• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • କାହିଁକି ବାରମ୍ବାର ସୁରକ୍ଷାରେ ହେଉଛି ତ୍ରୁଟି?

  • ଏଥିପାଇଁ ଦାୟୀ କିଏ?

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ଧରଣର ଗଡବଡ଼ ହେବା ପରେ ସାରା ଦେଶରେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି। କାରଣ ଦେଶର ସର୍ବୋଚ୍ଚ ସ୍ତରର ନେତାଙ୍କୁ ଏମିତି ରାସ୍ତା ମଝିରେ ୨ ମିନିଟ୍‌ ଅଟକାଇ ଦେବା ଘଟଣାକୁ ସହଜରେ ହଜମ କରିପାରିନାହାନ୍ତି ଦେଶବାସୀ। ମୋଟ୍‌ ଉପରେ ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗକୁ ନେଇ ଦେଶବ୍ୟାପୀ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ବିଜେପି ପଞ୍ଜାବ ସରକାର ଓ କଂଗ୍ରେସକୁ ଟାର୍ଗେଟ କରିଥିବା ବେଳେ ଏହାକୁ ଡ୍ରାମା ବୋଲି ପାଲଟା ଅଭିଯୋଗ କରିଛି କଂଗ୍ରେସ।

ପ୍ରଧାନମନ୍ତ୍ରୀ ସଡ଼କ ପଥରେ ଆସୁଥିବା ପୋଲିସ ସୂଚନା ଦେଇଥିଲା ଓ ଉଦ୍ଦେଶ୍ୟମୂଳକ ଭାବେ ମୋଦିଙ୍କ ଗାଡ଼ିକୁ ଅଟକାଇଯାଇଥିବା ଅଭିଯୋଗ ହୋଇଛି। ଆଉ ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କୁ ଭେଟି ଘଟଣା ସଂପର୍କରେ ଜଣାଇଥିବା ବେଳେ ଆଜି ସୁପ୍ରିମକୋର୍ଟରେ ଏସଂପର୍କିତ ଏକ ମାମଲାର ଶୁଣାଣି ବି ହୋଇଛି।

କେବଳ ଏବେ ନୁହେଁ ବରଂ ପୂର୍ବରୁ ଅନେକ ଥର ପ୍ରଧାନମନ୍ତ୍ରୀ ଏମିତି ଭାବରେ ରାସ୍ତାରେ ଅଟକିଯାଇଛନ୍ତି। ୨୦୧୭ ଡିସେମ୍ବର ନୋଇଡ଼ାରେ ଏହି ଘଟଣା ହୋଇଥିଲା ଯେଉଁଥି ପାଇଁ ୨ ପୋଲିସ ଅଧିକାରୀ ନିଲମ୍ବନ ହୋଇଥିଲେ। ଠିକ୍ ସେହିପରି ୨୦୧୯ ଫେବ୍ରୁଆରୀରେ ପଶ୍ଚିମବଙ୍ଗର ଉତ୍ତର ପ୍ରଗଣା ଜିଲ୍ଲା ଅଶୋକ ନଗରରେ ସମାନ ଘଟଣା ଘଟିଥିଲା। ଦଳଚକଟା ପରସ୍ଥିତି ଯୋଗୁଁ ମୋଦିଙ୍କୁ ୨୦ ମିନିଟ୍‌ ନିଜର ଭାଷଣ ଅଟକାଇବାକୁ ପଡ଼ିଥିଲା। ସେହିପରି ୨୦୧୮ରେ ବିଶ୍ୱ ଭାରତୀ ଉତ୍ସବରେ ଜଣେ ବ୍ୟକ୍ତି ମୋଦିଙ୍କ ଷ୍ଟେଜ୍‌ ଉପରକୁ ଚଢିଯାଇଥିଲେ। ୨୦୧୪ରେ ମଧ୍ୟ ମହାରାଷ୍ଟ୍ରର ସରକାର ଶପଥ ଗ୍ରହଣ ଉତ୍ସବରେ ମୋଦିଙ୍କ ସୁରକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏହାକୁ ନେଇ ୩ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।

