• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଶ୍ୱମଞ୍ଚରେ ଲଗାତର ଦୁଇ ଦିନ ଧରି ବିଶ୍ୱନେତାଙ୍କ ମାନସ ମନ୍ଥନ ପରେ ଜି-୨୦ ଶିଖର ସମ୍ମିଳନୀର ପରିସମାପ୍ତି ଘୋଷଣା । ଆଜି ରାଜଘାଟରେ ମହାତ୍ମା ଗାନ୍ଧିଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ଭାରତ ମଣ୍ଡପମରେ ବୈଠକରେ ଯୋଗ ଦେଇଥିଲେ ସମସ୍ତ ସଦସ୍ୟ ବିଶ୍ୱନେତା । ଆଲୋଚନାର ପ୍ରସଙ୍ଗ ଥିଲା ୱାନ୍ ଫ୍ୟୁଚର୍ । ତେବେ ବୈଠକର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଧିବଦ୍ଧ ଭାବେ ପରବର୍ତ୍ତୀ ଆୟୋଜକ ଭାବେ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା' ସିଲଭାଙ୍କୁ ପ୍ରଦାନ କରିଛନ୍ତି ଅଧ୍ୟକ୍ଷତାର ଭାର । ଏଥିସହ ବିଶ୍ୱ ମଞ୍ଚରୁ ଦେଇଛନ୍ତି ଶାନ୍ତିର ବାର୍ତ୍ତା ।

ସ୍ୱସ୍ତି ଅସ୍ତୁ ବିଶ୍ୱସ୍ୟ । ବିଶ୍ୱରେ ହେଉ ଶାନ୍ତିର ସଞ୍ଚାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଉକ୍ତି ସହ ଶେଷ ହୋଇଛି ୨ ଦିନିଆ ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀ । ଗତକାଲିର ୱାନ୍ ଆର୍ଥ ଏବଂ ୱାନ୍ ଫ୍ୟାମିଲି ପରେ, ଆଜି ବୈଠକର ଶୀର୍ଷକ ଥିଲା ୱାନ୍ ଫ୍ୟୁଚର୍ ବା ଗୋଟିଏ ଭବିଷ୍ୟତ । ଏହି ଅବସରରେ ଜାତିସଂଘ ଭଳି ବୈଶ୍ୱିକ ସଂସ୍ଥାରେ ସଂସ୍କାର ଉପରେ ଜୋର ଦେଇଛନ୍ତି ମୋଦି । କହିଛନ୍ତି, ୫୧ ସଦସ୍ୟଙ୍କୁ ନେଇ ଜାତିଂସଘ ସ୍ଥାପନ ବେଳେ ବିଶ୍ୱସ୍ଥିତି ଭିନ୍ନ ଥିଲା । ଏବେ ଏହା ୨ଶହକୁ ବଢ଼ିଛି ।

ଏହା ପ୍ରକୃତିର ନିୟମ ଯେ, ଯେଉଁମାନେ ସମୟ ସହିତ ନବଦଳନ୍ତି, ସେମାନେ ପ୍ରାସଙ୍ଗିକତା ହରାଇଦିଅନ୍ତି । ଏହି ଉକ୍ତି ସହ ମୋଦି ପରୋକ୍ଷରେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଉପରେ ଗୁରୁତ୍ୱାରୋପ କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଭାରତ ପାଖରେ ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ଜି-୨୦ ଅଧ୍ୟକ୍ଷତା ଥିବାରୁ, ନଭେମ୍ବର ଶେଷରେ ପୁଣି ଏକ ସମୀକ୍ଷାମୂଳକ ଭର୍ଚୁଆଲ୍ ସମ୍ମିଳନୀ ଆୟୋଜନ ପାଇଁ ପ୍ରସ୍ତାବ ଦେଇଛନ୍ତି ମୋଦି ।

