• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୁଜରାଟର ମଛୁ ନଦୀ ଉପରେ ତିଆରି ମୋର୍ବି ବ୍ରିଜ ଟ୍ରାଜେଡି ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି । ଏହି ଭୟଙ୍କର ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୪୧ ଜଣ ପ୍ରାଣ ହରାଇଛନ୍ତି । ଅନେକ ଆହତ ଏବେ ବି ଚିକିତ୍ସିତ ହେଉଛନ୍ତି । ଏହିକ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ମୋର୍ବି ବ୍ରିଜକୁ ଅତି ନିକଟରୁ ଦେଖିଛନ୍ତି ।

ଗୁଜରାଟ ମୋର୍ବିରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝୁଲା ପୋଲ ଟ୍ରାଜେଡ଼ି ପରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ନିର୍ବାଚନ ପ୍ରଚାର ପାଇଁ ତିନିଦିନିଆ ଗୁଜୁରାଟ ଗସ୍ତରେ ଥିବା ମୋଦି ଗତକାଲି ବ୍ରିଜ୍ ଟ୍ରାଜେଡିର ସମୀକ୍ଷା କରିଥିଲେ । ଆଜି ମୋର୍ବିରେ ସ୍ଥିତି ସମୀକ୍ଷା କରିବା ସହ ଆହତଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ଗତକାଲି ଗାନ୍ଧିନଗର ରାଜଭବନରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ଉଦ୍ଧାର କାର୍ଯ୍ୟ କିଭଳି ଚାଲିଛି, ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା କିଭଳି ଅଛି ସେନେଇ ସମୀକ୍ଷା କରିଥିଲେ ମୋଦି ।

ତେବେ ଏହି ଦୁଃଖଦ ଘଟଣାକୁ ସହିନପାରି ଭାବବିହ୍ୱଳ ହୋଇପଡ଼ିଥିଲେ ପ୍ରଧାନମନ୍ତ୍ରୀ । ଆଜି ବନାସକାଣ୍ଠ ଜିଲ୍ଲାର ଥରାଡରେ ଅନେକ ଜଳ ଯୋଗାଣ ପ୍ରକଳ୍ପର ମୂଳଦୁଆ ପକାଇବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବବିହ୍ୱଳ ହୋଇଯାଇଥିଲେ । ଏହି କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ମୋର୍ବିରେ ଝୁଲାପୋଲ ଭୁଶୁଡ଼ିବା ଘଟଣା ବିଷୟରେ କହି କାନ୍ଦି ପକାଇଥିଲେ।

ସେପଟେ ଘଟଣାରେ ଏଯାଏଁ ୯ ଜଣଙ୍କୁ ଗିରଫ କରାଯାଇଛି । ବ୍ରିଜ୍ ମରାମତି ଦାୟିତ୍ୱରେ ଥିବା କମ୍ପାନୀ ଓରେଭାର ଅଧିକାରୀ, ଟିକେଟ୍ ବିକ୍ରେତା, ସୁରକ୍ଷାକର୍ମୀ ଓ ବ୍ରିଜ୍ ମରାମତି କରୁଥିବା କମ୍ପାନୀ ଓରେଭା, ବ୍ୟାପକ ସୁରକ୍ଷା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଅକ୍ଟୋବର ୩୦ ତାରିଖରେ ଗୁଜରାଟ ମୋର୍ବିରେ ଝୁଲା ପୋଲ୍‌ ଛିଡ଼ି ଯାଇଥିଲା । ଘଟଣାସ୍ଥଳରେ ହିଁ ୬୦ ଜଣ ପ୍ରାଣ ହରାଇଥିବା ବେଳେ ପରେ ମୃତ୍ୟୁ ସଂଖ୍ୟା ୧୪୧ରେ ପହଞ୍ଚିଥିଲା । ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିବା ବେଳେ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲେ । ସେହିପରି ଆହତଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୫୦ ହଜାର ଲେଖାଏଁ ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ ।