• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦେଶର ପ୍ରମୁଖ ୯ ନ୍ୟୁଜ୍ ଚ୍ୟାନେଲ୍ । ୧୪ ପ୍ରତିଷ୍ଠିତ ସାମ୍ବାଦିକ ଓ ନ୍ୟୁଜ୍ ଆଙ୍କର । ଜଣ ଜଣଙ୍କ ନାଁ ନେଇ ଲିଷ୍ଟ ଜାରି କରି ଏମାନଙ୍କୁ ବ୍ଲାକଲିଷ୍ଟ କରିଛି ମିଳିତ ବିରୋଧୀ ମେଣ୍ଟ ଇଣ୍ଡିଆ । ୧୧ଟି ରାଜ୍ୟରେ କ୍ଷମତାରେ ଥିବା ୨୬ ପାର୍ଟି ବିଶିଷ୍ଟ ଇଣ୍ଡିଆ ମେଣ୍ଟ ସ୍ପଷ୍ଟ କରିଛି ଯେ, ତାଲିକାରେ ଥିବା ସାମ୍ବାଦିକ ଓ ନ୍ୟୁଜ୍ ଆଙ୍କରଙ୍କ ଦ୍ୱାରା ପରିଚାଳିତ କୌଣସି ଆଲୋଚନା କାର୍ଯ୍ୟକ୍ରମକୁ ଇଣ୍ଡିଆ ମେଣ୍ଟର ପ୍ରତିନିଧି ଯିବେ ନାହିଁ । ଯାହାକୁ ନେଇ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା ।

ବିଜେପି ଏଭଳି ନିଷ୍ପତ୍ତିକୁ ଏମର୍ଜେନ୍ସି ସହ ତୁଳନା କରି ଜୋରଦାର ହମଲା କରିଛି । ଦଳର ଅଧ୍ୟକ୍ଷ ଜେପି ନଡ୍ଡା ଗତକାଲି ‘ଏକ୍ସ’ ରେ ସିରିଜ୍ ପୋଷ୍ଟ କରି ଗଣମାଧ୍ୟମର କଣ୍ଠରୋଧ କରିବା କଂଗ୍ରେସର ପୁରୁଣା ଅଭ୍ୟାସ ବୋଲି କହିଥିଲେ । ଏହାପରେ ପୂରା ଶାସକ ଦଳ, ଭିନ୍ନମତକୁ ସମ୍ମାନ ଦେବାର ଅସହିଷ୍ଣୁ ପଣ ପାଇଁ ଇଣ୍ଡିଆ ମେଣ୍ଟକୁ ଘେରିବାରେ ଲାଗିଛି । ଦଳର ଜାତୀୟ ମୁଖପାତ୍ର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ଜାଣି ଇଣ୍ଡିଆ ମେଣ୍ଟ ହତୋତ୍ସାହିତ ହୋଇପଡ଼ିଛି । ସାମ୍ବାଦିକଙ୍କୁ ଉତ୍ତର ଦେଇ ନପାରି ବୟକଟ କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଅପରାଜିତା ।

କେବଳ ରାଜନୈତିକ ସ୍ତରରେ ନୁହେଁ ଇଣ୍ଡିଆ ମେଣ୍ଟର ଏଭଳି ନିଷ୍ପତ୍ତିକୁ ନ୍ୟୁଜ୍ ବ୍ରଡକାଷ୍ଟର୍ସ ଆଣ୍ଡ ଡିଜିଟାଲ୍ ଆସୋସିଏସନ୍-ଏନବିଡିଏ ମଧ୍ୟ କଡ଼ା ଶବ୍ଦରେ ସମାଲୋଚନା କରିଛି । ପ୍ରେସ ରିଲିଜ୍ ଜାରି ଏନବିଡିଏ କହିଛି ଭାରତର ପ୍ରତିଷ୍ଠିତ ଗଣମାଧ୍ୟମ ବ୍ୟକ୍ତିତ୍ୱଙ୍କୁ ବ୍ୟାନ୍ କରିବା ଭଳି ଇଣ୍ଡିଆ ମିଡିଆ କମିଟିର ଏ ନିଷ୍ପତ୍ତି ଭୟଙ୍କର ପରମ୍ପରା ସୃଷ୍ଟି କରୁଛି । ଯାହା ଲୋକତନ୍ତ୍ରର ଆଭିମୁଖ୍ୟକୁ ବିରୁଦ୍ଧାଚରଣ କରିବା ସହ ଅସହିଷ୍ଣୁତାକୁ ପ୍ରଶ୍ରୟ ଦେଇ ଗଣମାଧ୍ୟମ ସ୍ୱାଧୀନତାକୁ ବିପଦରେ ପକାଉଛି ।

ଇଣ୍ଡିଆ ମେଣ୍ଟ ଦେଶକୁ ପୁଣି ଏମର୍ଜେନସିର ଯୁଗକୁ ନେଇଯାଇଛି କହି ମତବ୍ୟକ୍ତର ଅଧିକାର ଏବଂ ଗଣମାଧ୍ୟମର ସ୍ୱାଧୀନତା ଉପରେ ହସ୍ତକ୍ଷେପ କରୁଥିବା ଏଭଳି ନିଷ୍ପତ୍ତିକୁ ଇଣ୍ଡିଆ ମେଣ୍ଟ ପ୍ରତ୍ୟାହାର କରୁ ବୋଲି ଅପିଲ୍ କରିଛି ଏନବିଡିଏ । ବରିଷ୍ଠ ସାମ୍ବାଦିକ ସନ୍ଦିପ ମିଶ୍ର ମଧ୍ୟ ଇଣ୍ଡିଆ ମେଣ୍ଟର ଏଭଳି ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ।

  • Reported by:
  • JAGDISH DAS , CHANDAN PAIKRAY