• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସେଞ୍ଚୁରି ମାରିବ 'ମନ୍ କି ବାତ୍' । ଦେଶବାସୀଙ୍କ ସହିତ ସିଧାସଳଖ ଯୋଡ଼ି ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ବର୍ଷ ତଳେ ଆରମ୍ଭ କରିଥିବା ଏହି କାର୍ଯ୍ୟକ୍ରମ ଆଜି ୧୦୦ ତମ ଅଧ୍ୟାୟ ପୂରଣ କରିବାକୁ ଯାଉଛି । ସେତେବେଳେ ନିଆଯାଇଥିବା ଏହି ଅଭିନବ ପ୍ରୟାସ ଆଜି ଐତିହାସିକ ପାଲଟିବ ।

ଆଜି ଦେଶବାସୀଙ୍କୁ ମୋଦି କ’ଣ କହିବେ, ଏଥିପାଇଁ ସାରା ଦେଶରେ ଉତ୍ସାହ ଥିବା ବେଳେ, ବିଜେପି ପକ୍ଷରୁ ଦେଶବ୍ୟାପୀ ହୋଇଛି ସ୍ୱତନ୍ତ୍ର ଆୟୋଜନ । ଦେଶର ୪ ଲକ୍ଷ କେନ୍ଦ୍ରରେ ଏହାର ପ୍ରସାରଣ ହେବାକୁ ଥିବା ବେଳେ, ରାଜ୍ୟର ପ୍ରାୟ ୨ ହଜାର ବୁଥ୍‌ରେ ହେବ କାର୍ଯ୍ୟକ୍ରମ। ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ ଶୁଣିବେ ଦଳୀୟ ବିଧାୟକ, ସାଂସଦ, ନେତା ଓ କର୍ମୀ। ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସାମାଜିକ କର୍ମୀ ଓ ସାଧାରଣ ଜନତାଙ୍କୁ ବି ସାମିଲ କରାଯିବ ।

'ଅଲ୍ ଇଣ୍ଡିଆ ରେଡିଓ' ଓ ଦୂରଦର୍ଶନରେ ପ୍ରସାରିତ ହେଉଥିବା ମନ୍ କି ବାତ୍ କେବଳ ଏକ ଅଧଘଣ୍ଟିଆ କାର୍ଯ୍ୟକ୍ରମ ନୁହେଁ । ଏହା ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ । ପ୍ରାୟ ୨୬ କୋଟି ଲୋକ ଏହାକୁ ନିୟମିତ ଶୁଣୁଥିବା ବେଳେ, ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଉଦବୁଦ୍ଧ କରିଛି ଅଗଣିତ ସାଧାରଣ ନାଗରିକ, ସମାଜସେବୀ ଓ ଛାତ୍ରଛାତ୍ରୀଙ୍କୁ । କେବଳ ଏତିକି ନୁହେଁ, ଅନେକ ବଣମଲ୍ଲୀଙ୍କ ମହକ ସାରା ଦେଶକୁ ଆମୋଦିତ କରିଛି ମନ୍ କି ବାତ୍ ମାଧ୍ୟମରେ ।

ଆଜି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଏହାର ୧୦୦ତମ ସଂସ୍କରଣ ପୂରଣ କରିବାକୁ ଯାଉଥିବାରୁ ଏହି ଅବସରରେ ଦେଶର ୧୩ ଟି ଐତିହ୍ୟ ସ୍ଥଳରେ ଲାଇଟ୍ ଆଣ୍ଡ୍ ସାଉଣ୍ଡ ସୋ’ର ଆୟୋଜନ ହୋଇଛି । କୋଣାର୍କର ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଉପରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ସାଙ୍ଗକୁ ଦେଶର ଇତିହାସ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଛି । ଏହି ଅବସରରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଉପସ୍ଥିତ ରହିଥିଲେ।

ସେହିଭଳି ମୁମ୍ବାଇର ଗେଟ୍ ୱେ ଅଫ୍ ଇଣ୍ଡିଆ ସ୍ଥାପତ୍ୟ ସ୍ଥଳରେ ମଧ୍ୟ ସୁନ୍ଦର ଲାଇଟ୍ ଆଣ୍ଡ୍ ସାଉଣ୍ଡ ସୋର ଆୟୋଜନ କରାଯାଇଥିଲା । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଦେଶର ୧୩ଟି ଐତିହ୍ୟ ସ୍ଥଳରେ ୩ ଦିନ ଧରି ଏଭଳି କାର୍ଯ୍ୟକ୍ରମ ଚାଲିବ ।