• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭାରତୀୟ ରେଳ ଷ୍ଟେସନ ପାଲଟିବ ଅମୃତ ଭାରତ ଷ୍ଟେସନ । ଯେଉଁଠି ରହିବ ସବୁ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା । ଯାତ୍ରୀଙ୍କୁ ମିଳିବ ବିଶ୍ୱସ୍ତରୀୟ ଅଭିଜ୍ଞତା । ଏହି ଲକ୍ଷ୍ୟରେ ଆଜି ଓଡ଼ିଶାର ୨୫ ଷ୍ଟେସନ ସମେତ ସାରା ଦେଶରେ ୫୦୮ ରେଳ ଷ୍ଟେସନର ପୁନର୍ବିକାଶ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୨୫ ହଜାର କୋଟି ଟଙ୍କା ନିବେଶରେ ଷ୍ଟେସନଗୁଡ଼ିକର ରୂପାନ୍ତରଣ କରାଯିବ ।

ବିଶ୍ୱସ୍ତରୀୟ ହେବ ଭାରତୀୟ ରେଳ ଷ୍ଟେସନ । ପ୍ରଥମ ପର୍ଯ୍ୟାୟରେ ପୁନର୍ବିକାଶ ହେବ ୫୦୮ ଷ୍ଟେସନ । ନିବେଶ ହେବ ୨୪ ହଜାର ୪୭୦ କୋଟି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଜି ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ୫୦୮ ଷ୍ଟେସନର ପୁନଃବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି, ଅମୃତ କାଳରେ ନୂଆ ଭାରତ ଦ୍ରୁତ ଗତିରେ ଏକ ବିକଶିତ ଭାରତ ଦିଗରେ ଗତି କରୁଛି ।

ଆଜିଠୁ ଭାରତୀୟ ରେଳରେ ସୃଷ୍ଟି ହୋଇଛି ନୂଆ ଅଧ୍ୟାୟ । ଯେଉଁଥିରେ ରହିଛି ନୂଆ ଉର୍ଜା, ନୂଆ ଉତ୍ସାହ ଓ ନୂଆ ସଂକଳ୍ପ । ପର୍ଯ୍ୟାୟକ୍ରମେ ଦେଶର ପ୍ରାୟ ୧ ହଜାର ୩୦୯ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଭାବେ ବିକଶିତ କରାଯିବ । ଏ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ବର୍ଷକ ଭିତରେ ଭାରତ ଯେତିକି ନୂଆ ଟ୍ରାକ୍ ବିଛାଇଛି, ତାହା ଦକ୍ଷିଣ କୋରିଆ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆର ମିଳିତ ରେଳ ଟ୍ରାକ୍ଠୁ ବି ଅଧିକ । ସେହିଭଳି ପ୍ରଧାନମନ୍ତ୍ରୀ କହିଛନ୍ତି, ଟ୍ରେନ୍‌ରୁ ଆରମ୍ଭ କରି ଷ୍ଟେସନ ଯାଏଁ ସବୁଠି ସର୍ବୋତ୍ତମ ଯାତ୍ରୀ ଅଭିଜ୍ଞତା ଦେବାକୁ ପ୍ରଚେଷ୍ଟା କରାଯାଉଛି । ଏ ଅବସରରେ ରେଳମନ୍ତ୍ରୀ କହିଛନ୍ତି, ଆସନ୍ତା ୫୦ ବର୍ଷକୁ ନଜରରେ ରଖି ଅମୃତ ଭାରତ ଷ୍ଟେସନକୁ ପୁନଃବିକାଶ କରାଯାଉଛି ।

ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାରେ ୫୭ଟି ଷ୍ଟେସନର ପୁନଃବିକାଶ ହେବ । ପ୍ରଥମ ପର୍ଯ୍ୟାୟରେ ସାକ୍ଷୀଗୋପାଳ, ମଞ୍ଚେଶ୍ୱର, ଢେଙ୍କାନାଳ,  ଛତ୍ରପୁର, ଅନୁଗୁଳ, ଖୋର୍ଦ୍ଧା ରୋଡ୍, ବରଗଡ଼ ଭଳି ୨୫ଟି ରେଳ ଷ୍ଟେସନର ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ଖର୍ଚ୍ଚ ହେବ ୫୩୧ କୋଟି ୮୦ ଲକ୍ଷ ଟଙ୍କା । ଅମୃତ ଷ୍ଟେସନ ସ୍କିମ୍ ଅଧୀନରେ ଥିବା ସମସ୍ତ ଷ୍ଟେସନ ବିଲଡିଂ ପୁନଃନିର୍ମାଣ ହେବ । ଷ୍ଟେସନକୁ ସିଟି ସେଣ୍ଟର ଭାବେ ବିକାଶ କରାଯିବ ।

ଷ୍ଟେସନରୁ ସହରର ଉଭୟ ପାର୍ଶ୍ଵକୁ ଯୋଡ଼ିହେବ ରାସ୍ତା । ସବୁ ଅମୃତ ଷ୍ଟେସନରେ ରହିବ ଅତ୍ୟାଧୁନିକ ଯାତ୍ରୀ ସେବା, ଦିବ୍ୟାଙ୍ଗ ଅନୁକୂଳ ସେବା । ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଲିଙ୍ଗରାଜ ରୋଡ୍ ଷ୍ଟେସନରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମଞ୍ଚେଶ୍ୱର ଷ୍ଟେସନରେ ଖୋର୍ଦ୍ଧା DRM ଏଚ୍ ଏସ୍ ବାଜୱା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

  • Reported by:
  • BALRAM LENKA , KAPILENDRA PRADHAN , BIBARTAN PANDA