• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାତାରାତି କୋଟିପତି ହେବାର ସ୍ୱପ୍ନ ତଳିତଳାନ୍ତ କରିଦେଲା । ଆଇପିଏଲ ବେଟିଂରେ ୧ କୋଟି ଟଙ୍କା ହାରିଗଲେ ପୋଷ୍ଟମାଷ୍ଟର । ତାହା ପୁଣି ନିଜ ଟଙ୍କା ନୁହେଁ, ନିରୀହ ଲୋକଙ୍କ ପେଟରେ ଲାତମାରି ଆଇପିଏଲ ବେଟିଂ କରିଥିଲେ ଅଭିଯୁକ୍ତ । ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ କ୍ରିକେଟ୍‌ ମ୍ୟାଚ୍‌ରେ ମଧ୍ୟପ୍ରଦେଶର ଜଣେ ପୋଷ୍ଟମାଷ୍ଟର୍‌ ୧ କୋଟି ଟଙ୍କା ବାଜି ହାରିବା ପରେ ହଇଚଇ ସୃଷ୍ଟି ହୋଇଛି ।

ସବୁଠାରୁ ବଡ଼ କଥା ହେଲା ୨୪ଟି ପରିବାରର ଫିକ୍ସ ଡିପୋଜିଟ୍ ସେ ବେଟିଂରେ ଲଗାଇଦେଇଥିବା ସୂଚନା ମିଳିଛି । ତେବେ ବାଜିରେ ହାରିଥିବା ଟଙ୍କା ସାଗର ଜିଲ୍ଲାର ଏକ ଉପ-ଡାକଘରେ ଡିପୋଜିଟ୍‌ ହୋଇଥାଆନ୍ତା । ଏଥିପାଇଁ ପୋଷ୍ଟମାଷ୍ଟର ବିଶାଳ ଅହିୱାର୍‌ଙ୍କୁ ସରକାରୀ ରେଳବାଇ ପୁଲିସ ଗିରଫ କରିଛି । ଗିରଫ ହେବା ପରେ ପୋଲିସ ଆଗରେ ସେ ନିଜର ଦୋଷ ସ୍ୱୀକାର କରିଛନ୍ତି ।

ଫୁଲପ୍ରୁଫ୍‌ ପ୍ଲାନ୍‌ କରିଥିଲେ ଅଭିଯୁକ୍ତ ପୋଷ୍ଟମାଷ୍ଟର ବିଶାଳ ଅହିୱାର । ନକଲି ଏଫଡି ଖାତା ପାଇଁ ପ୍ରକୃତ ପାସବୁକ୍ ଜାରି କରିଥିଲେ । ଯୋଜନା ମୁତାବକ ଗତ ଦୁଇ ବର୍ଷ ହେବ ସମସ୍ତ ଟଙ୍କା ଆଇପିଏଲ ମ୍ୟାଚରେ ଲଗାଇ ଦେଇଥିଲେ । ହେଲେ ବେଟିଂ ହାରଯିବା ପରେ ସବୁ ଅଙ୍କ ବିଗିଡ଼ି ଯାଇଛି । କୋଟି କୋଟି ଟଙ୍କା ଉପରେ ଶୋଇବାର ସ୍ୱପ୍ନ ଦେଖୁଥିବା ବିଶାଳ ବନ୍ଧା ହୋଇଛନ୍ତି ।

ଗିରଫ ପୋଷ୍ଟମାଷ୍ଟର ବିଶାଲ ଅହିରୱାରଙ୍କ ବିରୋଧରେ ବର୍ତ୍ତମାନ ଧାରା ୪୨୦ ଆଇପିସି (ପ୍ରତାରଣା) ଏବଂ ୪୦୮ ଆଇପିସି (ଅପରାଧିକ ବିଶ୍ୱାସଘାତକ) ଧାରା ଅନୁସାରେ ମାମଲା ରୁଜୁ କରାଯାଉଛି । ଅଧିକ ଅନୁସନ୍ଧାନ ପରେ ମାମଲାରେ ଅଧିକ ଧାରା ଯୋଡ଼ାଯିବ ବୋଲି ପୋଲିସ ଅଧିକାରି ଅଜୟ ଧୁରଭେ ସୂଚନା ଦେଇଛନ୍ତି ।

ଏହାପୂର୍ବରୁ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ଜବଲପୁରରେ ଅନଲାଇନ୍ ବେଟିଂ ଯୋଗୁଁ ଏକ ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now