନ୍ତୁ ତା ୬ ଦିନ ପୂର୍ବରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ । ୧୬ ତାରିଖରେ ସରଜୁ ନଦୀ କୂଳରେ ଅଭିଷେକ ଆରମ୍ଭ ହେବ, ୧୭ ତାରିଖରେ ମଙ୍ଗଳ କଳସ ଯାତ୍ରା, ୧୮ରେ ଗଣେଶ ଅମ୍ବିକା ପୂଜା ହୋଇ ୧୯ରେ ଗୁରୁତ୍ୱପୂର୍ଣ୍ଣ ଅଗ୍ନି ସ୍ଥାପନା କରାଯିବ । ୨୦ ତାରିଖରେ ଗର୍ଭ ଗୃହକୁ ସରଜୁ ନଦୀ ପାଣିରେ ଶୁଦ୍ଧପୁତ କରାଯାଇ ହେବ ବାସ୍ତୁ ଶାନ୍ତି । ୨୧ ତାରିଖରେ ରାମଲାଲାଙ୍କ ଦିବ୍ୟଅଙ୍ଗକୁ ୧୨୫ ଗରା ପାଣିରେ ସ୍ନାନ କରାଯିବ । ଆଉ ୨୨ରେ ନିଜ ଆସ୍ଥାନରେ ବିରାଜିବେ ରାମଲାଲା ।

OTV is now on Whatsapp

Join and get latest news update delivered to you via whatsapp

Join Now