କେବଳ ଏବେ ନୁହେଁ ବରଂ ୨୦୧୦ ରେ ମଧ୍ୟ ମନମୋହନ ସିଂଙ୍କ ଗାଡ଼ି ରାସ୍ତା ଉପରେ ଅନେକ ସମୟ ଧରି ଅଟକିଥିଲା। ଏକ ଘରୋଇ ଗାଡ଼ି ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ସାମ୍ନାକୁ ପଳାଇ ଆସିବାରୁ ଅଳ୍ପକେ ଦୁର୍ଘଟଣାରୁ ବଂଚିଯାଇଥିଲେ ମନମୋହନ। ୨୦୦୬ରେ ବି ମନମୋହନଙ୍କ ବାସଭବନକୁ ହଠାତ୍‌ ଜଣେ ନାବାଳକ ଓ ନାବାଳିକା ପଶିଯିବାରୁ ସୁରକ୍ଷାରୁ ନେଇ ପ୍ରଶ୍ନ ଉଠିଥିଲା।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟିର ତଦନ୍ତ ଲାଗି ପଞ୍ଜାବ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଅବସରପ୍ରାପ୍ତ ବିଚାରପତି ମେହତାବ ସିଂହ ଗିଲ୍ ଓ ଗୃହ ଓ ନ୍ୟାୟ ବିଭାଗର ପ୍ରମୁଖ ସଚିବ ଅନୁରାଗ ବର୍ମାଙ୍କୁ ନେଇ ଗଠିତ କମିଟି ତଦନ୍ତ ସାରି ୩ ଦିନରେ ରିପୋର୍ଟ ଦେବ।

ତେବେ ମୋଦିଙ୍କ ସୁରକ୍ଷା ତ୍ରୁଟିକୁ ନେଇ ଜୋର ଧରିଛି ରାଜନୀତି। ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା। ତେବେ ପ୍ରଧାନମନ୍ତ୍ରୀଙ୍କ ସଭାରେ ଲୋକ ହୋଇନଥିବାରୁ ସେ କାର୍ଯ୍ୟକ୍ରମ ବାତିଲ କରି ଫେରିଯିବାକୁ ବାଧ୍ୟ ହୋଇଥିବା କହିଛନ୍ତି ପଞ୍ଜାବ କଂଗ୍ରେସ ସଭାପତି ନବଜୋତ୍ ସିଂହ ସିଦ୍ଧୁ।

ଭାରତ-ପାକିସ୍ତାନ ସୀମା ହୁସେନିଓ୍ୱାଲାରେ ଥିବା ଜାତୀୟ ସହିଦ୍ ମେମୋରିଆଲକୁ ଯାଉଥିବା ବେଳେ ଏକ ଓଭରବ୍ରିଜ୍ ଉପରେ ତାଙ୍କ କାରକୁ ୧୫ରୁ ୨୦ ମିନିଟ ଅଟକିବାକୁ ପଡିଥିଲା। ଯାହାକୁ ନେଇ ରାଜନୀତି ଜୋର ହେଉଛି।

ଏପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ସୁରକ୍ଷାରେ ତ୍ରୁଟିକୁ ଅତି ଗମ୍ଭୀର ମାମଲା ଦର୍ଶାଇ ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଛନ୍ତି ଦେଶର ପୂର୍ବତନ ପୋଲିସ ଅଫିସର ସଂଘ। ପ୍ରଧାନମନ୍ତ୍ରୀଙ୍କ କ୍ଷେତ୍ରରେ ହୋଇଥିବା ଏଭଳି ସୁରକ୍ଷା ତ୍ରୁଟିକୁ ଉଦ୍ଦେଶ୍ୟମୂଳକ ବୋଲି କହିଛି ପୂର୍ବତନ ପୋଲିସ ଅଫିସର ସଂଘ।