• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଇଣ୍ଡିଆ ମୋବାଇଲ କଂଗ୍ରେସ । ୫ ହଜାର ସିଇଓ ସ୍ତରୀୟ ପ୍ରତିନିଧି, ୨୩୦ଟି କଂପାନୀ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରିବା ସହ ୪ଶହ ଷ୍ଟାର୍ଟ ଅପ୍ କଂପାନୀ ଯୋଗ ଦେଇଛନ୍ତି । ଏଥିସହ ଏଥିରେ ୨୨ଟି ଦେଶର ଲକ୍ଷାଧିକ ବ୍ୟକ୍ତି ଅଂଶଗ୍ରହଣ କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମଇଦାନର ଭାରତ ମଣ୍ଡପମରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି ।

ବର୍ତ୍ତମାନ ପରିସ୍ଥିତିରେ ପ୍ରଯୁକ୍ତି ବିଦ୍ୟାର ଦ୍ରୁତ ପରିବର୍ତ୍ତନ ହେଉଛି । ଭବିଷ୍ୟତ କହିଲେ ଏବେ ଆଗାମୀ ଦଶନ୍ଧି କିମ୍ବା ଶତାବ୍ଦୀ ନୁହେଁ, ବର୍ତ୍ତମାନର ସମୟକୁ ବୁଝାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗତ ୯ ବର୍ଷ ଭିତରେ ଷ୍ଟାର୍ଟ ଅପ୍ ମାନଙ୍କ ପାଇଁ ଉପଯୁକ୍ତ ଭିତ୍ତିଭୂମି ସୃଷ୍ଟି କରାଯାଇ ପାରିଛି । ଏଥିଯୋଗୁଁ ଭାରତରେ ଏବେ ଏକ ଲକ୍ଷରୁ ଅଧିକ ଷ୍ଟାର୍ଟ ଅପ୍ କାର୍ଯ୍ୟ କରୁଛନ୍ତି, ଯାହାକି ସାରା ବିଶ୍ୱରେ ତୃତୀୟ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ୧୦୦ଟି ପ୍ରମୁଖ ଇଂଜିନିୟରିଂ କଲେଜ ପରିସରରେ 5G ଲାବରେଟୋରିକୁ ଉଦଘାଟନ କରିଛନ୍ତି ।

ଗତ ବର୍ଷ ଅକଟୋବରରେ 5Gର ଉଦଘାଟନ କରାଯାଇଥିଲେ ମଧ୍ୟ ମାତ୍ର ବର୍ଷକ ମଧ୍ୟରେ ଦେଶରେ ୫ଲକ୍ଷ 5G ବେସ୍ ଷ୍ଟେସନ ନିର୍ମାଣ ହୋଇଛି । ଭାରତ କେବଳ 5G ନୁହେଁ, 6G କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଭୂମିକା ନେବାକୁ ଯାଉଛି । ଏଥିସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସାଇବର ସିକ୍ୟୁରିଟି, ସେମିକଣ୍ଡକ୍ଟର, ଡ୍ରୋନ୍ ନିର୍ମାଣ ମଧ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଛି ।

ବିଶ୍ୱର ଅନେକ ପ୍ରମୁଖ କଂପାନୀ ଏବେ ଭାରତରେ ସେମାନଙ୍କର ଉତ୍ପାଦନ ଆରମ୍ଭ କରିଛନ୍ତି । ଗୁଗଲ୍ ପକ୍ଷରୁ ପିକ୍ସେଲ ଫୋନ, ସାମସଙ୍ଗ ପକ୍ଷରୁ ଫୋଲଡ୍ ୫ ମୋବାଇଲ ଏବଂ ଆପଲ୍ ପକ୍ଷରୁ ଆଇ ଫୋନ୍ ୧୫ ନିର୍ମାଣ ହେଉଛି । ବିଶ୍ୱରେ ଏବେ ଭାରତ ନିର୍ମିତ ମୋବାଇଲ ବ୍ୟବହାର ହେଉଥିବାରୁ ଆମ ପାଇଁ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

ସେପଟେ ଟେଲିକମ୍ ହିଁ ଡିଜିଟାଲ ଇଣ୍ଡିଆର ପ୍ରବେଶ ଦ୍ୱାର ବୋଲି କହିଛନ୍ତି କେନ୍ଦ୍ର ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭାରତ ଏବେ ଟେଲିକମ୍ ଯନ୍ତ୍ରାଂଶ ନିର୍ମାଣରେ ଆତ୍ମନିର୍ଭର ହେବା ସହ ୭୦ଟି ଦେଶକୁ ଯନ୍ତ୍ରାଂଶ ରତ୍ପାନୀ କରୁଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ ସ୍ୱଚ୍ଛତା ଆସିଛି । ପୂର୍ବରୁ ଟାୱାର ନିର୍ମାଣ ପାଇଁ ଅନୁମତି ମିଳିବାକୁ ୨୩୦ ଦିନ ସମୟ ଲାଗୁଥିବା ବେଳେ ଏବେ ମାତ୍ର ୭ଦିନ ସମୟ ଲାଗୁଛି । ଏଥିସହ ଦେଶରେ ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି ।

ଦିନିକିଆ ବିଶ୍ୱକପର ଭାରତ- ନ୍ୟୁଜିଲାଣ୍ଡ ମ୍ୟାଚ ବେଳେ ମୋବାଇଲ ଦର୍ଶକଙ୍କ ସଂଖ୍ୟା ୪ କୋଟି ପାର ହୋଇଥିଲା । ଏଥିସହ ଚନ୍ଦ୍ରୟାନ ୩ର ଲ୍ୟାଣ୍ଡିଂ ବେଳେ ୟୁଟୁବରେ ଦର୍ଶକଙ୍କ ସଂଖ୍ୟା ୮୦ ଲକ୍ଷ ପାର ହୋଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଏହି ଅବସରରେ ବିଭିନ୍ନ କଂପାନୀ ପକ୍ଷରୁ ସେମାନଙ୍କର ଭିଜନ ଡକୁମେଣ୍ଟ ଉପସ୍ଥାପନ କରାଯାଇଥିଲା ।