୨ଶହ ଘଣ୍ଟାରେ ୩ଶହ ବୈଠକ । ନୂଆଦିଲ୍ଲୀ ଲିଡର୍ସ ସମ୍ମିଟ୍ ଡିକ୍ଲାରେସନ ଉପରେ ଶତପ୍ରତିଶତ ସଦସ୍ୟଙ୍କ ସହମତି ହାସଲ ପାଇଁ ଭୀଷଣ କସରତ କରିବାକୁ ପଡ଼ିଛି ଭାରତୀୟ ଡିପ୍ଲୋମାଟ୍ ମାନଙ୍କୁ । ତେବେ ଜି-ଟ୍ୱେଣ୍ଟି ବୈଠକର ଏହା ଥିଲା ସବୁଠୁ ଜଟିଳ ତଥା ସଫଳ ଅଧ୍ୟାୟ । ଭାରତର ଏହି ସଫଳ ଆୟୋଜନକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ବହୁ ବିଶ୍ୱନେତା ଏବଂ ବିଶେଷଜ୍ଞ । ଆସନ୍ତା ଜି-ଟ୍ୱେଣ୍ଟି ସମ୍ମିଳନୀ ବ୍ରାଜିଲରେ ହେବାକୁ ଥିବା ବେଳେ, ବିଧିବଦ୍ଧ ଭାବେ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲଭାଙ୍କୁ ଅଧ୍ୟକ୍ଷତା ଭାର ହସ୍ତାନ୍ତର କରିଛନ୍ତି ମୋଦି ।

ଏହି ଅବସରରେ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଏବଂ ବ୍ରାଜିଲ ରାଷ୍ଟ୍ରପତି ଲୁଲା ପିଏମ୍ ମୋଦିଙ୍କୁ ଗଛଚାରା ଉପହାର ପ୍ରଦାନ କରିଛନ୍ତି । ଜି-ଟ୍ୱେଣ୍ଟି ବୈଠକ ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କୁ ସହ ୱାର୍କିଂ ଲଞ୍ଚ୍ ମିଟିଂ କରିଛନ୍ତି ମୋଦି । ଏଥିସହ ସେ ତୁର୍କୀ, ବ୍ରାଜିଲ ଭଳି ବିଭିନ୍ନ ପ୍ରତିପକ୍ଷଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ।

ଆଜି ବୈଠକ ପୂର୍ବରୁ ସକାଳୁ ସକାଳୁ ଦିଲ୍ଲୀ ରାଜଘାଟରେ ସମବେତ ହୋଇଥିଲେ ସମସ୍ତ ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧି । ଖଦି ଉପଢୌକନ ଦେଇ ସେମାନଙ୍କୁ ସ୍ୱାଗତ କରିବା ସହ ସାବରମତି ଆଶ୍ରମ ସଂପର୍କରେ ଅବଗତ କରାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହାପରେ ଅତିଥିମାନେ ମହାତ୍ମା ଗାନ୍ଧିଙ୍କ ସମାଧି ସ୍ଥଳରେ ପୁଷ୍ପଗୁଚ୍ଛ ଅର୍ପଣ ସହିତ ନିରବ ପ୍ରାର୍ଥନା କରିଥିଲେ ।

ଏହି ସମୟରେ ବାପୁଙ୍କ ଭଜନ ଏବଂ ଭକ୍ତି ଗୀତ ପରିବେଷିତ ହୋଇଥିଲା । ସେଠାରେ ଆମେରିକା ରାଷ୍ଟ୍ରପତି ବାଇଡେନ ଓ ବ୍ରାଜିଲ ରାଷ୍ଟ୍ରପତି ଲୁଲାଙ୍କ ଭଳି ଅଳ୍ପ କିଛି ନେତା ସ୍ଲିପର୍ କିମ୍ବା ଓଭର୍ ସୁ' ପିନ୍ଧିଥିଲେ ବି, ଅଧିକାଂଶ ଅତିଥିଙ୍କୁ ମୋଦିଙ୍କ ଭଳି ଖାଲି ପାଦରେ ଚାଲୁଥିବା ଦେଖିବାକୁ ମିଳିଥିଲା।