• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ନିର୍ମାଣ ହେବ ଭବ୍ୟ କ୍ରିକେଟ ଷ୍ଟାଡିୟମ। ସେପ୍ଟେମ୍ବର ୨୩ରେ ଏହି ବିଶାଳ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ରବି ଶାସ୍ତ୍ରୀ, ସୁନୀଲ ଗାଭାସ୍କରଙ୍କ ସମେତ ବହୁ କ୍ରିକେଟର ଉପସ୍ଥିତ ରହିବେ । ଶିଳାନ୍ୟାସ ପୂର୍ବରୁ ଏହି ଷ୍ଟାଡିୟମର ଡିଜାଇନକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

୩୦.୬ ଏକରରେ ନିର୍ମାଣ ହେବାକୁ ଯାଉଛି ଏହି ବିଶାଳ ଷ୍ଟାଡିୟମ । ଷ୍ଟାଡିୟମ ନିର୍ମାଣ ପାଇଁ ଖର୍ଚ୍ଚ ହେବ ପ୍ରାୟ ୪୫୧ କୋଟି ଟଙ୍କା। ଏହି ଷ୍ଟାଡିୟମ ନିର୍ମାଣ ୩୦ ମାସ ମଧ୍ୟରେ ଶେଷ ହେବ । ଷ୍ଟାଡିୟମରେ ଏକାସାଙ୍ଗେ ୩୦ ହଜାର ଦର୍ଶକ ବସି ଖେଳ ଦେଖିପାରିବେ। ବାରଣାସୀ ଗଞ୍ଜାରୀରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟାଡିୟମ ସବୁଠୁ ନିଆରା ହେବ । କାହିଁକି ନା ଏହି ଷ୍ଟାଡିୟମରେ ରହିବ ମହାଦେବଙ୍କ ଝଲକ ।

ବାରଣାସୀ ହେଉଛି ଦୁନିଆ ଅନ୍ୟତମ ପୁରାତନ ସହର । ଏହାକୁ ଭଗବାନ ଶିବଙ୍କ ସହର ମଧ୍ୟ କୁହାଯାଏ । ଏଠାରେ, ପ୍ରତ୍ୟେକ ପଥରରେ ଶଙ୍କର ରହିଛନ୍ତି । ମହାଦେବଙ୍କ ସହରରେ ଷ୍ଟାଡିୟମ ହେବ ଆ‍ଉ ସେହି ଷ୍ଟାଡିୟମରେ ବା କିପରି ମହାଦେବଙ୍କ ଝଲକ ରହିବନି । ଏହି କାରଣରୁ ଏଠାରେ ନିର୍ମାଣ ହେବାକୁ ଥିବା କ୍ରିକେଟ୍ ଷ୍ଟାଡିୟମରେ ଶିବଙ୍କ ଛାପ ଦେଖିବାକୁ ମିଳିବ ।

 

ଏହି ଷ୍ଟାଡିୟମରେ କାଶୀର ସାଂସ୍କୃତିକ ଝଲକ ଦେଖିବାକୁ ମିଳିବ। ଷ୍ଟାଡିୟମର ଛାତ ଭଗବାନ ଶିବଙ୍କ ମଥାରେ ଥିବା ଅର୍ଦ୍ଧଚନ୍ଦ୍ର ପରି ନିର୍ମାଣ ହେବ । ତ୍ରିଶୁଳ ଷ୍ଟାଇଲରେ ନିର୍ମାଣ ହେବ ଫ୍ଲଡ୍ ଲାଇଟ୍ । ଷ୍ଟାଡିୟମର ପ୍ରବେଶ ପଥ ବେଲପତ୍ର ଡିଜାଇନରେ ତିଆରି ହେବ । ସେହିପରି ଦର୍ଶକଙ୍କ ପାଇଁ ବସିବା ସ୍ଥାନ ଗଙ୍ଗା ଘାଟର ସିଡି ପରି ରହିବ। ଷ୍ଟାଡିୟମର ମୁଖ୍ୟ ବିଲ୍ଡିଙ୍ଗକୁ ଶିବଙ୍କ ଡମ୍ବରୁ ଆକୃତିରେ ନିର୍ମାଣ କରାଯିବ । ଏହି ଷ୍ଟାଡିୟମ ନିର୍ମାଣ ପରେ ଦର୍ଶକ ଷ୍ଟାଡିୟମ ମଧ୍ୟରେ ଶିବମୟ ପରିବେଶ ଅନୁଭବ କରିପାରିବେ ଦର୍ଶକ ।