• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ମହାରାଷ୍ଟ୍ରରେ ସଫଳ ହେବ କି ଅପରେସନ କମଲ୍ ? ମହାରାଷ୍ଟ୍ରରେ ଏବେ ରାଜନୈତିକ ସଙ୍କଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଦ୍ଧବ ସରକାରରେ ରାଜନୈତିକ ସଙ୍କଟ ଦେଖା ଦେଇଥିବା ବେଳେ ବିଜେପି ଏଠି ସରକାର ଗଠନ କରିବା ପ୍ରୟାସ ଚଳାଇଛି। ମହାରାଷ୍ଟ୍ରରେ ଉଦ୍ଧବ ସରକାରରେ ଫାଟ ସୃଷ୍ଟି ହୋଇଛି। 

ଗୋଟିଏ ପଟେ ଶିବସେନା ନେତା ଏକନାଥ ସିନ୍ଧେ ଦଳୀୟ ବିଧାୟକଙ୍କ ସହ ଆଜି ସକାଳୁ ସକାଳୁ ଆସାମର ଗୌହାଟି ପହଞ୍ଚିଛନ୍ତି। ସେଠାରେ ସେମାନେ ଏକ ହୋଟେଲ୍‌ରେ ରହିବା ସହ ସେମାନଙ୍କ ପାଇଁ ୫୦ଟି ରୁମ୍‌ ବୁକିଂ କରାଯାଇଛି। ଅନ୍ୟପଟେ ଉଦ୍ଧବ ସରକାରଙ୍କ ନେତାମାନେ ସିନ୍ଧେଙ୍କୁ ମନାଇବା ପାଇଁ ଚେଷ୍ଟା ଚଳାଇଛନ୍ତି। ଗତକାଲି ଶିବସେନାର ୨ ନେତା ସୁରତରେ ସିନ୍ଧେଙ୍କୁ ଭେଟିବା ସହ ତାଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ। ସୂଚନା ଅନୁସାରେ, ୨ ନେତାଙ୍କୁ ଭେଟିବା ପରେ ଏକନାଥ ସିନ୍ଧେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହ ଫୋନରେ ୧୦ ମିନିଟ୍‌ ଯାଏ କଥାବାର୍ତ୍ତା ହୋଇଥିଲେ। 

ଗତକାଲି ୩ଟି ବସ୍‌ ଯୋଗ ଦଳୀୟ ବିଧାୟକଙ୍କ ସହ ଏକନାଥ ସିନ୍ଧେ ସୁରତ ଏୟାରପୋର୍ଟରେ ପହଞ୍ଚିଥିଲେ। ସେଠାରୁ ଚାର୍ଟାଡ୍‌ ଫ୍ଲାଇଟ ଯୋଗେ ଗୌହାଟି ଅଭିମୁଖେ ଯାତ୍ରା କରିଥିଲେ।ତେବେ ସୁରତ ଏୟାରପୋର୍ଟ ଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସିନ୍ଧେ କହିଥିଲେ, ପାର୍ଟିର ଭଲ ପାଇଁ ଏଭଳି ପଦକ୍ଷେପ ନେଉଛୁ। ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏପରିକି କୌଣସି କାଗଜପତ୍ରରେ ମଧ୍ୟ ଦସ୍ତଖତ କରାଯାଇ ନାହିଁ। ବାଲ୍‌ ଠାକ୍‌ରେ ତାଙ୍କ ଆଦର୍ଶ। ତାଙ୍କ ବିଚାରଧାରାକୁ ସେ ସମ୍ମାନ କରନ୍ତି। ତେବେ ହିନ୍ଦୁତ୍ୱର ରକ୍ଷା ପାଇ ସେ କେବେବି ବୁଝାମଣା କରିବେନି ବୋଲି ଏକନାଥ ସିନ୍ଧେ  ସ୍ପଷ୍ଟ କରିଛନ୍ତି। ତାଙ୍କ ପାଖରେ ୪୦ ଜଣ ଶିବସେନା ବିଧାୟକ ଓ ୬ ଜଣ ସ୍ୱାଧୀନ ବିଧାୟକ ଥିବା ଏକନାଥ ସିନ୍ଧେ ସ୍ପଷ୍ଟ କରିଛନ୍ତି।

ସେପଟେ ଦେବେନ୍ଦ୍ର ଫଡ୍‌ନାଭିସଙ୍କ ଘରେ ଗତକାଲି ବିଳମ୍ବିତ ରାତି ଯାଏ ନେତା ଓ ବିଧାୟକ ଯାଆସ କରୁଥିବା ଦେଖିବାକୁ ମିଳିଥିଲା। ୨୦୧୯ରେ ବିଜେପି ସହ ସମ୍ପର୍କ ଛିଣ୍ଡାଇ ଏନ୍‌ସିପି ଓ କଂଗ୍ରେସ ସହ ମିଶି ମହାରାଷ୍ଟ୍ରରେ ଶିବସେନା ସରକାର ଗଠନ କରିଥିଲା। ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ଏବେ ଶିବସେନାରେ ଫାଟ ସୃଷ୍ଟି ହୋଇଛି। ଦଳ ଭିତରେ କନ୍ଦଳ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ଶିବସେନା ନେତା ଏକନାଥ ସିନ୍ଧେଙ୍କୁ କିଛି ଅସନ୍ତୁଷ୍ଟ ବିଧାୟକ ସମର୍ଥନ କରୁଥିବା ଜଣାପଡ଼ିଛି। 

ସୂଚନାଥାଉ କି, ୨୮୮  ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଏବେ ୨୮୭ ସଭ୍ୟ ଅଛନ୍ତି। ମ୍ୟାଜିକ ନମ୍ବର ହେଲା ୧୪୪ । ବିଜେପିର ୧୦୬ ଏମ୍ଏଲ୍ଏ ଅଛନ୍ତି।  ବହୁମତ ପାଇଁ ଆହୁରି ଦରକାର ୩୮ ବିଧାୟକ।  ଶିବସେନା, ଏନ୍‌ସିପି ଓ କଂଗ୍ରେସକୁ ମିଶାଇ ୧୫୨ ବିଧାୟକ ଅଛନ୍ତି। ଏକନାଥଙ୍କ ସହିତ ୨୨ ବିଧାୟକ ଥିଲେ,ତେବେ ତାଙ୍କ ସପକ୍ଷରେ ପ୍ରକୃତରେ କେତେ ଶିବସେନା ବିଧାୟକ ଅଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।