• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭାରତର ଗୁରୁତ୍ୱପୂର୍ଣ୍ଣ ଦ୍ୱୀପ କଚାତିବୁକୁ ଶ୍ରୀଲଙ୍କାକୁ ଟେକି ଦେଇଛି କଂଗ୍ରେସ । ଏଭଳି ଢଙ୍ଗରେ ଆଜି କଂଗ୍ରେସ ଉପରେ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ପୋଷ୍ଟରେ ମୋଦି ଏହି ପ୍ରସଙ୍ଗ ଉଠାଇ ଟାର୍ଗେଟ କରିଛନ୍ତି । ୧୯୭୪ ମସିହାରେ କଂଗ୍ରେସର ଇନ୍ଦିରା ଗାନ୍ଧି ସରକାର ଏହି ଗୁରୁତ୍ୱପୂର୍ଣ୍ଣ ଦ୍ୱୀପକୁ ଶ୍ରୀଲଙ୍କାକୁ ଟେକି ଦେଇଥିବା ଅଭିଯୋଗ ଆସିଛି ।

କଂଗ୍ରେସ ଦେଶର ଏକତା ଅଖଣ୍ଡତା ଓ ସ୍ୱାର୍ଥକୁ ଦୁର୍ବଳ କରୁଛି ବୋଲି ଲେଖିଛନ୍ତି ମୋଦି । RTI ତଥ୍ୟରୁ ମିଳିଥିବା ସୂଚନା ପରେ ମୋଦି କଂଗ୍ରେସକୁ ଏଭଳି ଢଙ୍ଗରେ ସିଧା ନିଶାନା କରିଛନ୍ତି । ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ବେଳେ ୧୯୭୪ ମସିହାରେ ଭାରତର କଚାତିବୁ ଦ୍ୱୀପକୁ ଶ୍ରୀଲଙ୍କାକୁ ଟେକି ଦେଇଥିଲେ ବୋଲି RTI ତଥ୍ୟରେ ସୂଚନା ମିଳିଛି ।

ଏହି ପ୍ରସଙ୍ଗ ପୂର୍ବରୁ ଲୋକସଭାରେ ଉଠାଇ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଘେରିଥିଲେ । ନିଜ ରାଜନୈତିକ ସ୍ୱାର୍ଥ ପାଇଁ କଂଗ୍ରେସ ଦେଶକୁ ୩ ଭାଗରେ ଭାଙ୍ଗି ଦେଇଥିବା କହିଥିଲେ ମୋଦି । ତେବେ ଭାରତ ପାଇଁ ବେଶ୍ ଗୁରୁତ୍ୱବହନ କରେ କଚାତିବୁ ଦ୍ୱୀପ । ଇଏ ବିବାଦ ଆଜି କାଲିର ନୁହେଁ । ଦେଶ ସ୍ୱାଧୀନ ହେବା ପୂର୍ବରୁ ଏହି ଦ୍ୱୀପକୁ ଉଭୟ ଭାରତ ଓ ଶ୍ରୀଲଙ୍କା ନିଜର ବୋଲି ଦାବି କରିଛନ୍ତି ।

ବିଶେଷ ଭାବେ ରାମେଶ୍ୱରମ ଦ୍ୱୀପର ବେଶ୍ ନିକଟତର ରହିଛି ଏହି ଦ୍ୱୀପ । ତେଣୁ ବର୍ଷ ବର୍ଷ ଧରି ଏଠି ଭାରତୀୟ ମାନେ ଯା’ଆସ କରନ୍ତି । ତାମିଲନାଡ଼ୁର ମତ୍ସଜୀବୀ ମାନେ ଏହା ଉପରେ ନିର୍ଭରଶୀଳ । ଦେଶ ସ୍ୱାଧୀନ ହେବା ପୂର୍ବରୁ ରାମନାଥ ସାମ୍ରାଜ୍ୟରେ ଥିଲା କଚାତିବୁ । ଏପରିକି ୧୯୨୧ ମସିହାରେ ଏହାକୁ ମାଡ୍ରାସ୍ ପ୍ରେସିଡେନସି ଅଧିନରେ ରଖାଯାଇଥିଲା ।

ପରେ ପରେ ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ତେଜିବାରେ ଲାଗିଥିଲା । ତେବେ ୧୯୭୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଭାରତ-ଶ୍ରୀଲଙ୍କା ସୀମା ଚୁକ୍ତିରେ ଏହି ଦ୍ୱୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିଥିଲେ । ଭାରତୀୟ ମୁଖ୍ୟ ଭୂଖଣ୍ଡଠାରୁ ମାତ୍ର ୨୦ କିଲୋମିଟର ଦୂରରେ କଚାତିବୁ ଦ୍ୱୀପ ରହିଛି ।

ଏଠି ବହୁ ସଂଖ୍ୟାରେ ତାମିଲ ଲୋକେ ବସବାସ କରନ୍ତି । ଆଜି ବି ମାଛ ଧରିବାକୁ ଏହାର ଆଖପାଖକୁ ଲୋକେ ଯାଆନ୍ତି । ହେଲେ ସବୁଠୁ ବଡ଼ ସମସ୍ୟା ହେଉଛି, ସମୁଦ୍ର ମଝିରେ କୌଣସି ନିର୍ଦ୍ଦିଷ୍ଟ ସୀମା ନଥିବାରୁ ବହୁ ସମୟରେ ମତ୍ସଜୀବୀ ମାନେ କଚାତିବୁକୁ ଚାଲି ଯାଆନ୍ତି । ଗଲା ୫ ବର୍ଷରେ ୬୦୦ରୁ ଅଧିକ ମତ୍ସଜୀବୀ ଅନୁପ୍ରବେଶ କରିଥିବା ଅଭିଯୋଗରେ ଶ୍ରୀଲଙ୍କାରେ ଗିରଫ ବି ହୋଇଛନ୍ତି ।