• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜଳପଥରେ ଯାତାୟାତ ବ୍ୟବସ୍ଥାର ନୂଆ ଅଧ୍ୟାୟ । ଆଧୁନିକ ଗମନାଗମନର ନୂଆ ପରିଚୟ । କେରଳର କୋଚିରେ ଚାଲିଲା ଦେଶର ପ୍ରଥମ ୱାଟର ମେଟ୍ରୋ( Water Metro)। ଦେଶର ଏହି ବହୁ ପ୍ରତୀକ୍ଷିତ ୱାଟର ମେଟ୍ରୋକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜଳପଥରେ ଏହି ଯାତାୟତ ବ୍ୟବସ୍ଥା କୋଚି ବନ୍ଦର ନଗରୀ ଆଖପାଖରେ ଥିବା ୧୦ଟି ଦ୍ୱୀପ ସହ ସଂଯୋଗ କରିବ ।ସୁଲଭ ମୂଲ୍ୟରେ ନିରାପଦ ଯାତ୍ରା ସହ ଏଭଳି ୱାଟର ମେଟ୍ରୋ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ମଧ୍ୟ ସହାୟକ ହେବ । ..

କେରଳର ବନ୍ଦର ନଗରୀ କୋଚିରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ୱାଟର ମେଟ୍ରୋ । ବିନା ଟ୍ରାଫିକରେ ଏବଂ କମ ସମୟରେ ଯାତାୟତ ପାଇଁ ଏହା ଏପରି ଏକ ବ୍ୟବସ୍ଥା, ଯେଉଁଥିରେ କେବଳ ଜଳପଥରେ ହିଁ ଲୋକେ ଗନ୍ତବ୍ୟସ୍ଥଳକୁ ଯାଇପାରିବେ । ଏହି ୱାଟର ମେଟ୍ରୋରେ ଚାଲିବ ବ୍ୟାଟେରୀ ଚାଳିତ ବୈଦ୍ୟୁତିକ ହାଇବ୍ରିଡ୍ ବୋଟ୍ । କୋଚିର ୧୦ଟି ଦ୍ୱୀପକୁ ସଂଯୋଗ କରିବ ଏହି ୱାଟରେ ମେଟ୍ରୋ। ଏହା ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଇଲେକଟ୍ରିକ୍ ବୋଟ ।

ଏହି ଡ୍ରିମ୍ ପ୍ରୋଜେକ୍ଟ ପାଇଁ ପ୍ରଥମ ପର୍ଯ୍ୟାୟରେ ୮ଟି ଇଲେକଟ୍ରିକ୍ ହାଇବ୍ରିଡ୍ ବୋଟ୍ ପ୍ରସ୍ତୁତ କରାଯାଇଛି । କୋଚିନ୍ ସିପୟାର୍ଡ ଲିମିଟେଡ୍ ତତ୍ତ୍ୱାବଧାନରେ ଏସବୁ ପ୍ରସ୍ତୁତ ହୋଇଛି । କେରଳ ୱାଟର ମେଟ୍ରୋରେ ୭୮ଟି ଇଲେକ୍ଟ୍ରିକ ବୋଟ୍ ଏବଂ ୩୮ଟି ଟର୍ମିନାଲ ରହିଛି । ଯାତ୍ରୀଙ୍କ ଲାଗି ଟ୍ରିପ୍ ପିଛା ୨୦ଟଙ୍କାରୁ ଆରମ୍ଭ କରି ୪୦ ଟଙ୍କା ପର୍ଯ୍ୟନ୍ତ ଦେୟ ରହିଛି । କୋଚି ୱାଟର ମେଟ୍ରୋ ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ୧୧ ଶହ ୩୭ କୋଟି ଟଙ୍କା । ...

ସେପଟେ ଏହି ଗସ୍ତ ଅବସରରେ କେରଳକୁ ଆଉ ଏକ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଥିରୁଅନନ୍ତପୁରମ୍ କେନ୍ଦ୍ରୀୟ ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହା ହେଉଛି କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ଏଇ ବନ୍ଦେ ଭାରତ ଏକ୍ସପ୍ରେସ ରାଜଧାନୀ ଥିରୁଅନନ୍ତପୁରମରୁ ଉତ୍ତର କାସାରାଗୋଡ ଜିଲ୍ଲା ସହିତ ସଂଯୋଗ କରିବ । ଶୁଭାରମ୍ଭ କରିବା ଆଗରୁ ମୋଦି ଟ୍ରେନ ଭିତରକୁ ଯାଇ ବୁଲି ଦେଖିଥିଲେ । ଟ୍ରେନ ଭିତରେ ଛାତ୍ରଛାତ୍ରୀଙ୍କ ସହ ମିଶି ସେମାନଙ୍କ ସହ ଆଲୋଚନା କରିଥିଲେ ମୋଦି । ପିଲାମାନେ ମଧ୍ୟ ମୋଦିଙ୍କୁ ସେମାନଙ୍କ ଗିଫ୍ଟ ପ୍ରଦାନ କରିଥିଲେ ।

ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କେରଳରେ ୩୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ତେବେ ଏହି ଉକ୍ତ ପ୍ରକଳ୍ପ ଦ୍ୱାରା କୋଚି ଅଞ୍ଚଳର ପର୍ଯ୍ୟଟନ ସମେତ ଅର୍ଥନୀତିର ବିକାଶ ହେବ ବୋଲି ଆଶା ରଖାଯାଇଛି ।