• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ପଂଜାବ ଗସ୍ତ ବେଳେ ସୁରକ୍ଷାରେ ହୋଇଥିବା ସାଂଘାତିକ ତ୍ରୁଟି ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଲେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଗତକାଲିର ଘଟଣା ସଂପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି । ତେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଭେଟଘାଟ ବେଳର ଫଟୋ ମଧ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି।

ଗତକାଲି ପଂଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ସାଂଘାତିକ ତ୍ରୁଟି ହୋଇଥିଲା । କୃଷକଙ୍କ ବିକ୍ଷୋଭ ପାଇଁ ଏକ ଫ୍ଲାଏ ଓଭରରେ କିଛି ସମୟ ଫସି ରହିଥିଲେ ମୋଦି । ଏହାକୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଥିଲା । ଘଟଣାର ତଦନ୍ତ କରିବା ପାଇଁ ପଂଜାବ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମେହତାବ ସିଂ ଗିଲ, ବିଚାରପତି ଅନୁରାଗ ବର୍ମା ଓ ରାଜ୍ୟ ଗୃହ ବିଭାଗର ପ୍ରମୁଖ ସଚିବଙ୍କୁ ନେଇ କମିଟି ଗଠନ ହୋଇଛି । ଏହି କମିଟି ୩ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବ ।

 ତଦନ୍ତ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିକୁ ବିଜେପି ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ କମିଟି କୌଣସି ତଥ୍ୟ ପାଇବେ ନାହିଁ । କାରଣ ପଂଜାବ ମୁଖ୍ୟମନ୍ତ୍ରୀ ହିଁ ଷଡ଼ଯନ୍ତ୍ରକାରୀ ବୋଲି ପଂଜାବ ବିଜେପି ସଭାପତି ଅଭିଯୋଗ କରିଛନ୍ତି ।

 ଆଜି ସାରା ଦେଶରେ ମୋଦିଙ୍କ ଦୀର୍ଘଜୀବନ କାମନା କରି ବିଜେପି ପକ୍ଷରୁ ପୂଜାର୍ଚ୍ଚନା କରାଯାଇଛି । ଦିଲ୍ଲୀର ଝଣ୍ଡେଓ୍ୱାଲା ଦେବୀ ମନ୍ଦିରରେ ମହା ମୃତ୍ୟୁଞ୍ଜୟ ମନ୍ତ୍ରପାଠ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେହିପରି ସାରା ଦେଶରେ ଆଜି ମୋଦିଙ୍କ ପାଇଁ ପୂଜାପାଠ କରାଯାଉଛି । ଆଜି ସଂଧ୍ୟାରେ ଏକ କ୍ୟାଣ୍ଡେଲ ମାର୍ଚ୍ଚ ହେବ ବୋଲି ଜଣାପଡ଼ିଛି ।