• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗଣତନ୍ତ୍ରରେ ନିର୍ବାଚନ ଏକ ବଡ଼ ପର୍ବ । ଗଣତନ୍ତ୍ର ‘ମନ୍ଦିର’ ହେଲେ ନିର୍ବାଚନ ‘ଦେବତା’ । ନିଜ ନେତା ବା ସେବକଙ୍କୁ ବାଛିବା ପାଇଁ ଏହା ଦେଶର ଜନତାଙ୍କୁ ସୁଯୋଗ ଦେଇଥାଏ । ଆଗାମୀ ପାଞ୍ଚ ବର୍ଷ ଦେଶର ଶାସନ ଭାର କିଏ ସମ୍ଭାଳିବ ତାହା ଜନତା ବାଛନ୍ତି । ଏଥିପାଇଁ ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚନ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ସମସ୍ତେ କିପରି ଭଲରେ ନିର୍ବାଚନ ଲଢ଼ିପାରିବେ, ତାହା ସରକାରଙ୍କର ପ୍ରମୁଖ ଦାୟିତ୍ୱ । ଦେଶର ପ୍ରତ୍ୟେକ ନାଗରିକ କିପରି ଭୋଟଦାନ ଅଧିକାରରୁ ବଞ୍ଚିତ ନହେବ ତାହା ଦେଖିବାକୁ ସରକାର ନିର୍ବାଚନ ଆୟୋଗଙ୍କୁ ନିଯୁକ୍ତ କରିଛନ୍ତି । ଏପରି ଭାବେ ଅତୀତରେ କେବଳ ଜଣେ ମାତ୍ର ଭୋଟରଙ୍କ ପାଇଁ ବୁଥ୍ ପ୍ରତିଷ୍ଠା ହେବା ନଜିର ରହିଛି ।

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ । ଜଣେ ମାତ୍ର ଭୋଟରଙ୍କ ପାଇଁ ପୂରା ବୁଥର ପ୍ରତିଷ୍ଠା କରାଯାଇଛି । ବିଗତ ନିର୍ବାଚନମାନଙ୍କରେ ବନେଜରେ ଥିବା ଗିର୍ ଜଙ୍ଗଲ ମଧ୍ୟରେ ବୁଥ୍ ପ୍ରତିଷ୍ଠା କରାଯାଇଛି । ସେ ଜଙ୍ଗଲ ମଧ୍ୟରେ ଜଣେ ମାତ୍ର ଭୋଟର ରହୁଥିଲେ । ଜଙ୍ଗଲ ଭିତରେ ଥିବା ଶିବ ମନ୍ଦିରର ପୁରୋହିତ ମହନ୍ତ ହରିଦାସ ଜୀ ହେଉଛନ୍ତି ସେଇ ଜଣିଏ ଭୋଟର ।

ବନେଶ୍ୱର ମହାଦେବ ମନ୍ଦିରଟି ଗୁଜରାଟର ଗିର ଜଙ୍ଗଲ ମଧ୍ୟରେ ଅବସ୍ଥିତ । ଏହା ଏସିଆଟିକ୍ ସିଂହମାନଙ୍କ ପାଇଁ ପ୍ରଖ୍ୟାତ । ଜଙ୍ଗଲ ମଧ୍ୟରେ ବଣୁଆ ଜନ୍ତୁଙ୍କ ଉପସ୍ଥିତି ହେତୁ ରାଜନୈତିକ ଦଳମାନେ ଏହି ଅଞ୍ଚଳରେ ପ୍ରଚାର କାର୍ଯ୍ୟଠାରୁ ଦୂରେଇ ରୁହନ୍ତି । ଏକମାତ୍ର ବାସିନ୍ଦା ଭାବେ ସେଠାରେ ମହନ୍ତ ହରିଦାସ ଜୀ ରହି ଆସୁଥିଲେ । ଆଉ ନିର୍ବାଚନ ସମୟରେ ତାଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ନିର୍ବାଚନ ଆୟୋଗ ମତଦାନ କେନ୍ଦ୍ର ପ୍ରତିଷ୍ଠା କରୁଥିଲେ । ପ୍ରାୟ ୧୦ ଜଣିଆ ଟିମ୍ ଜଙ୍ଗଲ ଭିତରେ ବୁଥ ପ୍ରତିଷ୍ଠା କରିବା ପାଇଁ ପ୍ରାୟ ୨୫ କିଲୋମିଟର ଯାତ୍ରା କରୁଥିଲେ ।

EC ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ହରିଦାସ ହେଉଛନ୍ତି ମହନ୍ତ ଭାରତଦାସଙ୍କ ଉତ୍ତରାଧିକାରୀ । ଉକ୍ତ ଅଞ୍ଚଳରେ ସେ ଗତ ଦୁଇ ଦଶନ୍ଧି ଧରି ଏକମାତ୍ର ଭୋଟର ଥିଲେ । ପରେ ନଭେମ୍ବର ୨୦୧୯ ରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଅନ୍ୟ ଏକ ଘଟଣାକ୍ରମରେ ଅରୁଣାଚଳ ପ୍ରଦେଶର ମାଲୋଗାମ ନାମକ ଅନ୍ୟ ଏକ ଛୋଟ ଗାଁ ରହିଛି । ସେଠାରେ ମଧ୍ୟ ଜଣେ ମାତ୍ର ଭୋଟର ଥିଲେ । ଏଣୁ ନିର୍ବାଚନ ଅଧିକାରୀମାନେ ପ୍ରାୟ ଚାରି ଦିନ ମଧ୍ୟରେ ପାହାଡ଼, ନଦୀ ଆଦି ପାର୍ କରି ପ୍ରାୟ ୩୦୦ ମାଇଲ ଯାତ୍ରା ପରେ ଉକ୍ତ ଭୋଟରଙ୍କ ନିକଟରେ ପହଞ୍ଚିଥିଲେ । ମାଲୋଗାମ ଗାଁଟି ଚୀନ୍ ସୀମା ନିକଟ ଅରୁଣାଚଳ ପ୍ରଦେଶର ଜଙ୍ଗଲ ଭିତରେ ଥିବା ପାହାଡ଼ରେ ଅବସ୍ଥିତ ।

ତେବେ ୨୦୨୪ ର ଲୋକସଭା ନିର୍ବାଚନ ଆସନ୍ତା ଏପ୍ରିଲ୍ ୧୯ ରୁ ସାତୋଟି ପର୍ଯ୍ୟାୟରେ ଆରମ୍ଭ ହେବାକୁ ଯାଉଛି । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୬ରେ ହେବାକୁ ଥିବା ବେଳେ ତୃତୀୟ ପର୍ଯ୍ୟାୟ ମେ ୭ ରେ ହେବ । ପରେ ପରେ ଚତୁର୍ଥ ପର୍ଯ୍ୟାୟ ମେ ୧୩ ରେ ହେବାକୁ ଥିବା ବେଳେ ମେ ୨୦ ରେ ପଞ୍ଚମ ପର୍ଯ୍ୟାୟ ଓ ମେ ୨୫ ରେ ଷଷ୍ଠ ପର୍ଯ୍ୟାୟ ମତଦାନ ହେବ । ସପ୍ତମ ପର୍ଯ୍ୟାୟ ମତଦାନ ଜୁନ୍ ୧ ରେ ଅନୁଷ୍ଠିତ ହେବ । ସମସ୍ତ ସାତୋଟି ପର୍ଯ୍ୟାୟର ଫଳାଫଳ ଆସନ୍ତା ଜୁନ୍ ୪ ରେ ଘୋଷଣା କରାଯିବ ।