• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବାରଣାସୀ: ସାଧାରଣ ଲୋକ ଭଳି ଲୋକଙ୍କ ଗହଣରେ ରାସ୍ତାରେ ବୁଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରାଣସୀ ଗସ୍ତବେଳେ ଗତକାଲି ଶିଶୁଙ୍କ ସହ ଖେଳୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଏମିତି କିଛି ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଗତକାଲି ବିଳମ୍ବିତ ରାତିରେ କାଶୀ ବିଶ୍ୱନାଥ ମନ୍ଦିର ପରିସର ବୁଲି ବିଭିନ୍ନ କାମର ଅଗ୍ରଗତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ବାହାରିଥିଲେ । ସାଙ୍ଗରେ ଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଯୋଗୀ ଆଦିତ୍ୟନାଥ ଓ ଅଫିସିଆଲ୍ସଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ରାସ୍ତାରେ ଚାଲି ଚାଲି ବୁଲୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ଅତି ପାଖରୁ ଦେଖିବା ଏବଂ ତାଙ୍କ ସହ ସେଲ୍ଫି ନେବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ଲୋକଙ୍କୁ ସିଧାସଳଖ ଭେଟି ଆଲୋଚନା କରୁଥିବାର ଦେଖିବାକୁ ମିଳିଛି ।

ଏପରିକି ବାପା କାଖରେ ବସି ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଆସିଥିବା ଜଣେ ଛୋଟ ଶିଶୁକୁ ବି ନିରାଶ କରିନଥିଲେ ପ୍ରଧାନମନ୍ତ୍ରୀ । ଏକ ଗଳି ରାସ୍ତାରେ ଠିଆ ହୋଇ ଯୋଗୀ ଆଦିତ୍ୟନାଥ ଓ ଅଧିକାରୀଙ୍କ ସହ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନଜରକୁ ଶିଶୁଟି ଚାଲି ଆସିଯାଇଥିଲା । ଆଉ କଥାବାର୍ତ୍ତାକୁ ବନ୍ଦ ରଖି ପ୍ରଧାନମନ୍ତ୍ରୀ ସିଧା ଶିଶୁଟି ପାଖକୁ ଚାଲି ଆସିଥିଲେ ଭାବ ବିନିମୟ କରିଥିଲେ । ଶିଶୁଟିର ଗାଲରେ ହାତ ମାରି ଗେହ୍ଲା କରିବା ସହ ମଜା ମଧ୍ୟ କରିଥିଲେ । ଶିଶୁ ସହ ପ୍ରଧାନମନ୍ତ୍ରୀଙ୍କ ଏହି କଉତୁକିଆ ଭିଡିଓଟି ଏବେ ବେଶ ଭାଇରାଲ୍ ହେବାରେ ଲାଗିଛି ।

ଗତକାଲି କାଶୀ ଧାମରେ ପ୍ରଧାନମନ୍ତ୍ରୀଙ୍କ କାର୍କେଡ୍ ପ୍ରବେଶ ବେଳକୁ ମୋଦି ମୋଦି ନାରାରେ ଗୁଞ୍ଜରିତ ହୋଇଥିଲା ପରିବେଶ । ରାସ୍ତାର ଉଭୟ ପଟେ ବହୁ ସଂଖ୍ୟାରେ ବାରାଣସୀବାସୀ ଏକାଠି ହୋଇ ପୁଷ୍ପବୃଷ୍ଟି କରିବା ସହ ନିଜ ପ୍ରିୟ ସାଂସଦଙ୍କୁ ଟୋପି, ଉତ୍ତରୀୟ ଆଦି ବିଭିନ୍ନ ଉପହାର ଭେଟିଦେଇଥିଲେ । ପ୍ରଧାନମନ୍ତ୍ରୀ ବାରଣାସୀରେ ପହଞ୍ଚିବା ପରେ ପ୍ରଥମେ କାଳଭୈରବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଏବଂ ସେଠାରୁ ଡବଲ୍ ଡେକର୍ ବୋଟ୍‌ରେ ଖିରଖିରା ଘାଟରୁ ଲଳିତା ଘାଟକୁ ଯାଇ ନଦୀରେ ବୁଡ଼ ପକାଇଥିଲେ । କାଶୀବିଶ୍ୱନାଥ କରିଡର୍ ଲୋକାର୍ପଣ ଅବସରରେ ଏହି ପ୍ରକଳ୍ପରେ ନିୟୋଜିତ ଶ୍ରମିକଙ୍କ ଉପରେ ପୁଷ୍ପବୃଷ୍ଟି କରି ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏବଂ ସେମାନଙ୍କ ସହିତ ଏକାଠି ବସି ମଧ୍ୟାନ୍ନ ଭୋଜନ କରିଥିଲେ ମୋଦି ।